କନକ ବ୍ୟୁରୋ: ଯେବେଠୁ ମଧ୍ୟପ୍ରଦେଶ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୟୁସିସି ଲାଗୁ ହେବା ନେଇ ସଙ୍କେତ ଦେଇଛନ୍ତି ସେବେଠୁ ଆରମ୍ଭ ହୋଇଛି ତର୍କ ବିତର୍କ । ୟୁନିଫର୍ମ ସିିଭିଲ କୋର୍ଡ ବା ସମାନ ନାଗରିକ ସଂହିତାକୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ସେତିକି ବିରୋଧ ଓ ସମର୍ଥନ ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଏବିପି-ସି-ଭୋଟର ସର୍ଭେ ସର୍ବଭାରତୀୟସ୍ତରରେ ଏକ ସର୍ଭେ କରିଥିଲା । ଏହି ସର୍ଭେରେ ବିରୋଧୀଙ୍କୁ ନେଇ ପ୍ରଶ୍ନ ପଚାରାଯାଇଥିଲା । ୟୁସିସିକୁ ନେଇ ବିରୋଧୀଙ୍କ ବିରୋଧ ଠିକ ନା ଭୁଲ ପଚରାଯାଇଥିବା ପ୍ରଶ୍ନର ଆସିଛି ଆର୍ଶ୍ଚଯ୍ୟଜନକ ଫଳାଫଳ । ୩୬ ପ୍ରତିଶତ ବିରୋଧୀଙ୍କ ବିରୋଧକୁ ସମର୍ଥନ ଜଣାଇଥିବାବେଳେ ୫୩ ପ୍ରତିଶତ ଏହାକୁ ଭୁଲ କହିଛନ୍ତି ଓ ୧୧ ପ୍ରତିଶତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି
ଗୋଟେପଟେ ସରକାର ଯଥା ଶୀଘ୍ର ୟୁସିସି ଲାଗୁ କରିବା ପାଇଁ ବିଚାର କରୁଥିବାବେଳେ ଅନ୍ୟପଟେ ବିରୋଧୀଙ୍କ ମଧ୍ୟରେ ଏନେଇ ଫାଟ ଦେଖାଦେଇଛି । ଆମ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି, ଶିବସେନା ଉଦ୍ଧବଗୋଷ୍ଠୀ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ସହ କିଛି ଆଞ୍ଚଳିକ ଦଳ ୟୁସିସିକୁ ସମର୍ଥନ ଜଣାଇସାରିଛନ୍ତି । ଆଗକୁ ଏନସିପି ମଧ୍ୟ ସମର୍ଥନ ଜଣାଇବା ସମ୍ଭାବନା ରହିଛି । ସେପଟେ ନ୍ୟାସନାଲ ପିପୁଲସ ପାର୍ଟି, ସିପିଆଇଏ, ଏନଡିପିପି, ଏହାକୁ ବିରୋଧ କରିଛି । ସବୁଠୁ ବଡ କଥା ହେଉଛି ଉତ୍ତରପୂର୍ବ ରାଜ୍ୟରେ ବିଜେପିର ସହଯୋଗୀ ଦଳ ମଧ୍ୟ ୟୁସିସିକୁ ବିରୋଧ କରୁଛନ୍ତି । ସେପଟେ କଂଗ୍ରେସ ଓ ଜେଡିୟୁ ପରି କିଛି ଦଳ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।
ସାଧାରଣ ନିର୍ବାଚନକୁ ନେଇ ବିରୋଧୀଦଳମାନେ ବିଜେପି ବିରୋଧରେ ଏକାଠି ହେବାକୁ ଉଦ୍ୟମ ହେଉଥିବାବେଳେ ଏହି ସର୍ଭେ ରିପୋର୍ଟ ସେମାନଙ୍କ ପାଇଁ ଏକ ଝଟକା ସାବ୍ୟସ୍ତ ହୋଇଛି । ୟୁସିସି ପ୍ରସଙ୍ଗରେ ଜନତା ବିରୋଧୀଙ୍କ ସମର୍ଥନରେ ନଥିବା ସ୍ପଷ୍ଟ ହୋଇଛି । ତେଣୁ ୨୦୨୪ ନିର୍ବାଚନରେ ୟୁସିସିକୁ ନେଇ ମାଷ୍ଟରଷ୍ଟ୍ରୋକ ମାରିପାରେ ବିଜେପି