ଆଇଏସଆଇଏସ-କେ ଆତଙ୍କବାଦୀଙ୍କ ଚେତାବନୀ । ପାକିସ୍ତାନକୁ ଧ୍ୱଂସ କରିବା ଆମର ପ୍ରଥମ ଟାର୍ଗେଟ ।

203

କନକ ବ୍ୟୁରୋ : ଆଫଗାନିସ୍ତାନରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ସେଥିପାଇଁ ପାକିସ୍ତାନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି । ବିଶ୍ୱର ଅଧିକାଂଶ ଦେଶ ପରେ ଏବେ ଏକ ଆତଙ୍କୀ ସଙ୍ଗଠନ ମଧ୍ୟ ସମାନ କଥା ଦୋହରାଇଛି । ଆଫଗାନିସ୍ତାନରେ ବମ ବିସ୍ଫୋରଣ ପରେ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଆଫଗାନିସ୍ତାନର ଏଭଳି ଅବସ୍ଥା ପାଇଁ ପାକିସ୍ତାନ ଦାୟୀ ବୋଲି କହିଛି । ଆଉ ଏଥିପାଇଁ ଆଇଏସଆଇଏସ ଟାର୍ଗେଟରେ ପାକିସ୍ତାନ ରହିଥିବା କୁହାଯାଉଛି ।

ଆଇଏସଆଇଏସ-କେ ପକ୍ଷରୁ ଚେତାବନୀ ଦିଆଯିବା ସହ କୁହାଯାଇଛି ଯେ, ଯିଏ ଇସଲାମ ଓ କୁରାନକୁ ବିରୋଧ କରିବ ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନର କୋପର ଶିକାର ହେବାକୁ ପଡିବ । କାରଣ ଆମ ସଙ୍ଗଠନର ଉଦ୍ଦେଶ୍ୟ ହେଉଛି ସିରିଆ ଆଇନ ଲାଗୁ କରିବା । ଆଫଗାନିସ୍ତାନରେ ଥିବା ଆଇଏସଆଇଏସ ଖୁରାସାନର ଏକ ସଦସ୍ୟଙ୍କ କହିବା ଅନୁଯାୟୀ, ଆମ ସଙ୍ଗଠନର ଲକ୍ଷ୍ୟ ପୂରା ପାକିସ୍ତାନକୁ ଧ୍ୱଂସ କରିବା । ଏପରିକି ଆଇଏସଆଇଏସ-କେ ସଙ୍ଗଠନର ସଦସ୍ୟ ମଧ୍ୟ ଆଫଗାନିସ୍ତାନ ଅବସ୍ଥା ପାଇଁ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି ।

ଏବେ ଆଫଗାନିସ୍ତାନରେ ଆଇଏସଆଇଏସ ନିଜର ସ୍ଥିତି ମଜବୁତ କରୁଛି । ତାଲିବାନକୁ ନିଜର ଶତ୍ରୁ ମାନୁଥିବା ଆଇଏସଆଇଏସର ପ୍ରଥମ ଟାର୍ଗେଟ ପାକିସ୍ତାନ ରହିଛି । ତାଲିବାନକୁ ଆଇଏସଆଇଏସ ଏଥିପାଇଁ ଶତ୍ରୁ ମାନୁଛି କାରଣ ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ସରକାର ଥିଲା ସେତେବେଳେ ଇସଲାମ ଶାସନ ଲାଗୁ କରିପାରିଲା ନାହିଁ । ତେଣୁ ସେଥିପାଇଁ ଏବେ ଆଫଗାନିସ୍ତାନରେ ଆଇଏସଆଇଏସ-କେ ନିଜର ସଙ୍ଗଠନକୁ ବିସ୍ତାର କରୁଛି ।

ଆଫଗାନିସ୍ତାନରେ ତାଲିବାନ  ସରକାର ଆସିବା ପରେ ଦେଶର ଅବସ୍ଥା ଅତି ଖରାପ ସ୍ଥିତିରେ ପହଞ୍ଚିଛି । ମାତ୍ର ଦେଢରୁ ଦୁଇ ମାସ ମଧ୍ୟରେ ଆଫଗାନିସ୍ତାନକୁ ତାଲିବାନ ବରବାଦ  କରିଥିବା ନେଇ ଅଭିଯୋଗ କରିଛି ଆଇଏସଆଇଏସ-କେ । ଏହି ଆତଙ୍କବାଦୀ ସଙ୍ଗଠନ କହିଛି ଯେ, ଇସଲାମ ଧର୍ମରେ ପୂର୍ବରୁ ଯେଉଁ ନିୟମ ରହିଥିଲା ତାହାକୁ ଲାଗୁ କରିବାକୁ ଚାହୁଁଛି । କିନ୍ତୁ ଏବେ ଆଫଗାନିସ୍ତାନରେ ସମ୍ମୁଖ ଯୁଦ୍ଧ ଲଢିବାକୁ ଆମ ପାଖରେ ସେଭଳି ଶକ୍ତି ନାହିଁ ।