କନକ ବ୍ୟୁରୋ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ସାଂଘାତିକ ଚାଲ । ସୀମା ସେପାରିରେ ରହି ଦେଶରେ ଉତ୍ତେଜନାମୂଳକ ମାହୋଲ ପାଇଁ ଲଗାତାର ପ୍ରୟାସ କରି ଆସୁଛି ଆଇଏସଆଇ । ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଅଛି । ଆଉ ଏହାକୁ ଏକ ବଡ ସୁଯୋଗ ଭାବି ସାଂଘାତିକ ଷଡଯନ୍ତ୍ର କରୁଛି ଆଇଏସଆଇ । ଉତ୍ତରପ୍ରଦେଶରେ ଆରଏସଏସ ସହ ଜଡିତ କିଛି ନେତାଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି ଆଇଏସଆଇ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଇଏସଆଇ ପଞ୍ଜାବର କିଛି ଅପରାଧୀଙ୍କ ଜରିଆରେ ଉତ୍ତରପ୍ରଦେଶରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛି । ଯେଉଁ ଅସ୍ତ୍ରଶସ୍ତ୍ର ଜରିଆରେ ସଂଘର ନେତାଙ୍କ ଉପରେ ଆକ୍ରମଣ କରିବାକୁ ଆଇଏସଆଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି ।

Advertisment

ଆସନ୍ତାବର୍ଷ ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏଭଳି ସ୍ଥଳେ ଆରଏସଏସ ନେତାଙ୍କ ଉପରେ ଆକ୍ରମଣ କରି ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ମାହୋଲ ସୃଷ୍ଟି କରିବା ସହ ଦଙ୍ଗା କରିବା ପାଇଁ ଆଇଏସଆଇ ଯୋଜନା କରୁଥିବା କୁହାଯାଉଛି । ଜମ୍ମୁ-କାଶ୍ମୀର ଭଳି ପଞ୍ଜାବରେ ମଧ୍ୟ ଦେଶ ବିରୋଧୀ ତତ୍ତ୍ୱକୁ ସହଯୋଗ କରୁଛି ଆଇଏସଆଇ । ଅର୍ଥ ଠାରୁ ଆରମ୍ଭ କରି ବିଭିନ୍ନ ଅସ୍ତ୍ରଶସ୍ତ୍ର ଯୋଗାଉଛି ଆଇଏସଆଇ । ଡ୍ରୋନ ମାଧ୍ୟମରେ ସୀମା ସେପାରିରୁ ଅସ୍ତ୍ରଶସ୍ତ୍ର ଆସୁଛି । ଯାହାକୁ ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶକୁ ପଠାଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଶତ୍ରୁ ଦେଶରୁ ଆସୁଥିବା ବିପଦର ମୁକାବିଲା ସହ ଆତଙ୍କବାଦର ମୁକାବିଲା ପାଇଁ ଗୃହ ମନ୍ତ୍ରାଳୟ ପଞ୍ଜାବରେ ଜଏଣ୍ଟ କାଉଣ୍ଟର ଅପରେସନ ସେଣ୍ଟର ଆରମ୍ଭ କରିବାକୁ ବିଚାରବିମର୍ଷ କରୁଛି । ଯେଉଁଥିରେ ଏନଆଇଏ, ଆଇବି, ଭାରତୀୟ ଗୁଇନ୍ଦା ସଂସ୍ଥା ‘RAW’, ପଞ୍ଜାବ ପୋଲିସକୁ ସାମିଲ କରାଯିବ । ଆଉ ଏମାନଙ୍କ ମିଳିତ ପ୍ରୟାସରେ ଶତ୍ରୁ ଦେଶରୁ ହେଉଥିବା ଷଡଯନ୍ତ୍ରକୁ ପଣ୍ଡ କରାଯିବ ।

ଗତ କିଛିମାସ ହେବ ଖଲିସ୍ଥାନ ସମର୍ଥକଙ୍କ ସହଯୋଗରେ ପଞ୍ଜାବରେ ଯୁବକ ମାନଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରିବାକୁ ଯୋଜନା କରୁଛି ଆଇଏସଆଇ । ଯେଉଁଥିପାଇଁ ଡ୍ରୋନ ଜରିଆରେ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ପଠାଉଛି ଆଇଏସଆଇ । ତେଣୁ ଏମାନଙ୍କର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଗୁଆ ଯୋଜନା ପ୍ରସ୍ତୁତ କରାଯାଉଛି ।