କନକ ବ୍ୟୁରୋ: ଧିରେ ଧିରେ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ଆଗରୁ ଚାବି ପକାଇ ବାହାରକୁ ଯିବାକୁ ଡର ଲାଗୁଥିଲା, ଏବେ ଘରେ ଥିଲେ ବି ଚୋରିର ଭୟ । ଖଣ୍ଡଗିରି ତାଳବଣିଆ ଅଞ୍ଚଳରେ ହୋଇଛି ଏମିତି ଏକ ଚୋରି । ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା ।

Advertisment
  • ଆତଙ୍କ ଖେଳାଉଛନ୍ତି କପବୋର୍ଡ ତଡା ଲୁଟେରା
  • ରାଜଧାନୀବାସୀଙ୍କ କୋକୁଆ ଭୟ

ଭୁବନେଶ୍ୱରବାସୀଙ୍କ ଛାତି ଥରାଉଛନ୍ତି ଲୁଟେରା । ଏବେ ଆଉ ଏକୁଟିଆ ଘର ନୁହେଁ ବରଂ ସିଧାସଳଖ ଘର ଭିତରେ ପଶି ଲୁଟିବାକୁ ପଛାଉନାହାଁନ୍ତି । ଘରର ବେଡରୁମରେ ମାଲିକ ଶୋଇଥିବା ବେଳେ, ଘରେ ପଶି କଳାକନା ବୁଲାଇ ଆତଙ୍କ ଖେଳାଇଛନ୍ତି କପବୋର୍ଡ ତଡା ଗ୍ୟାଙ୍ଗ । ଏ ଏମିତି ଏକ ଘଟଣା ଯାହା ପ୍ରଥମ ଥର ପାଇଁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧିନ ତାଳବଣିଆ ଅଞ୍ଚଳରେ ଦେଖିବାକୁ ମିଳିଛି ।

ଲେନ ୬, ପ୍ଲଟ ନମ୍ବର ୧୮୭୯ରେ ରୁହନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦେଶକ ଛୋଟେଲାଲ ଶର୍ମା ଓ ତାଙ୍କ ପତ୍ନୀ । ବଡି ଭୋରରୁ ଲୁଟେରାମାନେ ଘର ଭିତର ପଶି ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ବେଳେ, ଦେଢ ଲକ୍ଷରୁ ଅଧିକ ନଗଦ ଟଙ୍କା ଏବଂ ଦାମୀ ଜିନିଷ ନେଇ ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃ୍ଷ୍ଟି ହୋଇଛି ।

ସବୁଠୁ ବଡ କଥା ହେଉଛି ବେଡରୁମ ଏବଂ ଘରର ମୁଖ୍ୟ ଦ୍ୱାର ସମ୍ପୁର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଲୁଟେରା ମାନେ ବିନା କୌଣସି ଭଙ୍ଗାରୁଜାରେ ଘର ଭିତରେ ପଶିଛନ୍ତି । ଆଉ ଅତି ଚତୁରତାର ସହ କପବୋର୍ଡ ଚାବି ଖୋଲି ସବୁ ଲୁଟି ନେଇଛନ୍ତି । ଏହି କପବୋର୍ଡ ତଡା ଲୁଟେରାଙ୍କୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଥିବା ଡିସିପି କହିଛନ୍ତି । ପୂର୍ବରୁ ଲୁଟେରାମାନେ ଏକୁଟିଆ ଖାଲି ଘର ଦେଖି ଲୁଟପାଟ କରୁଥିଲେ । କିନ୍ତୁ ଏବେ ଘରେ ଲୋକଥିବା ଅବସ୍ତାରେ ଘରେ ପଶି ଲୁଟୁଛନ୍ତି । ଲୁଟେରାଙ୍କ ଏଭଳି ଉତ୍ପାତ ଦେଖି ଏବେ ତ୍ରାହି ତ୍ରାହି ଡାକିଲେଣି ରାଜଧାନୀବାସୀ । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା, ଭୁବନେଶ୍ୱରରେ ଆଉ ରହି ହେବନି ।