ବଢୁଛି ସଂକ୍ରମଣ, ବଢ଼ିବ କି ଲକଡାଉନ୍ ? ଗଞ୍ଜାମରେ ୧୧୩୭ ଆକ୍ରାନ୍ତ, ୧୭୦ କରୋନା ଯୋଦ୍ଧା ପଜିଟିଭ୍ ।

1,738

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ସଂକ୍ରମଣ, ବଢ଼ିବ କି ଲକ୍ଡାଉନ୍ ଅବଧି? ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ଅନଲକ୍ – ୱାନ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଜୁଲାଇରୁ ଅନଲକ୍ – ଟୁ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏବେ ପ୍ରଶ୍ନ ଉଠୁଛି – ପରିବର୍ତିତ ସ୍ଥିତିରେ ଲକଡାଉନ କଟକଣା କୋହଳ ହେବ କି କଟକଣାକୁ ଆହୁରି କଠୋର କରିବେ କେନ୍ଦ୍ର ସରକାର । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଓଡ଼ିଶାର ସ୍ଥିତିରେ ମଧ୍ୟ ବିଶେଷ କିଛି ପ୍ରାର୍ଥକ୍ୟ ନାହିଁ ।

ରାଜ୍ୟରେ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣରେ ଥିବା ବେଳେ ଜୁନ ମାସରେ ବିଗିଡ଼ି ଯାଇଛି କରୋନା ସ୍ଥିତି । ଏବେ ପଢ଼ନ୍ତୁ ରାଜ୍ୟର ସବୁଠୁ ଅଧିକ ସଂକ୍ରମିତ ୫ଟି ଜିଲ୍ଲାର ପଜିଟିଭ କେସ୍ ଉପରେ…
ଗଂଜାମ – ୧୧୩୭
ଖୋର୍ଦ୍ଧା – ୭୫୨
କଟକ – ୫୨୨
ଗଜପତି – ୪୧୧
ଯାଜପୁର – ୪୦୨

ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଯେତିକି କରୋନା ପଜିଟିଭ୍ ମିଳିଛି, ସେଥିରୁ ୧୮ ପ୍ରତିଶତରୁ ଅଧିକ ଆକ୍ରାନ୍ତ କେବଳ ଗଂଜାମ ଜିଲ୍ଲାରୁ । ଆଉ ଏକ ସାଂଘାତିକ ତଥ୍ୟ ହେଉଛି ଗଂଜାମ ଜିଲ୍ଲାରେ ୧୭୦ ଜଣ କରୋନା ଯୋଦ୍ଧାଙ୍କ ନମୁନା ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ପୋଲିସ ଅଧିକାରୀ, ବିଡିଓ, ତହସିଲଦାର ଓ ଜେଇ । ଗତ ୧୦ ଦିନ ମଧ୍ୟରେ ୮୦ ଜଣ କରୋନା ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଭଲ ଖବର ହେଉଛି ଏମାନଙ୍କ ଭିତରୁ ୫୦ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ ଭଲ ରହିଛି ।

ବ୍ରହ୍ମପୁର ସହରରେ ୪ ଦିନିଆ ସଟଡାଉନ୍
ପାରଳାଖେମୁଣ୍ଡିରେ ୩ ଦିନିଆ ସଟଡାଉନ୍
ଗଂଜାମରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ଶନିବାରଠାରୁ ୪ ଦିନିଆ ସଟଡାଉନ । ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ । ସହରର ବିଭିନ୍ନ ସ୍ଥାନକୁ ବ୍ୟାରିକେଡ କରାଯିବା ସହ ସହରର ପ୍ରମୁଖ ସ୍ଥାନ ଅନ୍ନପୂର୍ଣ୍ଣା ବଜାର ଓ ବଡ଼ ବଜାର ତଥା ଅନ୍ୟାନ୍ୟ ସ୍ଥାନରେ ପୋଲିସ ପହରାକୁ କଡାକଡି କରିଦିଆଯାଇଛି । ସଟଡାଉନ ପୂର୍ବରୁ ଗହଳି ଦେଖିବାକୁ ମିଳିଛି ବଜାରରେ ।

ସେପଟେ ଗଜପତି ଜିଲ୍ଲାରେ ୩ ଦିନିଆ ସଟ ଡାଉନ୍ ଘୋଷଣା କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ପାରଳାଖେମୁଣ୍ଡି ସହର, ଗୁମ୍ମା ଓ ଗୋଷାଣୀ ବ୍ଲକକୁ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୨୮ ତାରିଖରୁ ୩୦ ତାରିଖ ଯାଏଁ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ସ୍କ୍ରିନିଂକୁ ବ୍ୟାପକ କରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଛି ।