ତାଲିବାନ ପାଇଁ ସମର୍ଥନ ଯୋଗାଡ କରୁଛନ୍ତି ଆଇଏସଆଇ ମୁଖ୍ୟ ,ମିଳିଲା ୬ରାଷ୍ଟ୍ର ଗୁଇନ୍ଦା ମୁଖ୍ୟଙ୍କ ମୌଖିକ ସମର୍ଥନ

182

କନକ ବ୍ୟୁରୋ: ପାକିସ୍ତାନକୁ ଘାରିଛି ତାଲିବାନ୍ ପ୍ରେମ । ତାଲିବାନ ସପକ୍ଷରେ ସମର୍ଥନ ଯୋଗାଡ ଅଭିଯାନରେ ଆଇଏସଆଇ ମୁଖ୍ୟ ଫୈଜ୍ ହମିଦ । ତାଲିବାନ ପାଇଁ ସମର୍ଥନ ବଢାଇବାକୁ ବିଭିନ୍ନ ଦେଶର ଗୁଇନ୍ଦା ମୁଖ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି । ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇର ମୁଖ୍ୟ ଫୈଜ ହମିଦ ଶନିବାର ଋଷ, ଚୀନ , ଇରାନ ଓ ତାଜିକିସ୍ତାନର ,ଉଜବେକିସ୍ତାନ ଓ ତୁର୍କମେନିସ୍ତାନର ଗୁଇନ୍ଦା ମୁଖ୍ୟଙ୍କୁ ଭେଟିଛନ୍ତି । ଆଫଗାନିସ୍ତାନରେ ତାଲିବାନ ସରକାର କିପରି ସ୍ୱାଭାବିକ ହୋଇପାରିବ ଓ ଭବିଷ୍ୟତରେ ଅନ୍ୟ ଦେଶ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ଶାସନକୁ ଦୃଢ କରିପାରିବ ସେ ନେଇ ଆଲୋଚନା କରିଥିବା ଜଣାପଡିଛି ।


ଆଫଗାନିସ୍ତାନରେ କାମଚଳା ତାଲିବାନ ସରକାର ଗଠନ ପରେ ବିଶ୍ୱର ଅନେକ ଦେଶର ବୈଦଶିକ ନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଏହି କ୍ରମରେ ଫୈଜ ହମିଦ ଶନିବାର ଋଷ, ଚୀନ, ଇରାନ ଓ ତାଜିକିସ୍ତାନର ଗୁଇନ୍ଦା ମୁଖ୍ୟଙ୍କୁ ଭେଟି ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି । ନବଗଠିତ କାଲିବାନ ସରକାରରେ କେଉଁ ସଙ୍ଗଠନ ଓ ଦେଶ ଗୁଡିକର ଭୂମିକା ରହିଛି । ତାହା ମଧ୍ୟ ଆଲୋଚନା କରିଛନ୍ତି । ଆଫଗାନିସ୍ତାନକୁ ଏକୁଟିଆ କରିବା ଉଚିତ ନୁହେଁ ଉପସ୍ଥିତି ଗୁଇନ୍ଦା ମୁଖ୍ୟ ମତ ଦେଇ ମୌଖିକ ସମର୍ଥନ କରିଥିବା ପାକିସ୍ତାନର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି । ପାକିସ୍ତାନ ଓ ଚୀନ ଖୋଲାଖୋଲି ତାଲିବାନ ସରକାରକୁ ସମର୍ଥନ କରୁଛନ୍ତି । ଏହା ପୂର୍ବରୁ ବି ତାଲିବାନ ସରକାର ଗଠନ କରିବା ନେଇ ହମିଦ୍ କାବୁଲ ଗସ୍ତ କରି ସେଠାରେ କିଛି ଦିନ ରହିଥିଲେ ।


ସୂଚନା ମୁତାବକ, ତାଲିବାନ୍ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଅର୍ଥନୀତିକୁ ପାକିସ୍ତାନ ନିୟନ୍ତରଣ କରିବାକୁ ଚାହୁଁଥିବା କୁହାଯାଉଛି । ଗୁରୁବାର ଆଫଗାନିସ୍ତାନ ପାଇଁ ପାକିସ୍ତାନ ଅର୍ଥନୈତିକ ଯୋଜନା ମଧ୍ୟ ଘୋଷଣା କରିଛି । ତାଲିବାନ ସହ ପାକିସ୍ତାନୀ ଟଙ୍କାରେ ଦ୍ୱିପାକ୍ଷିକ ବାଣିଜ୍ୟ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । ଅନ୍ୟପଟେ ତାଲିବାନକୁ ସମର୍ଥନ ଦେଇ ଚୀନ ମଧ୍ୟ ନିଜ ସ୍ୱାର୍ଥ ହାସଲ କରିବାକୁ ଚାହୁଁଛି । ଆଫଗାନିସ୍ତାନର ଖଣି ଗୁଡିକ ଉପରେ ଚୀନର ଆଖି ଥିବା ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।