କରୋନା ପରୀକ୍ଷା ରିପୋର୍ଟ ବଢାଇଲା ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ପଜିଟିଭ, ଘରୋଇ ରିପୋର୍ଟରେ ଆସିଲା ନେଗେଟିଭ; ଅଡୁଆରେ ଗଣପତି ବସ୍ତିର ଗର୍ଭବତୀ ମହିଳା

ପୁରା ପରିବାରକୁ ସାମାଜିକ ବାସନ୍ଦ ଦଣ୍ଡ

582

କନକ ବ୍ୟୁରୋ: ସରକାରୀ ପଜିଟିଭି ହେଲେ ଘରୋଇ ନେଗେଟିଭ । ମହାମାରୀ କରୋନାର ସଂକ୍ରମଣ ବଢି ଚାଲିଥିବାବେଳେ କିଛି ଏହିଭଳି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଘରୋଇ ହସ୍ପିଟାଲର କରୋନା ନେଗେଟି ରିପୋର୍ଟ ଧରି କ୍ୟାମେରା ସାମ୍ନାରେ ଛିଡା ହୋଇଥିବା ଏହି ମହିଳାଙ୍କ ଅଭିଯୋଗ ଯେ, ସରକାରୀ ରିପୋର୍ଟରେ ତାଙ୍କ ଝିଅର କରୋନା ପଜିଟିଭ ଥିବା କୁହାଯାଇଛି । ହେଲେ ଘରୋଇ ହସ୍ପିଟାଲରେ ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସରକାରୀ ରିପୋର୍ଟ ଆଧାରରେ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ଦଣ୍ଡ ଭୋଗିବାକୁ ପଡିଛି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଗଣପତିନଗର ବସ୍ତିରେ ରୁହନ୍ତି ଏହି ମହିଳାଙ୍କ ପରିବାର । ତାଙ୍କ କହିବା ହେଲା ବିବାହିତ ଝିଅ ଗର୍ଭବତୀ ଥିବାରୁ ଗଞ୍ଜାମ ବୁଗୁଡାରୁ ଗତ ୧୬ ତାରିଖରେ ଭୁବନେଶ୍ୱର ଆସିଥିଲେ ।

ହଟସ୍ପଟ୍ ଜିଲ୍ଲାରୁ ଆସିଥିବାରୁ ଆଶା ଓ ଆଙ୍ଗନବାଡି ଦିଦି ପହଂଚି ତାଙ୍କ ଝିଅର ସ୍ୱାବ ପରୀକ୍ଷା ପାଇଁ କହିଥିଲେ । ନୂଆପଲ୍ଲି ଅଂଚଳରେ ଥିବା କସ୍ତୁରୀ ସ୍କୁଲରେ ଝିଅର ସ୍ୱାବ ସଂଗ୍ରହ କରି ଗତ ୨୧ ତାରିଖରେ ରିପୋର୍ଟ ଦିଆଗଲା । କରୋନା ପଜିଟିଭ ବାହାରିଥିବାରୁ ଝିଅକୁ କୋଭିଡ ହସ୍ପିଟାଲ ଆଣିବା ଲାଗି ୨୨ ତାରିଖରେ ଫୋନ କରି ସୂଚନା ଦିଆଗଲା । ହେଲେ ରିପୋର୍ଟ ମାଗିବାରୁ ତାହା ଦିଆଯାଇନଥିଲା । ତେଣୁ ରିପୋର୍ଟରେ କିଛି ତ୍ରୁଟି ରହିଥିବା ଆଶଙ୍କା କରି ୨୨ଶହ ଟଙ୍କା ଖର୍ଚ୍ଚରେ ପୁଣିଥରେ ଘରୋଇ ହସ୍ପିଟାଲରେ କରୋନା ପରୀକ୍ଷା କରାଇଥିଲେ ତାଙ୍କ ପରିବାର । ଭୁବନେଶ୍ୱର ସମ ହସ୍ପିଟାଲରେ କରୋନା ପରୀକ୍ଷା କରାଇବା ପରେ ରିପୋର୍ଟ ନେଗେଟିଭ ଥିବା ଜାଣିବାକୁ ପାଇଲେ । ହେଲେ ଏହାରି ଭତିରେ ତାଙ୍କୁ ବସ୍ତିରେ ସଂପୂର୍ଣ୍ଣ ବାସନ୍ଦ କରିଦିଆଯାଇଛିା ସରକାରୀ ରିପୋର୍ଟ ଆଧାରରେ କରୋନାର ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସାଇ ପଡିଶା କେହି ମିଳାମିଶା କରୁନାହାନ୍ତି । ଏପରିକି ଘର ସାମ୍ନାରେ ବାଡ ଦେଇ ବନ୍ଦ କରିଦିଆଯାଇଛି । ଦୋକାନରୁ ରାସନ ନେବା ଉପରେ ମଧ୍ୟ ବସ୍ତିବାସିନ୍ଦା କଟକଣା ଲଗାଇ ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ସରକାରୀ ନମୂନା ପରୀକ୍ଷାରେ କିଛି ତ୍ରୁଟି ରହିଛି କି? ରିପୋର୍ଟ ନଦେଇ ଫୋନରେ କେବଳ କୋଭିଡ ହସ୍ପିଟାଲ ନେଇଆସିବାକୁ କହିବା କେତେଦୂର ଠିକ? ସରକାରୀ ତ୍ରୁଟି ଯୋଗୁଁ ଗୋଟିଏ ପରିବାର ସାମାଜିକ ବାସନ୍ଦ ଭୋଗିବ କାହିଁକି? ଯଦି ତ୍ରୁଟି ରହିଥାଏ ତେବେ କରୋନା ପରିଚାଳନା ଉପରେ ଏହା ବିରାଟ ପ୍ରଶ୍ନଚିହ୍ନ ଲଗାଉ ନାହିଁ କି? ଏଭଳି ଖାମଖିଆଲି ପରୀକ୍ଷା ଓ ତ୍ରୁଟିପୂର୍ଣ୍ଣ ରିପୋର୍ଟ ପାଇଁ କିଏ ଦାୟୀ ରହିବେ?