ଆପଣ ପିନ୍ଧୁଥିବା ଏନ-୯୫ ମାସ୍କ ଅସଲି ନା ନକଲି ? କେମିତି ଜାଣିବେ ?

257

କନକ ବ୍ୟୁରୋ : କରୋନାର ବିପଦ ପୁଣି ଥରେ ଆସିଯାଇଛି । କିଛି ଦିନ ପୂର୍ବରୁ ଅଧିକାଂଶ ଲୋକ ମାସ୍କ ପିନ୍ଧିବା ଛାଡିଦେଇଥିବାବେଳେ ଏବେ ପୁଣି ମାସ୍କ ପିନ୍ଧୁଛନ୍ତି । କରୋନାକୁ ଏଡାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । କୋଭିଡକୁ ଏଡାଇବା ପାଇଁ, ହାତ ଧୋଇବା ବ୍ୟତୀତ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାସ୍କ ପିନ୍ଧିବା । ତେବେ ଏନ-୯୫ ମାସ୍କ ପିନ୍ଧିବା ଉପରେ ଜୋର ଦିଆଯାଉଛି । ତେବେ ଏହି ମାସ୍କଗୁଡ଼ିକ ବଜାରରେ ମିଳୁଥିବା ଅନ୍ୟ ମାସ୍କ ଅପେକ୍ଷା ଅଧିକ ମୂଲ୍ୟର ହୋଇଥିବାବେଳେ ଏବେ ପ୍ରଶ୍ନ ଉଠୁଛି ଆପଣ ନକଲି ଏନ-୯୫ ମାସ୍କ ବ୍ୟବହାର କରୁନାହାନ୍ତି ତ ? ଏପରି ପରିସ୍ଥିତିରେ, ଯଦି ଆପଣ ଏହାକୁ ଯାଞ୍ଚ ନକରି ଏକ ନକଲି ଏନ-୯୫ ମାସ୍କ ବ୍ୟବହାର କରୁଛନ୍ତି, ତେବେ ଆପଣ ନିଜ ଜୀବନକୁ ବିପଦରେ ପକାଉଛନ୍ତି ।

ଏହାର କାରଣ ହେଉଛି ଆପଣ ନକଲି ମାସ୍କ ପିନ୍ଧୁଥିଲେ, ଭୂତାଣୁ ସହଜରେ ଆପଣଙ୍କ ଶରୀରରେ ପ୍ରବେଶ କରିବାର ସୁଯୋଗ ପାଇଯାଆନ୍ତି । ଅଧିକାଂଶ ଡାକ୍ତର ଏନ-୯୫ ମାସ୍କ କିମ୍ବା ଡବଲ୍ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଉଛନ୍ତି । ତେବେ ଆପଣ କିଭଳି ଅସଲି ଓ ନକଲି ଏନ-୯୫ ମାସ୍କ ଜାଣିପାରିବେ ସେକଥା ବିଶେଷଜ୍ଞ କହିଛନ୍ତି । ବିଶେଷଜ୍ଞ କହିଛନ୍ତି ଯେ ଏହି ମାସ୍କ ମୁହଁରେ ସମ୍ପୂର୍ଣ୍ଣ ଫିଟ୍ ହୋଇଥାଏ । ଏହି ମାସ୍କ ମୁହଁକୁ ଚାରିପଟୁ ବନ୍ଦ କରିଦେଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣ ଆପଣଙ୍କର ମାସ୍କ ଅସଲି କିମ୍ବା ନକଲି ତାହା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏକ ଚଷମା ପିନ୍ଧନ୍ତୁ ଏବଂ ନିଶ୍ୱାସ ନିଅନ୍ତୁ । ମାସ୍କ ଲଗାଇବା ପରେ ଯଦି ଚଷମାରେ ଜଳୀୟବାଷ୍ପ ଯୋଗୁଁ ଝାପସା ଦେଖାଯାଏ, ଏହାର ଅର୍ଥ ହେଉଛି ବାୟୁ ଅତିକ୍ରମ କରୁଛି ଏବଂ ଆପଣଙ୍କର ମାସ୍କ ନକଲି ହୋଇପାରେ ।