ପଦ୍ମପୁରରେ ରୋଚକ ହେଉଛି ରେଡ୍ ରାଜନୀତି : ଆଇଟି ଓ ଜିଏସଟି ଚଢ଼ାଉକୁ ନେଇ ବିଜେଡି-ବିଜେପି ଛକାପଞ୍ଝା

87

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବଡ ଧରଣର ରେଡ୍ ହୋଇଛି । ସୋମବାର ସକାଳେ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ବିଜେଡି ସମର୍ଥକ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ ପରେ ଆକ୍ସନକୁ ଆସିଛି ସିଟି ଜିଏସଟି ବିଭାଗ । ପଦ୍ମପୁରର ଓ ବରଗଡର ୮ଟି ସ୍ଥାନରେ ଏକକାଳୀନ ଜିଏସଟି ଚଢଉ କରିଥିବା ସୂଚନା ମିଳିଛି । ପଦ୍ମପୁରର ୨ଟି, ପାଇକମାଳର ୨ଟି, ଓ ବରଗଡର ୩ଟି ସ୍ଥାନରେ ଜିଏସଟି ଚଢଉ ହୋଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଥିବା ଗୋବର୍ଦ୍ଧନ ଅଗ୍ରୱାଲଙ୍କ ବ୍ୟବସାୟ ଉପରେ ଚଢାଉ ହୋଇଛି ।

ପାଇକମାଳରେ ଥିବା ନୃସିଂହ ପେଟ୍ରୋଲ ପମ୍ପ ଓ ନୃସିଂହନାଥ ମେଡିକାଲ ଷ୍ଟୋରରେ ଚଡାଉ କରାଯାଇଛି । ସେହିପରି ବିଜେପି ସହ ସଂପୃକ୍ତ ବ୍ୟବସାୟୀ ସୁନୀଲ ଅଗ୍ରୱାଲଙ୍କ ଲୁଗା ଦୋକାନ ଉପରେ ଜିଏସଟି ବିଭାଗ ଚଢ଼ାଉ କରିଛି । ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ସହରର ଜଗଦମ୍ବା ଲୁଗା ଦୋକାନ ଉପରେ ସିଟି-ଜିଏସଟି ବିଭାଗ ଚଢ଼ାଉ କରିଛି । ଦୋକାନ ମାଲିକ ସୁନୀଲ ଅଗ୍ରୱାଲ ବିଜେପି ନଗର ସଭାପତି ରହିଛନ୍ତି । ତେଣୁ ରାଜନୀତିର ଏହି ରେଡ୍ ରୋଚକ ମୋଡ଼ ନେଇଛି ।

ସେପଟେ ପଦ୍ମପୁରରେ ଆଇଟି ଓ ଜିଏସଟି ରେଡକୁ ବିରୋଧ କରିଛି ସ୍ଥାନୀୟ ବଣିକ ସଂଘ । ପ୍ରତିବାଦରେ ସମସ୍ତ ପଦ୍ମପୁର ବନ୍ଦ ଡାକରା ଦେଇଥିଲା ସଂଘ । ତେବେ ଏସପିଙ୍କ ସହ ଆଲୋଚନା ପରେ ବନ୍ଦ ଡାକରାକୁ ସଂଘ ସୋମବାର ବିଳମ୍ବିତ ରାତିରେ ପ୍ରତ୍ୟାହାର କରିଛି । ଜିଏସଟି ବିଭାଗର ଅଧିକାରୀଙ୍କ ସହ କଥାବାର୍ତ୍ତା ପରେ ସଂଘ ବନ୍ଦ ନିଷ୍ପତ୍ତରୁ ଓହରିଥିବା ଜଣାପଡ଼ିଛି । ଭୋଟ୍ ପର୍ଯ୍ୟନ୍ତ ଜିଏସଟି ବିଭାଗ କୌଣସି ରେଡ୍ କରିବେନି ବୋଲି ସୂଚନା ମିଳିଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନବଜାର ବନ୍ଦ ରଖିବାକୁ ବଣିକ ସଂଘ ଘୋଷଣା କରିଥିଲା ।