ପ୍ରଭାବୀ ଟୀକା ଆସିବା ପରେ ବି କମିବ କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ‘କେବଳ ଟୀକା ରୋକି ପାରିବନି କରୋନା’ ।

866

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ‘କେବଳ ଟିକା ରୋକି ପାରିବନି କରୋନା’ । ପ୍ରଭାବୀ କୋଭିଡ୍ ଟିକା ଆସିବା ପରେ ଯେ କରୋନା ଚିତ୍ର ବଦଳି ଯିବ ଏବଂ ସ୍ଥିତି ସ୍ୱାଭାବିକ ପାଲଟିବ , ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢ଼େଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା ପାଇଁ ଟିକା ଯଥେଷ୍ଟ ହେବ ନାହିଁ । ଟିକା ଲଢ଼େଇର ଏକମାତ୍ର ଅଂଶ ।

କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ୮ମାସ ହେଲା ମାନି ଆସୁଥିବା ବିଭିନ୍ନ କରୋନା କଟକଣାକୁ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ହୁ ମୁଖ୍ୟ ଟେଡ୍ରୋସ ଗେବ୍ରିୟେସ । କହିଛନ୍ତି , କୋଭିଡ୍-୧୯ ସଂକ୍ରମଣର ମୁକାବିଲା ପାଇଁ ଏବେ ଯେଉଁସବୁ ସାଧନ କାମ କରୁଛି, ସେଥିରେ
– ଟିକା କେବଳ ଏକ ଅଂଶ ହେବ ।
– ଟିକା ଏକାକି ମହାମାରୀକୁ ରୋକିବାରେ ସମର୍ଥ ହେବ ନାହିଁ
– ଟିକା ଆସିବା ପରେ ମଧ୍ୟ ଲୋକଙ୍କୁ ଆକ୍ରାନ୍ତ କରିବା ଲାଗି କରୋନା ଭୂତାଣୁ ପାଇଁ ସୁଯୋଗ ରହିବ
– ତେଣୁ ବର୍ତମାନ ଭଳି ନମୁନା ପରୀକ୍ଷା ଜାରି ରଖିବା ସହ ସଂଗରୋଧ , କଂଟ୍ରାକ୍ଟ ଟ୍ରେସିଂ କରିବାକୁ ପଡିବ
– କରୋନା ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱବାସୀ ଏବେ ଯେଉଁ ଭଳି ସଜାଗ ରହୁଛନ୍ତି , ତାହା ଜାରି ରଖିବା ଆବଶ୍ୟକ

କରୋନା ଟିକା ଆସିବ, କାହାକୁ ମିଳିବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବାବେଳେ ସ୍ପଷ୍ଟିକରଣ ରଖିଛନ୍ତି ହୁ ମୁଖ୍ୟ । କହିଛନ୍ତି, ପ୍ରଭାବି ଟିକା ଆସିବା ପରେ ଏହାର ଯୋଗାଣ ସୀମିତ କରାଯିବ । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ଅନ୍ୟ ଦୁରାରୋଗରେ ପୀଡିତ ଲୋକଙ୍କୁ ଦିଆଯିବ । ଏହା ଦ୍ୱାରା କରୋନା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇପାରିବ । ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କୁ ଟିକା ଦିଆଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଫାଇଜର ଓ ମଡର୍ଣ୍ଣା ଭଳି କମ୍ପାନୀ ଦ୍ୱାରା ବିକଶିତ ଟିକା କରୋନା ରୋକିବାରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି ଦାବି କରିଛନ୍ତି ।

Comments are closed.