ସରକାରଙ୍କ ନଜର ଆଢୁଆଳରେ ରହି ଯାଇଛି କି ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥ ମନ୍ଦିର ? ବାରମ୍ବାର ଟ୍ରଷ୍ଟ ବୋର୍ଡ ଭାଙ୍ଗିବାରୁ ହୋଇପାରୁନି ବିକାଶ

106

କନକ ବ୍ୟୁରୋ: ବିକାଶ ଠାରୁ ବହୁ ପଛରେ ବାଲେଶ୍ୱରର କ୍ଷୀରଚୋରା ଗୋପିନାଥ ମନ୍ଦିର । ଓଡିଶାର ଐତିହ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚର୍ କରୁଛନ୍ତି କିନ୍ତୁ ଗୁପ୍ତ ବୃନ୍ଦାବନ କୁହାଯାଉଥିବା କ୍ଷୀରଚୋରା ଗୋପିନାଥ ମନ୍ଦିର ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ଅନ୍ୟପଟେ ଠାକୁରଙ୍କ ସମ୍ପତ୍ତି ଏବେ ଜବର ଦଖଲରେ । ତେଣୁ ନା ଠାକୁର ଜମିରୁ ରୋଜଗାର ହେଉଛି ନା ଏହି ପ୍ରସିଦ୍ଧ ପୀଠ ଉପରେ ପ୍ରଶାସନର ନଜର ପଡୁଛି ।

ବାଲେଶ୍ୱର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଭଗବାନ, ଭକ୍ତ ପାଇଁ କ୍ଷୀର ଚୋରେଇ ଥିବାରୁ ତାଙ୍କୁ କ୍ଷୀରଚୋରା ଗୋପୀନାଥ ବୋଲି କୁହାଯାଏ । ପ୍ରାୟ ସବୁ ଦିନ ଏଠାକୁ ଜିଲ୍ଲା ତଥା ଜିଲ୍ଲା ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସିଥାନ୍ତି । ହେଲେ ବର୍ତ୍ତମାନ ପରିଚାଳନା ଅଭାବ ଓ ସରକାରଙ୍କ ଅଣଦେଖା ଯୋଗୁଁ ମନ୍ଦିରର ସ୍ଥିତି ବିଗିଡି ଯାଇଛି । ମନ୍ଦିରର ନୀତିକାନ୍ତି ପାଇଁ ଅର୍ଥର ଅଭାବ ରହିଛି । ମନ୍ଦିର ଚଟାଣ ଫାଟି ଗଲାଣି, ମନ୍ଦିର ପ୍ରବେଶ ପଥରେ ଥିବା ଗାଧୁଆ କୁଣ୍ଡ ଭାଙ୍ଗି ଗଲାଣି । ଫଳରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମୌଳିକ ସୁବିଧା ନପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ପୂର୍ବରୁ କ୍ଷୀରଚୋରା ଗୋପୀନାଥଙ୍କ ବହୁ ସମ୍ପତ୍ତି ଥିଲା । ଠାକୁରଙ୍କ ନିଜସ୍ୱ ୩୧୧ ଏକର ସମ୍ପତ୍ତିି ସହ ବିରାଟ ଗୋଶାଳାରେ ଶତାଧିକ ଗାଈ ଥିଲେ । ହେଲେ ଦେବୋତ୍ତର ବିଭାଗ ଅଧିନରେ ଥିବା ଏହି ମନ୍ଦିରର ଦୂରାବସ୍ଥା କହିଲେ ନସରେ । ୩୧୧ ଏକର ଜମିରୁ ୩୦ରୁ ୪୦ ଏକର ଜମି ମନ୍ଦିର ପାଖରେ ରହିଥିବା ବେଳେ ବାକି ସବୁ ଜମି ଜବର ଦଖଲରେ ରହିଛି । ଠାକୁର ଜମି ଖାଉଥିବା ବ୍ୟକ୍ତି ଏକର ପିଛା ବାର୍ଷିକ ୨ ହଜାର ଟଙ୍କା ଦେଉଛନ୍ତି, ତାହା ଠାକୁରଙ୍କ ନୀତି ପାଇଁ ନିଅଣ୍ଟ ହେଉଛି । ମନ୍ଦିର ଗୋ-ଶାଳାରେ ଗାଈ ନଥିବାରୁ କ୍ଷୀରଚୋରା ଗୋପୀନାଥଙ୍କ ପାଖରେ ଭୋଗ ପାଇଁ କ୍ଷୀର କିଣିବାକୁ ପଡୁଛି । ତେବେ ଖର୍ଚ୍ଚ ଅନୁସାରେ ରୋଜଗାର ହେଉନାହିଁ । ମନ୍ଦିର ଟ୍ରଷ୍ଟ ବୋର୍ଡ କି ରାଜ୍ୟ ସରକାରଙ୍କ ନଜର ପଡୁନଥିବାରୁ ଖ୍ୟାତି ସଂପନ୍ନ ମନ୍ଦିରର ପ୍ରଗତି ହୋଇପାରୁନଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଖୋଦ୍ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ବାଲେଶ୍ୱରର କ୍ଷୀରଚୋରା ଗୋପୀନାଥ ମନ୍ଦିର ଅବହେଳିତ ଅବସ୍ଥାରେ ସରକାରଙ୍କ କୃପାଦୃଷ୍ଟିକୁ ଅପେକ୍ଷା କରି ରହିଛି ।