ଆଇଏସ ଖୁରାସାନର ଚେତାବନୀ : ପାକିସ୍ତାନକୁ ଧ୍ୱଂସ କରିବାକୁ ଲକ୍ଷ୍ୟ

173

କନକ ବ୍ୟୁରୋ: ଗୋଟେପଟେ ମାନ୍ୟତା ଦେବାକୁ ନେଇ ତାଲିବାନ୍ ସାରା ବିଶ୍ୱକୁ ଧମକ ଦେଉଥିବାବେଳେ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଖୋରାସାନ୍(ଆଇଏସକେ) । ତାଲିବାନ ଶାସନକୁ ଫେରିବା ପରେ ବି ପାକିସ୍ତାନ ହସ୍ତକ୍ଷେପ କରି ଆଫଗାନିସ୍ତାନକୁ ନଷ୍ଟ କରିଦେଇଛି । ତେଣୁ ପାକିସ୍ତାନକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଆଇଏସ୍କେ ପ୍ରବକ୍ତା । ଏହାସହ ସାରା ବିଶ୍ୱରେ ଶରିଆ ଆଇନ ଲାଗୁ କରାଯିବ ଏବଂ ଇସଲାମ ଓ କୋରାନ୍ ବିରୋଧୀଙ୍କୁ ଆତଙ୍କବାଦୀଙ୍କ କ୍ରୋଧର ଶିକାର ହେବାକୁ ପଡିବ ବୋଲି ଚେତାବନୀ ଦେଇଛି ସଙ୍ଗଠନ ।

ଆଇଏସକେର ପ୍ରବକ୍ତା ନାଜିଫୁଲ୍ଲା ଗଣମାଧ୍ୟମକୁ କହିଛନ୍ତି ଯେ, ପାକିସ୍ତାନକୁ ନଷ୍ଟ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ । ତାଲିବାନ୍ ଶାସନ ପରଠାରୁ ଆଫଗାନିସ୍ତାନର ସ୍ଥିତି ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି । ତାଲିବାନର ଶାସନ ସତ୍ତେ୍ୱ ପାକିସ୍ତାନ ସେଠାରେ ନିଜ ସ୍ଥାନ ଜମାଇଛି । ସେଠାରେ ସରକାର ଗଢିବାରେ ପାକିସ୍ତାନର ହସ୍ତକ୍ଷେପକୁ ଆଦୌ ବରଦାସ୍ତ କରାଯିବ ନାହିଁ ।ଆଇଏସକେ ଏହାର ପ୍ରତିଶୋଧ ନେବ । ପ୍ରଫେଟ୍ ମହମ୍ମଦ ଯେପରି ଢଙ୍ଗରେ ବଞ୍ଚଥିଲେ , ଯେପରି ପୋଷାକ ପିନ୍ଧୁଥିଲେ, ଆଫଗାନିସ୍ତାନର ଲୋକେ ସେପରି ରହିବେ ।

ପାକିସ୍ତାନ ନିଜ ସ୍ୱାର୍ଥ ସାଧନ କରିବାକୁ ତାଲିବାନ୍ ସହ ହାତ ମିଶାଇବା ପରେ ଆଫଗାନିସ୍ତାନ ତଳିତଳାନ୍ତ ହୋଇପଡିଛି ବୋଲି କହିଛନ୍ତି ନାଜିଫୁଲ୍ଲା ।ତାଲିବାନ୍ ଆଫଗାନିସ୍ତାକୁ କବଜା କରିବା ପରେ ଆଇଏସକେ ଏଠାରେ ଆକ୍ରମଣ ବଢାଇବାରେ ଲାଗିଛି । ନିକଟ ଅତୀତରେ ସିୟା ମସଜିଦ ଉପରେ ଆକ୍ରମଣ କରିବାରୁ ଶହଶହ ଲୋକ ପ୍ରାଣ ହରାଇଥିଲେ । ଏହା ପୂର୍ବରୁ କାବୁଲ ଏୟାରପୋର୍ଟ ନିକଟରେ ମଧ୍ୟ ବିସ୍ଫୋରଣ କରିବାରୁ ଅନେକ ଜୀବନ ଯାଇଥିଲା । ତେଣୁ ଅଯଥା ଆଫଗାନିସ୍ତାନରେ ମୁଣ୍ଡ ନଖେଳାଇବାକୁ ପାକିସ୍ତାନକୁ ଚେତାବନୀ ଦେଇଛି ଏହି ଆତଙ୍କବାଦୀ ସଙ୍ଗଠନ ।