ଜନବିରୋଧୀ କିଏ? ନେତା ବଡ ନା ସଚିବ ବଡ ପ୍ରଶ୍ନ ପଚାରିବା କଣ ଜନବିରୋଧୀ କି?

1,161

କନକ ବ୍ୟୁରୋ : ଜନବିରୋଧୀ ଦର୍ଶାଇ ବିଜେଡିରୁ ୨ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ତେବେ ଜନବିରୋଧୀ କଣ ଓ ଜନବିରୋଧୀ କିଏ ତାହା ଜାଣିବାକୁ ଚାହୁଁଛନ୍ତି ସାଧାରଣ ଲୋକେ ।
ବାସ୍ତବରେ ଜନବିରୋଧୀ କିଏ?

– ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇ ପାରୁନଥିବା ସରକାର ନା ପ୍ରଶ୍ନ ଉଠାଉଥିବା ଜନପ୍ରତିନିଧି?
– ଛାୟା ସରକାରକୁ ପ୍ରୋତ୍ସାହନ ଦେଉଥିବା ସରକାର ନା ପ୍ରଶ୍ନ କରୁଥିବା ଜନତା?
– ସଚିବଙ୍କ ପାଇଁ ଟେଣ୍ଟ ବାନ୍ଧିବା ଜନବିରୋଧୀ ନୁହେଁ କି?
– ନିର୍ବାଚିତ ପ୍ରତିନିଧି ଅଭିଯୋଗ ନ ଶୁଣି ସଚିବ ଅଭିଯୋଗ ଶୁଣିବା ଜନବିରୋଧୀ ନୁହେଁ କି?
– ନେତା ବାଛିବେ ଜନତା, ଗୁହାରୀ ଶୁଣିବେ ସଚିବ?
– ନିର୍ବାଚିତ ଜନପ୍ରତିନିଧିଙ୍କ ଅଧିକାରକୁ ମାଡି ବସିବା ନୁହେଁ କି ଜନବିରୋଧୀ?
– ଗଣତନ୍ତ୍ରରେ ବାବୁତନ୍ତ୍ରର ସ୍ଥାପନ କରିବା ନୁହେଁ କି ଜନବିରୋଧୀ?
– ଚିଟଫଣ୍ଡ ସତ୍ୟପାଠରେ ଫୁଟିଲାଣି ଛତୁ, ୫-ଟି ଶାସନରେ ଏ କି ସ୍ୱଚ୍ଛତା?
– ୨ଟି ସମ୍ପାଦକୀୟ ଲେଖି କଣ ଜନବିରୋଧୀ କାମ କରିଛନ୍ତି ସୌମ୍ୟ?

ଯେଉଁ ଢଙ୍ଗରେ ଜନବିରୋଧୀ ଦର୍ଶାଯାଇ ସୌମ୍ୟଙ୍କୁ ବହିଷ୍କୃତ କରାଯାଇଛି ତାହାକୁ ଅନେକ ନାପସନ୍ଦ କରିଛନ୍ତି । କାରଣ ନିଜ ସମ୍ପାଦକୀୟରେ ସୌମ୍ୟ ନେତା ବଡ ନା ସଚିବ ବଡ ବୋଲି ପ୍ରଶ୍ନ କରିଥିଲେ । ଏହା କଣ ଜନବିରୋଧୀ? ଛାୟା ସରକାର ବିରୋଧରେ ବିଧାୟକ ଓ ସାଂସଦଙ୍କ କ୍ଷୋଭ ରହିଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଭୟରେ କେହି ମୁହଁ ଖୋଲୁନାହାନ୍ତି । ଯେଉଁଥିପାଇଁ ନେତାଙ୍କ ମନରେ ଥିବା କ୍ଷୋଭକୁ ସମ୍ପାଦକୀୟରେ ପ୍ରକାଶ କରିଥିଲେ ସୌମ୍ୟ । ନେତାଙ୍କ ପାଇଁ ସ୍ୱର ଉଠାଇବା ଜନବିରୋଧୀ କି? ନେତା ବଡ ନା ସଚିବ ବଡ ଏ ପ୍ରଶ୍ନ ପଚାରିବା କଣ ଜନବିରୋଧୀ? ରାଜ୍ୟବାସୀ ଓ ଜନପ୍ରତିନିଧିଙ୍କ ମନରେ ଏହି ପ୍ରଶ୍ନ ନାହିଁ କି? ସଚିବଙ୍କ ଜିଲ୍ଲା ଗସ୍ତ ବେଳେ କେତେ ଟଙ୍କା ଖର୍ଚ୍ଚ ହେଲା ତାହା କଣ ଲୋକ ଜାଣିବାକୁ ଚାହୁଁନାହାନ୍ତି କି? ଲୋକଙ୍କ ପ୍ରଶ୍ନକୁ ସମ୍ପାଦକୀୟରେ ପଚାରିବା ଭୁଲ କେମିତି?