କନକ ବ୍ୟୁରୋ : ଚଳିତ ଆଇପିଏଲରେ ମୁମ୍ବାଇ ଲଗାତାର ୮ମ ପରାଜୟ ସହ ପ୍ଲେ ଅଫ୍ ଦୌଡରୁ ଏକପ୍ରକାର ବାଦ୍ ପଡି ସାରିଛି । ଚଳିତଥର ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଏଯାବତ ଜାରି ରହିଛି । ଆଇପିଏଲ ଇତିହାସରେ ସର୍ବାଧିକ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବେ ବିଜୟ ପାଇଁ ସଂଘର୍ଷ କରୁଛି । ୮ମ ପରାଜୟ ସହ ଦଳ ଏବେ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଛି । ଆଉ ଏହି ପରାଜୟ ସହ ନୂଆ ରେକର୍ଡ କରିଛି ମୁମ୍ବାଇ । କ୍ରମାଗତ ୮ଟି ପରାଜୟ ଏଯାଏଁ ଆଇପିଏଲ ଇତିହାସରେ କୌଣସି ଦଳ କ୍ଷେତ୍ରରେ ଦେଖିବାକୁ ମିଳିନଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦୟନୀୟ ପ୍ରଦର୍ଶନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ଅବସ୍ଥା । ଚଳିତ ଆଇପିଏଲରେ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଖେଳାଳୀ ମୁମ୍ବାଇ ପାଖରେ ଥିଲେ ଦଳର ପ୍ରଦର୍ଶନରେ ସୁଧାର ଆସିନାହିଁ । ମହାନିଲାମୀରେ ଅଧିକ ଦାମରେ ବିକ୍ରି ହୋଇଥିବା ଇଶାନ କିଷାନ ସମ୍ପୂର୍ଣ୍ଣ ଭାବେ ନିରାଶ କରିଥିବା ବେଳେ ବ୍ୟାଟରୁ ସେଭଳି ବଡ ସ୍କୋର ଦେଖିବାକୁ ମିଳୁନାହିଁ । ଏବେସୁଦ୍ଧା ଇଶାନ କିଷାନ ୮ଟି ମ୍ୟାଚରୁ ମାତ୍ର ୧୯୯ ରନ୍ କରିବାକୁ ସକ୍ଷମ ହୋଇଛନ୍ତି ।
ଚଳିତ ଆଇପିଏଲରେ ଇଶାନ ପ୍ରଥମ ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସହ ୨ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୮୧ ଓ ୫୪ ରନର ଇନିଂସ ଖେଳିଥିବା ବେଳେ ବଳକା ୬ଟି ମ୍ୟାଚରେ ଯଥାକ୍ରମେ ୧୪, ୨୬, ୩, ୧୩, ୦ ଓ ୮ ରନ କରିଥିଲେ । ଅଥାର୍ତ ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବା ସହ ଇଶାନଙ୍କ ପ୍ରଦର୍ଶନର ଗ୍ରାଫ୍ ତଳକୁ ଖସିଥିବାର ଦେଖିବାକୁ ମିଳିଛି । ଆଉ ଯଦି ଇଶାନ କିଷାନଙ୍କ ପାରିଶ୍ରମିକ ହିସାବକୁ ନିଆଯାଏ ତେବେ ଏବେ ସୁଦ୍ଧା ଇଶାନଙ୍କ ପ୍ରତିଟି ରନର ମୂଲ୍ୟ ୭.୬୬ ଲକ୍ଷ ଟଙ୍କା ରହିଛି । କାରଣ ଚଳିତ ମହାନିଲାମୀରେ ଇଶାନଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ । ଆଉ ଏହି ହିସାବରେ ଇଶାନଙ୍କ ରନ୍ ପିଛା ଦାମ ୭.୬୬ ଲକ୍ଷ ଟଙ୍କା ରହିଛି ।