ଯୁବ ଭାରତ ହେଉଛି କି ବୟସ୍କ? ଚିନ୍ତା ବଢ଼ାଇଲା ୟୁଏନଏଫପିଏ ରିପୋର୍ଟ

309

କନକ ବ୍ୟୁରୋ: ଦେଶର ଭବିଷ୍ୟତ ନିର୍ଭର କରେ ଯୁବ ବର୍ଗଙ୍କ ଉପରେ । ମୋଟ୍ ଆର୍ଥିକ ବୋଝର ଗୋଟିଏ ବଡ ଅଂଶ ଯୁବ ବର୍ଗଙ୍କ କାନ୍ଧରେ ଥାଏ । ତେଣୁ ଦେଶ ଯୁବ ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେଉଛି । ଯୁବ ବର୍ଗଙ୍କୁ ନେଇ ବିଶ୍ୱରେ ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରୁଛି ନ୍ୟୁ ଇଣ୍ଡିଆ । ଆଉ ଯୁବବର୍ଗଙ୍କୁ ସୁହାଇଲା ଭଳି ସରକାର ବିିଭିନ୍ନ ପ୍ରକାର ଯୋଜନା ଏବଂ ଦକ୍ଷତା ବିକାଶ କରୁଛନ୍ତି । ହେଲେ ଏହି ଯୁବବର୍ଗଙ୍କ ଫାଇଦା ଭାରତ ଆଉ ବେଶୀ ଦିନ ନେଇନପାରେ । ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ)ର ଏକ ନୂଆ ରିପୋର୍ଟ ଜାରି କରିଛି । ଯେଉଁଥିରେ ଏଭଳି ପୂର୍ବାନୁମାନ କରାଯାଇଛି । ‘ଇଣ୍ଡିଆ ଏଜିଙ୍ଗ୍ ରିପୋର୍ଟ ୨୦୨୩’ ଦର୍ଶାଯାଇଛି ଯେ ଯୁବ ବର୍ଗର ଜନସଂଖ୍ୟା ଦୃଷ୍ଟିରୁ ଭାରତର ସ୍ଥିତି ଏବେ ବେଶ୍ ଭଲ ରହିଛି । ଏ କ୍ଷେତ୍ରରେ ହାତଗଣତି ଅଳ୍ପ କେତୋଟି ଦେଶ ମଧ୍ୟରେ ଭାରତ ରହିଛି । କିନ୍ତୁ ଏବେର ରିପୋର୍ଟ ଦେଶର ଭବିଷ୍ୟତକୁ ନେଇ ଚିନ୍ତାରେ ପକାଇଛି । କାରଣ ଯୁବ ବର୍ଗଙ୍କ ଫାଇଦା ନନେଲେ ସ୍ଥିତି ଓଲଟି ଯାଇପାରେ । ନଜର ପକାନ୍ତୁ ଏହି ରିପୋର୍ଟ ଉପରେ ।

୨୦୨୧ରେ ଦେଶର ମୋଟ ଜନସଂଖ୍ୟାରେ ୬୦ ବର୍ଷରୁ ଅଧିକଙ୍କ ଭାଗ ୧୦.୧% ଥିଲା
୨୦୩୬ରେ ଏହା ୧୫% ଓ ୨୦୫୦ ବେଳକୁ ୨୦.୮%କୁ ବୃଦ୍ଧି ପାଇବ
ଚଳିତ ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରେ ବରିଷ୍ଠ ଲୋକଙ୍କ ଅଂଶ ୩୬%ରୁ ଅଧିକ ହୋଇଯିବ
୨୦୧୦ରୁ ବଢ଼ିବାରେ ଲାଗିଛି ବରିଷ୍ଠ ଜନସଂଖ୍ୟାଙ୍କ ଅଭିବୃଦ୍ଧି
କମୁଛି ୧୫ ବର୍ଷରୁ କମ୍ ବୟସ ବର୍ଗର ସଂଖ୍ୟା
୨୦୫୦ର ୪ ବର୍ଷ ପୂର୍ବରୁ ଭାରତରେ ବରିଷ୍ଠ ବୟସର ଜନସଂଖ୍ୟା ୦-୧୫ ବର୍ଷୀୟ ପିଲାଙ୍କ ସଂଖ୍ୟାଠାରୁ ଅଧିକ ହୋଇଯିବ
ଏହି ସମୟରେ ୧୫-୫୯ ବର୍ଷର ଜନସଂଖ୍ୟା ଭାଗ ମଧ୍ୟ ହ୍ରାସ ପାଇଯିବ

ରିପୋର୍ଟରେ ଆହୁରି ଦର୍ଶାଇଛି ଯେ ଦେଶର ଦକ୍ଷିଣ ରାଜ୍ୟ ଏବଂ ହିମାଚଳ ପ୍ରଦେଶ ଓ ପଞ୍ଜାବ ଭଳି କେତେକ ଉତର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଅଧିକ ରହିଛି । ଯାହା କି ୨୦୨୧ର ଜାତୀୟ ହାର ତୁଳନାରେ ଅଧିକ ।

ଗତ ଦଶନ୍ଧି ମଧ୍ୟରେ ଦେଶରେ ଜନ୍ମ ହାର ୨୦ ପ୍ରତିଶତ ହ୍ରାସ ପାଇଛି । ୨୦୦୮ ରୁ ୨୦୧୦ ମଧ୍ୟରେ ଦେଶର ମୋଟ ଜନ୍ମ ହାର ୮୬.୧ ପ୍ରତିଶତ ଥିଲା, ଯାହା ୨୦୧୮ ରୁ ୨୦୨୦ ମଧ୍ୟରେ ୬୮.୭ ପ୍ରତିଶତକୁ ଖସି ଆସିଛି । ଏହି ରିପୋର୍ଟ ଅନୁଯାୟୀ ଉତରପ୍ରଦେଶ ହେଉଛି ଦ୍ୱିତୀୟ କନିଷ୍ଠ ରାଜ୍ୟ । ବିହାର ପ୍ରଥମ ସ୍ଥାନରେ ଅଛି । ବିହାରରେ ସମୁଦାୟ ୭.୭ ପ୍ରତିଶତ ଜନସଂଖ୍ୟା ବୃଦ୍ଧ । ଯେତେବେଳେ ୟୁପି ହେଉଛି ୮.୧ ପ୍ରତିଶତ ଜନସଂଖ୍ୟା ସହିତ ଦ୍ୱିତୀୟ କନିଷ୍ଠ ରାଜ୍ୟ । ଏଥି ସହିତ କେରଳର ମୋଟ ଜନସଂଖ୍ୟାର ୧୬.୫ ପ୍ରତିଶତ ବୃଦ୍ଧ ଅଟନ୍ତି । ଏହି କାରଣରୁ କେରଳ ଅନ୍ୟତମ ପୁରାତନ ରାଜ୍ୟ ଅଟେ ।

ୟୁଏନଏଫପିଏ ଭାରତ ପ୍ରତିନିଧି ତଥା ଭୁଟାନ କଂଟ୍ରି ନିର୍ଦ୍ଦେଶକ ଆଣ୍ଡ୍ରିଆ ଏମ୍ ୱଜ୍ନାର କହିଛନ୍ତି, ଏହି ରିପୋର୍ଟ ନୀତି ନିର୍ଦ୍ଧାରଣକାରୀ, କାର୍ଯ୍ୟକ୍ରମ ପ୍ରବନ୍ଧକ ଓ ସମସ୍ତ ଅଂଶୀଦାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବରିଷ୍ଠ ବୟସର ଲୋକମାନେ ସମାଜକୁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ତେଣୁ ସେମାନଙ୍କ ହିତ ପାଇଁ ଆମକୁ ସର୍ବୋତ୍କୃଷ୍ଟ ଉଦ୍ୟମ କରିବାକୁ ପଡ଼ିବ ।

ୟୁଏନଏଫପିଏର ରିପୋର୍ଟ ଅନୁସାରେ ୨୦୩୬ ସୁଦ୍ଧା ବୃଦ୍ଧଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଯାଉଛି । ସେହିଭଳି ୨୦୨୧ ଓ ୨୦୩୬ ମଧ୍ୟବର୍ତୀ ଅବଧିରେ ବିହାର ଓ ଉତର ପ୍ରଦେଶରେ ମଧ୍ୟ ବରିଷ୍ଠ ଜନସଂଖ୍ୟା ଭାଗ ବୃଦ୍ଧି ପାଇବ । ଦକ୍ଷିଣ ଭାରତରେ ବରିଷ୍ଠ ଜନସଂଖ୍ୟା ଅଧିକ ରହିଛି । ପଶ୍ଚିମ ଭାରତରେ ମଧ୍ୟ ଏହା ଆପେକ୍ଷିକ ଅଧିକ ଅଛି । ଅନ୍ୟପକ୍ଷରେ କେନ୍ଦ୍ରୀୟ ଓ ଉତର ପୂର୍ବ ଅଂଚଳର ରାଜ୍ୟଗୁଡ଼ିକରେ ଯୁବ ବର୍ଗର ଲୋକଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ ଅଛି ।