କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟ ସହ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ତେବେ ଏହି ସିରିଜ ବିଜୟ ଭାରତକୁ ଯେତିକି ଖୁସି ଆଣି ଦେଇଛି ତାହା ଠାରୁ ଅଧିକ ଚିନ୍ତା ବଢାଇ ଦେଇଛି । କାରଣ ଦ୍ୱିତୀୟ ଟି-୨୦ ମୁକାବିଲାରେ ଭାରତର ଷ୍ଟାର କ୍ରିକେଟର ଇଶାନ କିଷାନଙ୍କ ହେଲମେଟରେ ବାଉନ୍ସର ବାଜିଥିଲା । ଇଶାନ ମାତ୍ର ୧୬ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ତାଙ୍କ ହେଲମେଟରେ ବଲ ବାଜିବା ଟିମ୍ ଇଣ୍ଡିଆର ଚିନ୍ତାକୁ ବଢାଇ ଦେଇଛି ।

Advertisment

ମ୍ୟାଚର ଚତୁର୍ଥ ଓଭରରେ ଇଶାନ ୧୪ ରନରେ ବ୍ୟାଟିଂ କରୁଥିବା ବେଳେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାହିରୁ କୁମାରାଙ୍କ ଏକ ବାଉନ୍ସର ବଲ ଇଶାନ କିଷାନଙ୍କ ହେଲମେଟରେ ବାଜିଥିଲା । ଆଉ ତତକ୍ଷଣାତ ହେଲମେଟ ଓହ୍ଲାଇ ପଡିଆ ମଝିରେ ବସି ପଡିଥିଲେ ଇଶାନ । ଏହାପରେ ତୁରନ୍ତ ଭାରତର ଫିଜିଓ ପଡିଆରେ ପହଞ୍ଚି କିଛି ସମୟ ପାଇଁ ଇଶାନଙ୍କର ଚିକିତ୍ସା କରିଥିଲେ । ଆଉ ପରେ ପୁଣିଥରେ କ୍ରିଜକୁ ଫେରିଥିଲେ ଇଶାନ । କିନ୍ତୁ ନିଜ ସ୍କୋର ବୋର୍ଡରେ ଆଉ ୨ ରନ୍ ଯୋଡିବା ପରେ ଲାହିରୁ କୁମାରାଙ୍କ ଶିକାର ବନିଥିଲେ ଇଶାନ ।

ମିଳିଥିବା ସୂଚନା ମୁତାବକ, ମ୍ୟାଚ୍ ପରେ ଇଶାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଏବେ ଇଶାନ ସୁସ୍ଥ ଥିବା ସୂଚନା ମିଳିଥିବା ବେଳେ ଆଜି ମ୍ୟାଚରେ ମୈଦାନକୁ ଓହ୍ଲାଇବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ । କେବଳ ଇଶାନ ନୁହଁନ୍ତି ଶ୍ରୀଲଙ୍କାର ବ୍ୟାଟର ଦିନେଶ ଚାଣ୍ଡିମଲ ବି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚାଣ୍ଡିମଲ ଦ୍ୱିତୀୟ ଟି-୨୦ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ଇଶାନ ଯଦି ଆଜି ମୈଦାନକୁ ନ ଓହ୍ଲାନ୍ତି ତେବେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ । ଏହାବାଦ୍ ଯେହେତୁ ଭାରତ ସିରିଜ ବିଜୟୀ ହୋଇ ସାରିଛି ତେଣୁ ତୃତୀୟ ମ୍ୟାଚରେ ଅନ୍ୟ ଖେଳାଳୀଙ୍କୁ ସୁଯୋଗ ମିଳିପାରେ । ଯେଉଁମାନଙ୍କ ମଧ୍ୟରେ ରବି ବିଷ୍ଣୋୟୀ, କୁଳଦୀପ ଯାଦବ, ଅଭେଶ ଖାନ୍, ମହମ୍ମଦ ସିରାଜ ରହିଛନ୍ତି । ତେଣୁ ରୋହିତ କାହାକୁ ତୃତୀୟ ଟି-୨୦ରେ ମୈଦାନକୁ ଓହ୍ଲାଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।