କନକ ବ୍ୟୁରୋ: ଏକଦା ଯେଉଁ ନେତାଙ୍କୁ ନେଇ ପାୱାର କରିଡରରେ ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା, ବିଜୁ ଜନତା ଦଳ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ ଯିଏ ସବୁଠୁ ଆଗରେ ରହିଥିଲେ, ଏବେ ସେ ରାଜ୍ୟ ବିଜେପିରେ କୋଣଠେସା ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏକଥା ଆମେ କହୁନୁ ବରଂ ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା ବିଜୟ ମହାପାତ୍ର ନାଁ ନ ରହିବା ପରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି । ବିଜୟଙ୍କୁ ବିଜେପି ବ୍ୟାକଫୁଟକୁ ଠେଲି ଦେଉଛି କି? ଏନେଇ ଏବେ ରାଜନୀତି ପଣ୍ଡିତ ମାନେ ଚର୍ଚ୍ଚା କରୁଛନ୍ତି ।

Advertisment

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ଦେଖିବାକୁ ଯାଉଛି । ଯେଉଁଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଭାବି ଚିନ୍ତି ଅଙ୍କ କଷୁଥିବାବେଳେ, ନିର୍ବାଚନ ଜିତିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ରବିବାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୪୦ ଜଣିଆ ଏହି ଲିଷ୍ଟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଧାୟକ, ସାଂସଦ ଆଉ ମୁଖପାତ୍ରଙ୍କୁ ବି ସାମିଲ କରିଛି ଦଳ । କିନ୍ତୁ ରାଜ୍ୟ ରାଜନୀତିର ଦକ୍ଷ ତଥା ପ୍ରଭାବଶାଳୀ ନେତା ବିଜୟ ମହାପାତ୍ରଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନି । ଲଗାତାର ବିଜେପିରେ କୋଣଠେସା ହୋଇଚାଲିଛନ୍ତି ଏହି ହେଭିୱେଟ୍ ରାଜନେତା ।

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ଘୋଷଣା କରିଥିବା ଷ୍ଟାର ପ୍ରଚାରକ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପିୟୁଷ ଗୋଏଲ, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ନେତା ସାମିଲ ହେଇଛନ୍ତି । ତା ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଖାରବେଳ ସ୍ୱାଇଁଙ୍କୁ ବି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି । ହେଲେ କେଉଁ କାରଣ ଯୋଗୁଁ ବିଜୟ ମହାପାତ୍ର ରାଜ୍ୟ ବିଜେପିରେ ଅଲୋଡା ହେଇ ପଡୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ପୂର୍ବରୁ ହୋଇଥିବା ପିପିଲି ଉପ-ନିର୍ବାଚନରେ ମଧ୍ୟ ସେହି ସମାନ ଧାରା ଦେଖିବାକୁ ମିଳିଥିଲା । ଷ୍ଟାର ପ୍ରଚାରକ ତାଲିକାରେ ବିଜୟଙ୍କୁ ମୁହଁ ଫେରାଇଦେଇଥିଲା ବିଜେପି । ତେଣୁ ଲଗାତାର ଦୁଇଟି ଉପ-ନିର୍ବାଚନରେ ବିଜୟଙ୍କୁ ବିଜେପି ପଛରେ ରଖି ନିର୍ବାଚନକୁ ଓହ୍ଲାଇଛି । ତେବେ ଏହା ପଛର କାରଣ କଣ ହେଇପାରେ? କାହିଁକି କୋଣଠେସା ହେଉଛନ୍ତି ବିଜୟ? ଏନେଇ ରାଜନୀତି ବିଶାରଦମାନେ ଅନେକ ତର୍ଜମା ଚଳାଇଛନ୍ତି ।

ବିଜେପିରେ ବିଜୟ ମହାପାତ୍ର ସାମିଲ ହେବା ପରେ ବି ସମୟେ ସମୟେ ନିଜ ଦଳକୁ ହିଁ ତେରେଛା ବାଣ ମାରିଛନ୍ତି । ଅନେକ ସମୟରେ ନିଜ ଦଳକୁ ହିଁ ଟାର୍ଗେଟ କରିଥିବା ନଜିର୍ ରହିଛି । ଯେଉଁଥିପାଇଁ ବିଜୟଙ୍କୁ ନେଇ ଅନେକ ସମୟରେ ରାଜ୍ୟ ରାଜନୀତି ସରଗରମ ରହିଥାଏ । ହୁଏତ ଏହାର ଫଳସ୍ୱରୂପ ବିଜୟ ବିଜେପିରେ ଅଲୋଡ଼ା ହୋଇପଡ଼ିବା! ପ୍ରଶ୍ନ ଉଠୁଛି, ନିଜ ଇଛାରେ ଷ୍ଟାର ପ୍ରଚାରକ ତାଲିକାରେ ରହୁ ନାହାନ୍ତି କି ବିଜୟ? ନା ରାଜ୍ୟ ବିଜେପିରେ ବିଜୟଙ୍କୁ ଷ୍ଟାର ନେତା ଭାବେ ଗଣାଯାଉନି? କେଉଁ କାରଣରୁ ବିଜେପି ବିଜୟଙ୍କ ଭଳି ଜଣେ ପୁରୁଖା ନେତାଙ୍କୁ ପଚାରିବା ତ ଦୂରର କଥା ତାଙ୍କ ପରାମର୍ଶ ବି ଲୋଡୁନି । ତେବେ ପଞ୍ଚାୟତ, ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବିଜେପି, ଦଳର ହେଭିୱେଟ୍ ନେତା ତଥା ବିଜୟଙ୍କୁ ବ୍ୟାକଫୁଟ୍ ରେ ରଖିବା ଦଳ ପାଇଁ ଖରାପ ସଙ୍କେତ ନୁହେଁ ତ?