କାବୁଲ ପରେ ଇରାକରେ ISIS ଆତଙ୍କୀଙ୍କ ବର୍ବର କାଣ୍ଡ । ୧୩ ପୋଲିସ କର୍ମୀ ସହିଦ ।

164

କନକ ବ୍ୟୁରୋ : ଆଫଗାନିସ୍ତାନ ପରେ ଏବେ ଇରାକରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୁଲିସକର୍ମୀ ସହିଦ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା କୁହାଯାଇଛି । ଆଇଏସଆଇଏସ ଆତଙ୍କବାଦୀମାନେ ଉତ୍ତର ଇରାକର କିରଫୁକ ସହରରେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି । ସେଠାରେ ଥିବା ଏକ ଚେକ୍ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିବା ପରେ ଚେକ୍ ପଏଣ୍ଟରେ ଥିବା ପୁଲିସକର୍ମୀମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସାଧାରଣ ଲୋକ ଓ ପୁଲିସକର୍ମୀ ଗୁରୁତର ହୋଇଛନ୍ତି ।

ଇରାକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏଭଳି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି । ଆଇଏସଆଇଏସ ଆତଙ୍କବାଦୀମାନେ କିଛିଦିନ ହେବ ଇରାକ ସେନା ଓ ପୁଲିସକର୍ମୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହା ଚଳିତ ବର୍ଷ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ହାତ ଥିବା ନିଜେ ସଂଗଠନ ଦାବି କରିଥିଲା । ଏହି ବିସ୍ଫୋରଣରେ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ।