କନକ ବ୍ୟୁରୋ : ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଧରାପଡି ଜେଲରେ ଥିବା ଇଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ବାଲେଶ୍ୱର ଏଡିସନାଲ ସେସନଜଜ କୋର୍ଟ ଇଶ୍ୱର ବେହେରା ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ବଡ ରାୟ ଶୁଣାଇଛନ୍ତି ବିଚାରପତି । ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଇଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ଖଣ୍ଡପୀଠ ଆଜୀବନ କାରଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ଜେଲ ଦଣ୍ଡ ଭୋଗିବେ ଇଶ୍ୱର ବେହେରା । ଭାରତୀୟ ପିଙ୍ଗଲ କୋଡ ୧୨୦-ବି, ୧୨୧ ଓ ୧୨୧-ଏ ଦଫା ସହ ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ର ଉପଧାରା ୩, ୪ ଓ ୫ ଅନୁଯାୟୀ ଇଶ୍ୱର ଦୋଷୀ ସାବ୍ୟସ୍ତ କରାଯାଇଛି ।

Advertisment

ଆବୁଧାବି, ବିହାର, ଆଜମେର, କଲିକତାରୁ ଇଶ୍ୱର ବେହେରାଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଂଟରେ ହୋଇଥିବା ଡିପୋଜିଟ୍ ଏବଂ ଆସିଥିବା ମନିଅର୍ଡର, ତା ସହ କଥାବାର୍ତାର ଅଡିଓ ଆଦି ପ୍ରମାଣକୁ ଯାଂଚ କରି କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋ ଗ୍ରାଫର ଭାବେ କାମ କରୁଥିଲେ ଇଶ୍ୱର ବେହେରା । ତେବେ ପଡୋଶୀ ପାକିସ୍ତାନର ଆଇଏସଆଇକୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିଥିଲେ । ଅନ୍ୟପଟେ ଇଶ୍ୱରଙ୍କ ଓକିଲ କହିଛନ୍ତି, ସମସ୍ତ ତଥ୍ୟରେ ଦେଶଦ୍ରୋହ ପ୍ରମାଣିତ ହେଉନାହିଁ, ସେସନ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିବେ ।

କିଏ ଏହି ଇଶ୍ୱର ବେହେରା ?
କେମିତି ପାକିସ୍ତାନକୁ ଆଇଟିଆର ଚାନ୍ଦିପୁରରୁ ପଠାଉଥିଲା ଗୁପ୍ତ ତଥ୍ୟ ?
କେମିତି ଆସିଥିଲେ ପାକିସ୍ତାନ ଏଜେଂଟ ଆସିଫ୍ ଅଲ୍ଲୀ ଖାଁ ନେଟୱର୍କକୁ ?

ଇଶ୍ୱର ବେହେରା ଆଇଟିଆରରେ ଅସ୍ଥାୟୀ ଫଟୋଗ୍ରାଫର ଭାବେ କାମ କରୁଥିଲେ । ଚାନ୍ଦିପୁର ଆଇଟିଆର ଏବଂ ହ୍ୱିଲର ଦୀପରେ କ୍ଷେପଣାସ୍ତ୍ର ଉତ କ୍ଷେପଣ ସମୟରେ ଏହାର ଭିଡିଓ କରିବା ଓ ଫଟୋ ଉଠାଉଥିଲା ଇଶ୍ୱର ବେହେରା । ଏହି ସମୟରେ ଆଇଟିଆରର କାର୍ଯ୍ୟକ୍ରମକୁ ନେଇ ସବୁ ତଥ୍ୟ ସଂଗ୍ରହ କରୁଥିଲା ସେ । ତାର ନିଜ ଘରେ ଏକ ଫଟୋ ଷ୍ଟୁଡିଓ ବି ଥିଲା । ଯେଉଁଠାରୁ ସେ ବିଭିନ୍ନ ଫଟୋ ଓ ଭିଡିଓକୁ ଏଡିଟ୍ କରି ପାକିସ୍ତାନ ଏଜେଂଟ ପାଖକୁ ପଠାଉଥିଲା । ତେବେ ୯ ନଂବର ବିଶିଷ୍ଟ ମୋବାଇଲ୍ ନଂବର ସହିତ ବାରମ୍ୱାର ସଂପର୍କ ଏବଂ ତାହାର ବ୍ୟାଙ୍କ ଆକାଉଂଟରୁ ଟଙ୍କା ପାଇବା ଘଟଣାକୁ ନେଇ ଜାତୀୟ ଗୁଇନ୍ଦା ବିଭାଗ ସନ୍ଦେହ ଘେରକୁ ଆସିଯାଇଥିଲା ସେ । ବିଦେଶୀ ଗୁପ୍ତଚରଙ୍କୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଲିକ୍ କରାଉଥିବା ଜାତୀୟ ଗୁଇନ୍ଦା ସଂସ୍ଥା , ରାଜ୍ୟ ଗୁଇନ୍ଦା ସଂସ୍ଥାକୁ ଅବଗତ କରାଇଥିଲା ।

ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ , ମିସାଇଲ୍ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆମର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ସେଥିପାଇଁ ତାହାର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ବି ରହିଥିଲା । ଆଇଟିଆରରେ ଫଟୋଗ୍ରାଫର ଥିବାରୁ ବିଭିନ୍ନ ସମୟରେ ବୈଜ୍ଞାନିକ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣ ସହିତ ଜଡିତ କର୍ମଚାରୀଙ୍କ ସହ କଥା ହୋଇପାରୁଥିଲା । ଅଧିକ ତନାଘନା ପରେ ଇଶ୍ୱର ବେହେରା, ପାକିସ୍ତାନ ଗୁପ୍ତଚରଙ୍କୁ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ୨୦୧୫ ଜାନୁଆରୀ ୨୪ ତାରିଖରେ ଚାନ୍ଦିପୁର ଥାନାରେ ଏତଲା ରୁଜୁ କରାଯିବା ସହ ଗିରଫ କରାଯାଇଥିଲା । ପରେ ଏହି ସଂବେଦନଶୀଳ ମାମଲା କ୍ରାଇମବ୍ରାଂଚ ହାତକୁ ଯାଇଥିଲା ।

ତଦନ୍ତ ବେଳେ ଜଣାପଡିଥିଲା ଇଶ୍ୱର ବେହେରା ବ୍ୟାଙ୍କ ଖାତାକୁ ମୁମ୍ୱାଇ, ଆବୁଧାବି, ମିରଟ, ପଂଜାବ, ବିହାର ଆଦି ସ୍ଥାନରୁ ଇଂଟରନେଟ୍ ଟ୍ରାନ୍ସଫର ଜରିଆରେ ଟଙ୍କା ଆସିଛି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମିରଟର ଆସିଫ୍ ଅଲ୍ଲୀ ଖାଁକୁ ଚାନ୍ଦିପୁର ଅଣାଯାଇ ପଚରାଉଚରା ପରେ ପୁରା କାହାଣୀରୁ ପରଦା ହଟିଥିଲା । ପାକିସ୍ତାନରେ ବେଆଇନ୍ ଭିସା ମାମଲାରେ ଗିରଫ ହୋଇଥିଲା ଆସିଫ ଅଲୀ । ଭାରତ ସମ୍ପର୍କରେ ତଥ୍ୟ ଦେବାକୁ ପ୍ରତିଶ୍ରୁତିକୁ ଗ୍ରହଣ କରିବା ପରେ ତାକୁ ପାକ୍ ଜେଲରୁ ଛାଡିଥିଲା ଆଇଏସଆଇ । ମୁକୁଳିବା ପରେ ସେ ପାକ୍ ଗୁପ୍ତଚର ଭାବେ କାମ କରୁଥିଲା । ଆଇଟିଆରରେ ଇଶ୍ୱର ବେହେରାକୁ ତାର ନେଟୱର୍କରେ ସାମିଲ କରାଇଥିଲା ଆସିଫ୍ ଅଲ୍ଲୀ ଖାଁ ।