କନକ ବ୍ୟୁରୋ : ଚଳିତ ଆଇପିଏଲ ପାଇଁ ମହାନିଲାମୀ ଶେଷ ହୋଇଛି । ଆଉ ଏହି ମହାନିଲାମୀରେ ଇଶାନ କିଷାନ ସବୁଠୁ ଦାମୀ ଖେଳାଳୀ ସାଜିଛନ୍ତି । ଇଶାନଙ୍କୁ ୧୫.୨୫ କୋଟି ଟଙ୍କାରେ ମୁମ୍ବାଇ ପୁଣିଥରେ ନିଜ ଟିମରେ ସାମିଲ କରିଛି । ଆଇପିଏଲରେ ବିଧ୍ୱଂସୀ ଇନିଂସ ଖେଳିବାରେ ମହାରଥ ହାସଲ କରିଥିବା ଇଶାନଙ୍କୁ କିଣିବାକୁ ଅନେକ ଫ୍ରାଞ୍ଚାଇଜ କିଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ବାଜି ମାରିଥିଲା ମୁ୍ମ୍ବାଇ । ତେବେ ଏହି ନିଲାମୀ ପ୍ରକ୍ରିୟା ଚାଲିଥିବା ବେଳେ ବେଶ ଚିନ୍ତାରେ ଥିଲେ ଇଶାନ । ଏପରିକି କିଛି ସମୟ ପାଇଁ ମୋ ହୃତସ୍ପନ୍ଦନ ବନ୍ଦ ହୋଇଯାଇଥିଲା ବୋଲି କହିଛନ୍ତି ଇଶାନ ।
ଇଶାନ କହିଛନ୍ତି, ମୁଁ ଜାଣିଥିଲି ମୁମ୍ବାଇ ମୋ ପାଇଁ ନିଲାମୀ ଡାକିବ । ଏହା ମୋ ପାଇଁ ଚିନ୍ତାଜନକ ନଥିଲା । କିନ୍ତୁ ଏତେ ଟଙ୍କାରେ ଟିମରେ ସାମିଲ କରିବ ତାହା ମୋ ପାଇଁ ଚିନ୍ତାର କାରଣ ପାଲଟିଥିଲା । କାରଣ ଅନ୍ୟ ଖେଳାଳୀଙ୍କୁ କିଣିବା ପାଇଁ ମଧ୍ୟ ଟଙ୍କା ବଞ୍ଚାଇବାର ଆବଶ୍ୟକତା ରହିଥିଲା । ତେବେ ଏଭଳି ସ୍ଥିତିରେ ଗୋଟିଏ କ୍ଷଣ ପାଇଁ ମୋ ହୃତସ୍ପନ୍ଦନ ଅଟକି ଗଲା ଭଳି ଲାଗିଲା ।
ଏହାସହ ଇଶାନ କହିଛନ୍ତି, ମୁମ୍ବାଇ ଟିମକୁ ଫେରିବା ପଛରେ ଅନେକ କାରଣ ଥିଲା । ମୁମ୍ବାଇ ଫ୍ରାଞ୍ଚାଇଜ ମୋତେ ଭଲ ଭାବେ ପରଖିଛନ୍ତ ଓ ମୋ ଖେଳକୁ ବୁଝିଛନ୍ତି । ଏପରିକି ସମପରିମାଣରେ ମୁଁ ମଧ୍ୟ ମୋ ଫ୍ରାଞ୍ଚାଇଜକୁ ଭଲ ଭାବେ ଜାଣିଛି । ଯେହେତୁ ଏହି ପରିବାର ସହ ମୁଁ ଯୋଡି ହୋଇ ରହିଛି ତେଣୁ ଅନ୍ୟ କୌଣସି ଦଳକୁ ନଯିବା ନେଇ ନିଶ୍ଚିତ ଥିଲି । ମୁମ୍ବାଇ ଟିମ୍ ସହ ଦୀର୍ଘ ୪ ବର୍ଷ ହେବ ଯୋଡି ହୋଇ ରହିଛି । ଦଳର ପ୍ରତି ସଦସ୍ୟଙ୍କ ସହ ମୁଁ ଭଲ ଭାବେ ଯୋଡି ହୋଇଛି । ଆମ ଦଳରେ ପରସ୍ପର ପ୍ରତି ସମ୍ମାନ ରହିଛି ଏବଂ ମିଳିତ ଭାବେ ୨ଟି ଟାଇଟଲ ମଧ୍ୟ ଜିତିଛୁ । ତେଣୁ ଅନ୍ୟ କେଉଁ ଫ୍ରାଞ୍ଚାଇଜକୁ ଯିବାକୁ ଚାହେଁନାହିଁ ।
ଇଶାନ କହିଛନ୍ତି, ମୁମ୍ବାଇ ଫ୍ରାଞ୍ଚାଇଜ ସବୁବେଳେ ମୋତେ ସହଯୋଗ କରିଛି ଓ ସାଥୀରେ ଛିଡା ହୋଇଛି । ବାସ୍ ମୋତେ ସବୁବେଳେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଯେଉଁଭଳି ମୁମ୍ବାଇ ଫ୍ରାଞ୍ଚାଇଜ ମୋ ଉପରେ ବିଶ୍ୱାସ କରିଛି ଓ ମୋର ଭବିଷ୍ୟତ ବାବଦରେ ଚିନ୍ତା କରିଛି, ପ୍ରତିବଦଳରେ କେବଳ କଠିନ ପରିଶ୍ରମ ବଦଳରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଇଶାନ କିଷାନ ଗୁଜୁରାଟ ଲାଏନ୍ସ ପକ୍ଷରୁ ଆଇପିଏଲ ପଦାର୍ପଣ କରିଥିଲେ । ଏହାପରେ ୨୦୧୮ରେ ମୁମ୍ବାଇ ଇଣ୍ଡିଆନ୍ସ ୬.୨ କୋଟି ଟଙ୍କାରେ ଇଶାନଙ୍କୁ କିଣିଥିଲା । ମୁମ୍ବାଇ ପାଇଁ ଇଶାନ ଏଯାବତ୍ ୪୧ଟି ମ୍ୟାଚରୁ ୧୧୩୩ ରନ କରିଥିଲେ । ୨୦୨୦ ଆଇପିଏଲରେ ୧୪ ମୁକାବିଲାରୁ ୫୧୬ ରନ ସହ ମୁମ୍ବାଇ ପାଇଁ ସର୍ବାଧିକ ରନ୍ କରିଥିବା ଖେଳାଳୀ ସାଜିଥିଲେ ଇଶାନ କିଷାନ ।