ମନ୍ତ୍ରୀ ବଡ ନା ସଚିବ ବଡ ? ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିବା ପରେ ପୋଡିୟମ ନିକଟରେ ନାରାବାଜି
କନକ ବ୍ୟୁରୋ: ମନ୍ତ୍ରୀ ବଡ ନା ସଚିବ ବଡ ? ଏହାକୁ ନେଇ ବିଧାନସଭାର ଅଧିବେଶନର ଦ୍ୱିତୀୟ ଦିନରେ ହଙ୍ଗାମା କରିଛନ୍ତି ବିରୋଧୀ । ଏ ନେଇ ଆଜି ବିରୋଧୀ ବିଜେପି ପକ୍ଷରୁ ଦୁଇଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବା ପରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଆଉ ଏହାର ଜବାବ ଦେବାକୁ ଯାଇ ବିଜେଡି ସଦସ୍ୟ ବି ଜାତୀୟ ରାଜପଥ ନିର୍ମାଣରେ ଓଡିଶାକୁ ଅବହେଳା ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
- ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା
- ପୋଡିୟମ ତଳେ ହଟ୍ଟଗୋଳ
ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ । ମନ୍ତ୍ରୀ ବଡ ନା ସଚିବ ବଡ- ଗଣତନ୍ତ୍ର ଭୁଷୁଡି ଯାଇଛି, ବିଜେପି ଆଣିଥିବା ଦୁଇଟି ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ପ୍ରତ୍ୟାଖ୍ୟାନ କରିବା ପ୍ରତିବାଦରେ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିରୋଧୀଙ୍କୁ କାଉଁଟର କରିବାକୁ ଯାଇ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ , ଜାତୀୟ ରାଜପଥରେ ଓଡିଶାକୁ ଅବହେଳା କରାଯାଇଥିବା ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ । ଯାହାଫଳରେ ଚାଲିପାରିନଥିଲା ଗୃହ ।
- ବିରୋଧୀଙ୍କ ଅଭିଯୋଗ, ଡରୁଛନ୍ତି ସରକାର
- ପ୍ରଶ୍ନ ପଚାରିଲେ ଦେଉନାହାନ୍ତି ଉତ୍ତର
ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ପ୍ରତ୍ୟାଖ୍ୟାନ କରିବାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ନିୟମ ଅନୁସାରେ ବାଚସ୍ପତି ମୁଲତବୀ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିନଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ବିଜେଡି ବିଧାୟକ ଜାତୀୟ ରାଜପଥ କଥା ଉଠାଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ତେବେ କଂଗ୍ରେସ ବିଧାୟକ, ଉଭୟ ବିଜେଡି ଓ ବିଜେପିକୁ ସମାଲୋଚନା କରିଛନ୍ତି ।
ତେବେ ବିଧାନସଭାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ହେଲେ, ବିଧାନସଭାରେ ଆଲୋଚନା ବଦଳରେ ଉଭୟ ବିରୋଧୀ ଓ ସରକାର ହଟ୍ଟଗୋଳ କରିବା, ପରସ୍ପର ପରସ୍ପରକୁ କାଉଁଟର କରିବାକୁ ରଣନୀତି କରିବା ଚର୍ଚ୍ଚାର ବିଷୟ ହୋଇଛି ।