ଏମାର ମଠରେ ରହିଛି କି ଗୁପ୍ତଧନ ? ମାଟି ତଳେ ସୁନା ରୁପା ଖୋଜୁଛି ପ୍ରଶାସନ

122

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ରାଜ୍ୟର ସବୁଠୁ ଧନୀ ‘ଏମାର ମଠ ’। ମାଟି ତଳେ କ’ଣ ରହିଛି ? ଏହି ମଠରେ ଲୁକାୟିତ ଅବସ୍ଥାରେ ଆଉ କିଛି ଗୁପ୍ତଧନ ରହି ଯାଇଛି କି ? ରୂପା ଇଟା ଭଳି ଆଉ କିଛି ମୂଲ୍ୟବାନ ଦ୍ରବ୍ୟ ରହିଛି କି ? ଅତୀତରେ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣିଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି । ଏମାର ମଠ ପରିଚାଳନା ପାଇଁ ନବଗଠିତ ଟ୍ରଷ୍ଟ ବୋର୍ଡ ମଠର କାନ୍ଥ, ଚଟାଣ ଆଦିରେ ରୁପା, ହୀରା, ନୀଳା, ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ରହିଥିବା ସନ୍ଦେହ ପ୍ରକଟ କରିବା ପରେ ଗୁରୁବାରଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ କରାଯାଉଛି ।

ଜିଲ୍ଲା ପ୍ରଶାସନ ସହମତିକ୍ରମେ ପୁଲିସ ପ୍ରଶାସନ ମେଟାଲ୍‌ ‌ଡିଟେକ୍ଟର ସହଯୋଗରେ ମଠ ପରିସର ଯାଞ୍ଚ କରିଛି । ମଠ ମହନ୍ତଙ୍କ ମୁଖ୍ୟ ଘର, ପ୍ରବେଶ ପଥ, ତନୟା ଅଗଣା, ପଙ୍ଗତ ବାରଣ୍ଡା ସହ କାନ୍ଥ, ଚଟାଣ ସବୁ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଅଧିକାରୀମାନେ ମଠର ପ୍ରବେଶ ପଥ ଚଟାଣ ତଳେ ପ୍ରାୟ ୧୫ ଫୁଟ ଲମ୍ବ ଓ ପ୍ରାୟ ୯ ଫୁଟ ଓସାରର କିଛି ରହିଥିବା ମେଟାଲ୍‌ ଡିଟେକ୍ଟର ସହଯୋଗରେ ଜାଣିବାକୁ ପାଇବା ପରେ ଏହି ଜାଗାକୁ ନାଲି ଗାର ଦେଇ ଚିହ୍ନଟ କରାଯାଇଛି । ସେହଭଳି ମଠ ମନ୍ଦିର ସମ୍ମୁଖ ତଥା ଝୁଲଣ ମଣ୍ଡପ ଅଗଣାରେ ଏକ ପାର୍ଶ୍ବରେ ପ୍ରାୟ ୪ ଫୁଟ ଲମ୍ବର କିଛି ଜିନିଷ ମାଟି ତଳେ ରହିଥିବା ଜାଣିବାକୁ ପାଇଛି । ଏହି ସ୍ଥାନକୁ ବି ଦାଗ ଦେଇ ରଖାଯାଇଛି । ତେବେ ଖୁବଶୀଘ୍ର ଏହାକୁ ଖୋଳି ମାଟି ତଳେ କ’ଣ ରହିଛି ତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।

ତେବେ ଏହାରି ଭିତରେ ଆଉ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । କୁଆଡେ ଗଲା ପୁରୀ ଏମାର ମଠର ରୁପା ଇଟା ? ରୁପା ଇଟା ସୁରକ୍ଷିତ ଅଛି ନା ନାହିଁ । ଦୀର୍ଘ ବର୍ଷ ପରେ ମଧ୍ୟ ଜବତ ହୋଇଥିବା ରୂପା ଇଟାର ତଦନ୍ତ ପ୍ରକ୍ରିୟା କାହିଁକି ଶେଷ ହୋଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଏବଂ ଇଟାକୁ କାହିଁକି ମନ୍ଦିରକୁ ହସ୍ତାନ୍ତର କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଫେବୃଆରୀ ୨୬, ୨୦୧୧ । ଏମାର ମଠରେ ଚଢ଼ାଉ କରି ଦୁଇଟି ନିବୁଜ କୋଠରି ମଧ୍ୟରୁ ୫୨୨ ଖଣ୍ଡ ରୂପା ଇଟା ଜବତ କରିଥିଲା ପୋଲିସ । ପ୍ରତ୍ୟକ ଇଟା ଖଣ୍ଡର ଓଜନ ଥିଲା ପ୍ରାୟ ୪୦ କେଜି ଏବଂ ମୋଟ ଜବତ ହୋଇଥିବା ଇଟାର ଓଜନ ଥିଲା ୧୮ ଟନ୍ ୮୭ କେଜି ୬୫୦ ଗ୍ରାମ । ଅର୍ଥାତ ବର୍ତ୍ତମାନ ସମୟରେ ଏହି ଇଟାର ବଜାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ । ହେଲେ ଏହି ଇଟାକୁ ଜବତ କରାଯିବା ପରେ ଜିଲ୍ଲା ପୁଲିସ ଅସ୍ତ୍ରାଗାରରେ ରଖାଯାଇଛି । ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇ ଚାଲିଛି ତଦନ୍ତ । ଏପର୍ଯ୍ୟନ୍ତ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇନାହିଁ ।

ଦାନ ସୂତ୍ରରେ ମିଳୁଥିବା ରୂପାକୁ ନେଇ ଶ୍ରୀମନ୍ଦିର ଦ୍ୱାର ଛାଉଣି ହେବାକୁ ଯାଉଥିବାବେଳେ ଏହି ପ୍ରଶ୍ନ ଉଠିଛି । ତା ସହ ଆଉ ଏକ ବଡ ପ୍ରଶ୍ନ ହେଉଛି, ସବୁ ରୂପା ଇଟା ସୁରକ୍ଷିତ ଅଛି ତ ? ଏମାର ମଠରେ କାମ କରୁଥିବା ଢ଼େଙ୍କାନାଳର ଦୁଇ ଶ୍ରମିକ ରୂପା ଇଟା ବିକ୍ରି କରୁଥିବାବେଳେ ପୁଲିସ ହାତରେ ଧରାପଡିବା ପରେ ଏହି ମାମଲା ପଦାକୁ ଆସିଥିଲା । ସେମାନେ ବିକ୍ରି କରୁଥିବା ଇଟା ଏମାର ମଠର ବୋଲି ଜଣାପଡିବା ପରେ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ, ଚେଲା ସୁଦର୍ଶନ ରାମାନୁଜ ଦାସ, କର୍ମଚାରୀ ନବକିଶୋର ବିଶ୍ୱାଳ, ଓ ପୁରୀର ଏକ ଜୁଏଲାରୀ ମାଲିକଙ୍କୁ ତଦନ୍ତ ପରିସରକୁ ନେଇଥିଲା । ହେଲେ ଏହା ଭିତରେ ୬ ଜଣ ଏସପି ଆସି ଯାଇସାରିଥିଲେ ମଧ୍ୟ ତଦନ୍ତ ସେଇଠି ଅଟକି ରହିଛି ।