ବଢ଼ିଚାଲିଛି ଗଂଜାମରେ ସଂକ୍ରମଣ । ଜିଲ୍ଲାରେ ମୋଟ ୪ ହଜାର ୬୨୧ କରୋନା ଆକ୍ରାନ୍ତ । ଜିଲ୍ଲାପାଳ କହିଲେ, ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଅବରୋଧ ଅଂଚଳରୁ ଅଧିକ ପଜିଟିଭ୍ ଚିହ୍ନଟ, ହେଲେ ଡାକ୍ତରଙ୍କ ଆଶଙ୍କା ଭିନ୍ନ ।

636

କନକ ବ୍ୟୁରୋ: ଗଂଜାମରେ ଆରମ୍ଭ ହେଲାଣି କି ଗୋଷ୍ଠୀ ସଂକ୍ରମଣ? ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ଏହି ଆଶଙ୍କା ଦେଖାଦେଇଛି । ବିଶେଷଜ୍ଞ ମାନେ ମଧ୍ୟ ଆଶଙ୍କା କରୁଛନ୍ତି, ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଆସିଥାଇପାରେ । ହେଲେ ଜିଲ୍ଲାପାଳ କହିଛନ୍ତି ଗଂଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ।

ଗଞ୍ଜାମ
ତାରିଖ ଆକ୍ରାନ୍ତ
ଜୁଲାଇ ୦୯ ୨୬୦
ଜୁଲାଇ ୧୦ ୩୨୦
ଜୁଲାଇ ୧୧ ୨୧୮
ଜୁଲାଇ ୧୨ ୨୩୦
ଜୁଲାଇ ୧୩ ୨୮୩
ଜୁଲାଇ ୧୪ ୧୮୮
ଜୁଲାଇ ୧୫ ୨୮୬

୭ ଦିନରେ ୧୭୮୫ । ରାଜ୍ୟର ରେଡ୍ ହଟସ୍ପଟ୍ ଜିଲ୍ଲା ଗଂଜାମ । ଜିଲ୍ଲା ପ୍ରଶାସନ ଲକଡାଉନ, ସଟଡାଉନ୍ କରୁଛି । ରାତି ପାହିଲେ ଜିଲ୍ଲାରେ ଜାରି ହେଉଛି ନୂଆ କଟକଣା । ସୀମା ସିଲ୍ ହୋଇଛି । ଜିଲ୍ଲାରେ କୌଣସି ଷ୍ଟେସନରେ ଟ୍ରେନ୍ ଅଟକୁନାହିଁ । ତଥାପି ଆୟତକୁ ଆସୁନି ସ୍ଥିତି । ବରଂ ଆକ୍ରାନ୍ତଙ୍କ ସଂଖ୍ୟା କେତେବେଳେ ୨ଶହ ଟପୁଛି ତ ଆଉ କେତେବେଳେ ୩ଶହ । ବଢୁଥିବା ସଂକ୍ରମଣକୁ ଦେଖି ପ୍ରଶ୍ନ ଉଠୁଛି, ଗଂଜାମରେ ହେଲାଣି କି ଗୋଷ୍ଠୀ ସଂକ୍ରମଣ?

ଗଞ୍ଜାମ
ଆକ୍ରାନ୍ତ ୪୬୨୧
ମୃତ୍ୟୁ ୪୬

କେବଳ ସଂକ୍ରମଣ ନୁହେଁ, ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି । ରାଜ୍ୟରେ ୭୭ ଜଣ ମହାମାରୀ କରୋନାରେ ପ୍ରାଣ ହରାଇଥିବା ବେଳେ ଗଂଜାମ ଜିଲ୍ଲାରେ ଏହି ସଂଖ୍ୟା ୪୬ । ବଢୁଥିବା ସଂକ୍ରମଣ ଦୃଷ୍ଟିରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଗଂଜାମ ଉପରେ ସ୍ୱତନ୍ତ୍ର ଫୋକସ ଦେଇଛନ୍ତି ସରକାର । ଏକାଥରକେ ୨୧୮ ଜଣ ଅଫିସର, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଗଂଜାମ ପଠାଯାଇଛି । ଆଶା ରହିଛି ଜିଲ୍ଲାରେ ଖୁବଶ୍ରୀଘ୍ର ସ୍ଥିତି ବଦଳିବ ।