କୋରାପୁଟ ଜିଲ୍ଲାରେ ଦୁର୍ବଳ ହେଉଛି କି କଂଗ୍ରେସ ? ବିଜେଡିରେ ଯୋଗ ଦେଲେ ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି । ପ୍ରଦୀପ ମାଝିଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

181

କନକ ବ୍ୟୁରୋ: କୋରାପୁଟକୁ କଂଗ୍ରେସର ଗଡ କୁହାଯାଏ । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୯ଟି ଆସନରେ ହାରି ଯାଇଥିଲେ ବି କୋରାପୁଟ ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । କିନ୍ତୁ ପୌର ଓ ପଞ୍ଚାୟତ ନିର୍ବାଚନ ଆଗରୁ କଂଗ୍ରେସର ଏହି ଗଡ ଦୁର୍ବଳ ହେବାରେ ଲାଗିଛି । ବିଧାୟକ ତାରା ବାହିନୀପତି ଓ କୈଳାଶ କୁଲେଶିକାଙ୍କ ବିବାଦ ପରେ ବଡ ଝଟକା ଦେଇ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ।

  • ଭୁଷୁଡୁଛି କି କଂଗେସର କୋରାପୁଟ ଗଡ ?
  • ହାତ ଛାଡି ଶଙ୍ଖ ଫୁଙ୍କିଲେ ଚନ୍ଦ୍ରଶେଖର

ସବୁଜ କ୍ୟାମ୍ପରେ କଂଗ୍ରେସ ବିଧାୟକ । କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବୁଧବାର ବିଜେଡିରେ ଯୋଗ ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ଚନ୍ଦ୍ରଶେଖର । ୨୦୧୯ ନିର୍ବାଚନରେ ୩ ହଜାରରୁ କମ ଭୋଟ ବ୍ୟବଧାନରେ ବର୍ତ୍ତମାନର ମନ୍ତ୍ରୀ ପଦ୍ମିନୀ ଦିଆନଙ୍କଠାରୁ ପରାଜିତ ହୋଇଥିବା ଚନ୍ଦ୍ରଶେଖର ବିଜେଡିରେ ମିଶିବା ପରେ ସମଗ୍ର ଅବିଭକ୍ତ କୋରାପୁଟରେ ଦଳ ସଂଗଠନକୁ ମଜବୁତ କରିଥିବା ଦାବି କରିଛି ବିଜେଡି । କୁହାଯାଉଛି, ପଞ୍ଚାୟତ ଓ ପୈାର ନିର୍ବାଚନ ଆଗରୁ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିପାରେ ।

ଏପଟେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କୁହାଯାଉଛି, ଖୁବ୍ ଶୀଘ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇପାରନ୍ତି ନବରଙ୍ଗପୁରର ଏହି ପୂର୍ବତନ ସାଂସଦ । ବିଜେଡି ମଧ୍ୟ ପ୍ରଦୀପଙ୍କ ଭଳି ଯୁବ ଚେହେରାଙ୍କୁ ବଡ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି । ଏହାରି ଭିତରେ କିନ୍ତୁ, ଦଳ ବଦଳ ରାଜନୀତିକୁ ଆକ୍ଷେପ କରିଛି କଂଗ୍ରେସ । କୈାଣସି ବ୍ୟକ୍ତି ଦଳ ଛାଡିଲେ ମଧ୍ୟ କୋରାପୁଟ ସଂଗଠନ ଦୁର୍ବଳ ହେବନି ବୋଲି ଦୃଢୋକ୍ତି ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏକଦା ଅବିଭକ୍ତ କୋରାପୁଟ ଜିଲ୍ଲା ଥିଲା କଂଗ୍ରେସର ଅଭେଦ୍ୟ ଦୁର୍ଗ । ଆଦିବାସୀ ବହୁଳ ଅଞ୍ଚଳରେ ନାରା ଥିଲା ହାତ୍ ଥିଲେ ଭାତ୍ ମିଳିସି । ଗତ ୨ ଦଶନ୍ଧିର ଅବିଭକ୍ତ କୋରାପୁଟର ନିର୍ବାଚନକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି, ପ୍ରତି ନିର୍ବାଚନରେ କଂଗ୍ରେସ ଦୁର୍ବଳ ହୋଇ ଚାଲିଛି । ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ଆସନରୁ କଂଗ୍ରେସ ୨୦୧୯ରେ କେବଳ ଗୋଟିଏ ଆସନ ହିଁ ଜିତିଛି । ଯଦି ଏଭଳି ଦଳବଦଳ କଂଗ୍ରେସ ଦଳରେ ଜାରି ରହେ, ତେବେ ଆଗାମୀ ସବୁ ନିର୍ବାଚନ କଂଗ୍ରେସ ପାଇଁ ଆହ୍ୱାନ ସୃଷ୍ଟି କରିପାରେ ।