ସଂକ୍ରମଣ ରୋକିବ ତ ଟିକା? ଭୂତାଣୁର ନୂଆ ରୂପ ଆସିବା ପରେ ଜୋର ଧରିଲା ଚର୍ଚ୍ଚା ।

202

କନକ ବ୍ୟୁରୋ: ମହାମାରୀ କରୋନା କବଳରୁ ମାନବ ଜାତିକୁ ବଂଚାଇବା ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଟିକା ବିକଶିତ କରିବାରେ ଲାଗି ପଡିଛନ୍ତି ବିଶ୍ୱର ଏକାଧିକ ରାଷ୍ଟ୍ର । କେତେକ ଟିକା ଆସି ସାରିଛି ଓ ଆଉ କେତେକ ଟିକା ଅପେକ୍ଷାରେ ରହିଛି । କେତେକ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଥିବାବେଳେ ଆଉ କେତେକ ଟକା ଅନୁମତି ଅପେକ୍ଷାରେ ରହିଛନ୍ତି । କିନ୍ତୁ ଭାଇରସ ଯେଉଁଭଳି ରୂପ ବଦଳାଉଛି, ତା ବିରୋଧରେ ଏସବୁ ଟିକା କେତେ ପ୍ରଭାବୀ ହେବ ତାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ଏପରିକି ଟିକାର ପ୍ରଭାବ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସନ୍ଦେହରେ ରହିଛନ୍ତି । ମନରେ ଉଠୁଥିବା ପ୍ରଶ୍ନ..

– ଭୂତାଣୁ ରୂପ ବଦଳାଇବା ଯୋଗୁଁ ଟିକା ପ୍ରଭାବହୀନ ହୋଇଯିବ କି?
– ଭୂତାଣୁର ରୂପକୁ ଦେଖି ପୁଣି ନୂଆ ଟିକା ବିକଶିତ କରିବାକୁ ପଡିବ କି?
– ନୂଆ ଟିକା ପାଇଁ ପୁଣି ଥରେ ମୂଳରୁ କାର୍ଯ୍ୟ କରିବାକୁ ପଡିବ କି?

ମନରେ ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି, ପ୍ରଥମେ ଯେଉଁ ଟିକା ବିକଶିତ କରାଯାଇଛି, ପ୍ରଥମେ ଦେଖା ଦେଇଥିବା ସାର୍ସ କୋଭିଡ-୧୯ ଭୂତାଣୁର ଜେନମ ସିକୁଏନସିଂ କରି ଏସବୁ ଟିକା ବିକଶିତ କରାଯାଇଛି । ଏବେ ଯେତେବେଳେ ଭୂତାଣୁ ତାର ରୂପ ବଦଳାଇ ନୂଆ ପ୍ରଜାତିରେ ସାମନାକୁ ଆସିଛି, ସେତେବେଳେ ଏହି ଟିକା କେତେ ପ୍ରଭାବୀ ହେବ ଏହାକୁ ନେଇ ଉଦବେଗ ପ୍ରକାଶ ପାଉଥିବାବେଳେ ଆଇସିଏମଆର ଡିଜି ବଳରାମ ଭାର୍ଗବ ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛନ୍ତି । କହିଛନ୍ତି, ଭାରତରେ ବ୍ୟବହାର ହେଉଥିବା ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ କରୋନାର ସବୁ ଭେରିଆଂଟକୁ ରୋକିବା ଲାଗି ସମର୍ଥ । ତେଣୁ ନୂଆ ଭାରିଆଂଟକୁ ନେଇ ଚିନ୍ତିତ ହେବାର ନାହିଁ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ସମାନ ଦାବି କରିଛନ୍ତି । କହିଛନ୍ତି, ଭାରତରେ ବ୍ୟବହୃତ ଦୁଇଟି ଯାକ ଟିକା ଡେଲ୍ଟା ପ୍ଲସ ବିରୋଧରେ କାମ କରୁଛି । ତେବେ ଟିକା ନେବା ଦ୍ୱାରା ଜଣଙ୍କ ଶରୀରରେ କେତେ ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି, ତାହା ଖୁବ୍ ଶୀଘ୍ର ଜଣାପଡିବ ।

କେବଳ ଡେଲ୍ଟା ପ୍ଲସ ଭେରିଆଂଟ ନୁହେଁ ଆଲଫା, ବିଟା ସମେତ କରୋନାର ନୂଆ ଏକାଧିକ ପ୍ରଜାତି ବିରୋଧରେ କୋଭିସିଲ୍ଡ ଓ କୋଭାକ୍ସିନ ପ୍ରଭାବି ବୋଲି କହିଛନ୍ତି ବଳରାମ ଭାର୍ଗବ । ସେହିପରି ଡେଲ୍ଟା ପ୍ଲସ ବିରୋଧରେ ମଡର୍ଣ୍ଣା ଓ ଫାଇଜର ଟିକା ମଧ୍ୟ କାର୍ଯ୍ୟ କରୁଛି ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡିିଛି ।