ବହୁ ଚର୍ଚ୍ଚିତ ଇସରତ୍ ଜାହାଁ ଏନକାଉଣ୍ଟର ମାମଲା । ସିବିଆଇ ସ୍ୱତନ୍ତ୍ର କୋର୍ଟ କହିଲା ଲସ୍କର ଆତଙ୍କବାଦୀ ଥିଲେ ଇସରତ୍ । ମାମଲାରୁ ମୁକୁଳିଲେ ୩ ପୋଲିସ ଅଧିକାରୀ ।

173

କନକ ବ୍ୟୁରୋ : ଇସରତ ଜାହାଁ ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା କ୍ରାଇମବ୍ରାଞ୍ଚର ୩ ଜଣ ଅଧିକାରୀ (ତରୁଣ ବାରେଟ୍, ଅଞ୍ଜୁ ଚୌଧୁରୀ ଓ ଗିରୀସ୍ ସିଂଘଲ) ଙ୍କୁ ଦୋଷମୁକ୍ତ କରାଯାଇଛି । ଏହି ୩ ଅଧିକାରୀଙ୍କୁ ଦୋଷମୁକ୍ତ କରିବା ସହ କୋର୍ଟ କହିଥିଲେ କି ଇସରତ ଜାହାଁ ଲସ୍କର ଏ ତୋଇବାର ଜଣେ ଆତଙ୍କବାଦୀ ଥିଲେ । କୋର୍ଟ ଆହୁରି କହିଛନ୍ତି କି କ୍ରାଇମବ୍ରାଞ୍ଚର ଏହି ୩ ଜଣ ଅଧିକାରୀ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚାନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେମାନେ ଯାହା କରିବାର ଥିଲା ତାହା ହିଁ କରିଛନ୍ତି ବୋଲି କୋର୍ଟ କହିଥିଲେ ।

କହିରଖୁ କି ଇସରତ୍ ଜାହାଁ ଓ ତାଙ୍କର ୩ ଜଣ ସହଯୋଗୀ ଜାବେଦ୍ ଶେଖ୍, ଅମଜଦ୍ ଅଲ୍ଲୀ ଓ ଜୀଶାନ ଜୌହର କୁ କ୍ରାଇମବ୍ରାଞ୍ଚ ୨୦୦୪ ଜୁନ୍ ମାସରେ ଏନକାଉଣ୍ଟର କରିଥିଲା । ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଗୁଜୁରାଟର ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ପି.ପି ପାଣ୍ଡେ, ପୂର୍ବତନ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ମୁଖ୍ୟ ଡି.ଜି ବଞ୍ଜାରା ଓ ପୋଲିସ ଉପାଧ୍ୟକ୍ଷ ଏନ.କେ ଅମିନ୍ ଙ୍କୁ ବି ଅଭିଯୁକ୍ତ ଭାବେ ଗିରଫ୍ କରାଯାଇଥିଲା । ହେଲେ ସେମାନେ ଏହି ମାମଲାରୁ ପୂର୍ବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ମୁକୁଳି ସାରିଛନ୍ତି ।