ଆପଣଙ୍କ ପିଲା ବି ସ୍ମାର୍ଟଫୋନରେ ବ୍ୟସ୍ତ ରହୁଛି କି? କେମିତି ଏଥିରୁ ତାଙ୍କୁ ଦୂରେଇ ରଖିବେ ଜାଣନ୍ତୁ ଉପାୟ…

1,103

କନକ ବ୍ୟୁରୋ: ସକାଳୁ ଉଠିବାରୁ ନେଇ ରାତିରେ ଶୋଇବା ଯାଏ । ମୋବାଇଲ ହେଉଛି ଆମ ସମସ୍ତଙ୍କ ଜୀବନର ଗୋଟିଏ ପ୍ରମୁଖ ଅଂଶ । ଏହା ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦ ସୃଷ୍ଟିକାରୀ ମଧ୍ୟ । ବିଶେଷ କରି ଶିଶୁମାନଙ୍କ ପାଇଁ ଏହା ଅନେକ ବିପଦ ଆଣିପାରେ । ଆଜିର ଏହି ଭିଡିଓରେ ଆମେ ଜାଣିବା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ମୋବାଇଲ ଦ୍ୱାର ପଡୁଥିବା ପ୍ରଭାବ ଉପରେ । କେମିତି ଏଥିରୁ ସେମାନଙ୍କୁ ରକ୍ଷା କରାଯାଇପାରିବ ।

ପିଲାମାନଙ୍କ ଉପରେ ଅନଲାଇନ ମୋବାଇଲ ଗେମର ବେସ ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି । କିଏ କମ୍ପ୍ୟୁଟର ସ୍କ୍ରିନରେ ତ କିଏ ମୋବାଇଲରେ ଅନଲାଇନ ଗେମ ଖେଳିବାରେ ବ୍ୟସ୍ତ ରହୁଛି । ଘଣ୍ଟା ଘଣ୍ଟା ଧରି ସମସ୍ତେ ଏହା ଭିତରେ ସତେ ଯେମିତି ପସିରହୁଛନ୍ତି । ଆପଣ ଜାଣିଛନ୍ତି କି ଗେମ ଖେଳିବା ସମୟରେ ପିଲାମାନଙ୍କ ମସ୍ତିଷ୍କରୁ ଡୋପାମାଇନ ନିର୍ଗତ ହୋଇଥାଏ । ଯାହା ହେଉଛି ଫିଲ୍ ହାପି ନ୍ୟୁରୋ ଟ୍ରାନସମିଟର । ଯିଏ ଅଧିକ ସମୟ ଗେମ ଖେଳିଥାଏ ତାଙ୍କୁ ଡୋପାମାଇନର ଅଭ୍ୟାସ ହୋଇଯାଇଥାଏ । ଏହା ଦ୍ୱାରା ତାକୁ ଅନ୍ୟ କୌଣସି ଜିନିଷରୁ ଖୁସି ମିଳିନଥାଏ । ସ୍ମାର୍ଟ ଫୋନ ପିଲାମାନଙ୍କ ପାଇଁ ଏତେ ବିପଦକାରୀ ଯେ ଏହାର ଅଧିକ ବ୍ୟବହାର ଦ୍ୱାରା କ୍ୟାନସର ବି ହୋଇପାରେ । କାହିଁକି ନା ଏଠାରୁ ନିର୍ଗତ ରେଡିଏସନ ଦ୍ୱାରା ପିଲାଙ୍କ ବ୍ରେନରେ ଥିବା ସେଲ କ୍ଷତିଗ୍ରସ୍ତ ହୋଇଥାଏ । ଏହା ଦ୍ୱାରା ମସ୍ତିଷ୍କକୁ ଅକ୍ସିଜେନ ବା ଅମ୍ଳଜାନ ପହଞ୍ଚିପାରି ନଥାଏ । ଏହା ଦ୍ୱାରା କେବଳ ମସ୍ତିଷ୍କ ନୁହେଁ ପୂରା ଶରୀରକୁ ଏହା କ୍ଷତିଗ୍ରସ୍ତ କରିଥାଏ ।
ଯେମିତି ପିଲାମାନଙ୍କ ଶୋଇବାର ସମୟରେ ପରିବର୍ତ୍ତନ । ଆଖିରେ ପୋଡାଜଳା, ଆଖି ଶୁଖିଯିବା । ସ୍ମରଣ ଶକ୍ତି ହ୍ରାସ । ଏକାଗ୍ରତା ରଖିବାରେ ଅସୁବିଧା ହୋଇଥାଏ । କେବଳ ଏହା ନୁହେଁ ଆମର ଭାବନା ଶକ୍ତି ମଧ୍ୟ ହ୍ରାସ ପାଇଥାଏ ।

ତେବେ ଆପଣ କେମିତି ଜାଣିବେ ଯେ ଆପଣଙ୍କ ପିଲାମାନଙ୍କୁ ମୋବାଇଲ କିମ୍ବା ଅନଲାଇନ ଗେମର ଅଭ୍ୟାସ ଲାଗିିଯାଇଛି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ କିଛି ଲକ୍ଷଣରୁ ଏହା ସ୍ପଷ୍ଟ ଭାବେ ଜଣାପଡିଯାଇଥାଏ । ଯେମିତି ଘରୁ ବାହରକୁ ଯାଇ ଖେଳିବା ବଦଳରେ ଆପଣଙ୍କ ପିଲା ଅନେକ ସମୟ ମୋବାଇଲରେ ଗେମ ଖେଳିବାରେ ବ୍ୟସ୍ତ ରହିଥାଏ । ଆପଣଙ୍କ ବନ୍ଧୁ ବନ୍ଧାବଙ୍କ ଉପସ୍ଥିତି ବେଳେ ମଧ୍ୟ ଆପଣଙ୍କ ପିଲା ମୋବାଇଲରେ ଲାଗିରହିବା ଦ୍ୱାରା ମଧ୍ୟ ସ୍ପଷ୍ଟ ଜଣା ପଡିଥାଏ ଯେ ତାକୁ ମୋବାଇଲର ଅଭ୍ୟାସ ହୋଇଯାଇଛି । ସେହିଭଳି ମୋବାଇଲ ବିନା ଖାଦ୍ୟ, ପାନୀୟ ଗ୍ରହଣ ନକରିବା । ସବୁବେଳେ ମୋବାଇଲ ଧର୍ ଏକୁଟିଆ ବସିରହିବା । ଆଉ ସାରା ଦିନ କେବଳ ମୋବାଇଲ ଗେମ ବାବଦରେ ଆଲୋଚନା କରିବା ଦ୍ୱାରା ଜଣାପଡେ ଯେ ମୋବାଇଲ ଆପଣଙ୍କ ପିଲାମାନଙ୍କୁ ନିଜର କରାୟତ କରିନେଇଛି ।

ବ୍ୟସ୍ତ ଜମାବି ହୁଅନ୍ତୁ ନାହିଁ । ଏଭଳି ସମସ୍ୟା ପାଇଁ ଡାକ୍ତର ତିନି ପ୍ରକାର ଚିକିତ୍ସା କରାଇଥାନ୍ତି । ପ୍ରଥମେ ହେଉଛି କଗନେଟିଭ ବିହେଭିଏରାଲ ଥେରାପି । ଅର୍ଥାତ ନେଗେଟିଭ ବିଚାରରୁ ବାହରି ସବୁ ବେଳେ ପଜିଟିଭ ବିଚାର କରିବା । ଦ୍ୱିତୀୟଟି ହେଉଛି ଗ୍ରୁପ ଥେରାପି । ଅର୍ଥାତ ଆଡିକସନ ଛାଡିବା ପାଇଁ ପରସ୍ପରକୁ ଉତ୍ସାହିତ କରିବା । ଏବଂ ତୃତୀୟଟି ହେଉଛି ପରିବାର ଏବଂ ମ୍ୟାରେଜ କାଉନସେଲିଂ । ଅର୍ଥାତ ରୋଗୀର ପରିବାରକୁ ଏବାକୁ କେଉଁଭଳି ସମ୍ଭାଳିବେ ତାର ତରିକା ଶିଖାଇବା ।

ଏହା ଛଡା ପ୍ରଥମରୁ ହିଁ ଚେଷ୍ଟା କରିବା କେଉଁଭଳି ପିଲାମାନଙ୍କୁ ମୋବାଇଲଠାରୁ ଦୂରରେ ରଖିପାରିବା । ଏଥିପାଇଁ ବାପାମାଆ କିଛି ଟିପ୍ସକୁ ମାନିବା ଦରକାର । ଯେମିତି ପିଲାମାନଙ୍କ ସାମ୍ନରେ ବାପା ମାଆ ନିଜେ କମ ମୋବାଇଲ ବ୍ୟବହାର କରିବେ । ଜରୁରୀ ନଥିଲେ ପିଲାମାନଙ୍କୁ ଜମା ବି ଫୋନ ଦିଅନ୍ତୁ ନାହିଁ । ପିଲାମାନଙ୍କ ସହ ବାହାରକୁ ଯାଇ ଖେଳିବାର ଅଭ୍ୟାସ କରନ୍ତୁ । ପିଲାମାନଙ୍କୁ ପାର୍କ ନେଇ ଯାଆନ୍ତୁ । ଏହିଭଳି ଭାବେ ଆପଣ ପିଲାମାଙ୍କୁ ଏହି ଖରାପ ଅଭ୍ୟାସ ଠାରୁ ଦୂରେଇ ରଖିପାରିବେ ।