ମମିତା ହତ୍ୟା ମାମଲା : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କି ମୁଖ୍ୟମନ୍ତ୍ରୀ ?

ନବୀନଙ୍କ ମୟୂରଭଂଜ ଗସ୍ତର ଶେଷ ମୁହୂର୍ତରେ ଅତିଥି ତାଲିକାରୁ ବାଦ୍ ପଡ଼ିଲା ଦିବ୍ୟଶଙ୍କରଙ୍କ ନାଁ; ଘଟଣାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀଙ୍କୁ ତାଙ୍କଠାରୁ ଦୂରେଇ ରଖିଥିବା ଚର୍ଚ୍ଚା

693

କନକ ବ୍ୟୁରୋ : ମମିତା ହତ୍ୟା ମାମଲା ପରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କି ମୁଖ୍ୟମନ୍ତ୍ରୀ ? ନବୀନଙ୍କ ମୟୂରଭଂଜ ଗସ୍ତର ଶେଷ ମୁହୂର୍ତରେ ଅତିଥି ତାଲିକାରୁ ବାଦ୍ ପଡ଼ିଥିଲା ଦିବ୍ୟଶଙ୍କରଙ୍କ ନାଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଂଚ ଉପରେ ବସିବା ପାଇଁ ସ୍ଥିର ହୋଇଥିଲା । ସେ ୪ ମିନିଟ୍ ଭାଷଣ ବି ଦେଇଥାନ୍ତେ । ହେଲେ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ କାର୍ଯ୍ୟସୂଚୀରୁ ତାଙ୍କୁ ବାଦ୍ ଦିଆଯାଇଥିଲା । କେବଳ ସେତିକି ନୁହଁ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ମାର୍ଟ ହେଲଥ୍ କାର୍ଡ ବାଂଟିବା ପାଇଁ ଯେଉଁ ତାଲିକା ହୋଇଥିଲା, ସେଥିରୁ ମଧ୍ୟ ତାଙ୍କ ନାଁ ବାଦ୍ ଦିଆଯାଇଛି । ଏଥରୁ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଓ ତାଙ୍କଠାରୁ ଦୂରେଇ ରଖିଛନ୍ତି ।

ମମିତା ହତ୍ୟାକାଣ୍ଡ ମାମଲା ସାରା ରାଜ୍ୟରେ ଚହଳ ପକେଇ ଦେଇଛି । ସବୁଆଡେ ପ୍ରତିବାଦ ସ୍ୱର ଉଠିବାରେ ଲାଗିଛି । ଏହି ଘଟଣା ସାମନାକୁ ଆସିବା ପରେ ପ୍ରତିଦିନ ବିକ୍ଷୋଭ, ସାମିଲ ରହିଥିବା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିବାଦ କରାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ଥିବା ସୂଚନା ମିଳୁଛି। ଅନ୍ୟଥା ୨୨ ତାରିଖ ମୟୂରଭଂଜ ଗସ୍ତରୁ ତାଙ୍କ ନାମ ଶେଷ ମୁହୂର୍ତରେ ବାଦ୍ ପଡିନଥାନ୍ତା । ସରକାର ମୟରଭଞ୍ଜ ଜିଲ୍ଲା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ଉତ୍ସବ ଲାଗି ପୂର୍ବରୁ ଯେଉଁ ଅତିଥି ତାଲିକା ପ୍ରସ୍ତୁତ କରିଥିଲେ ସେଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଞ୍ଚ ଉପରେ ବସିବା ଲାଗି ସ୍ଥିର ହୋଇଥିଲା । ସେ ୪ମିନିଟ୍ ପାଇଁ ଭାଷଣ ବି ଦେଇଥାନ୍ତେ। ହେଲେ ପରବର୍ତ୍ତୀ ସମୟରେ ପ୍ରସ୍ତୁତ ହୋଇଥିବା ଚୂଡାନ୍ତ କାର୍ଯ୍ୟସୂଚୀରୁ ତାଙ୍କୁ ବାଦ୍ ଦିଆଯାଇଛି ।

କେବଳ ସେତିକି ନୁହେଁ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିବା ଲାଗି ଯେଉଁ ତାଲିକା କରାଯାଇଥିଲା, ସେଥିରେ ବି ମନ୍ତ୍ରୀ ନାହାନ୍ତି । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଓ ତାଙ୍କ ଠାରୁ ଦୂରେଇ ରଖିଛନ୍ତି । ହେଲେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଘଟଣାକୁ ଅନ୍ୟ ଦୃଷ୍ଟିରୁ ବିଚାର କରୁଛନ୍ତି । ଏହି ମହଲର ଯୁକ୍ତି ହେଉଛି, ମୁଖ୍ୟମନ୍ତ୍ରୀ ଯେବେ ନିଜ ଉତ୍ସବରେ ତାଙ୍କ ପାଖରେ ସଂପୃକ୍ତ ମନ୍ତ୍ରୀଙ୍କୁ ବସାଇବାକୁ ଚାହୁଁନାହାନ୍ତି, ସେବେ କ୍ୟାବିନେଟ୍ ସହଯୋଗୀ ଭାବେ କେମିତି ରଖୁଛନ୍ତି ? ଅତି ସମ୍ବେଦନଶୀଳ ଏହି ମାମଲାରେ ଅନେକ ରହସ୍ୟ ଖୁନ୍ଦି ହୋଇରହିଛି, ଏକଥା ଜଣାପଡିଲାଣି। ହେଲେ ପୁଲିସ ନିଜ ବିଭାଗର ମନ୍ତ୍ରୀଙ୍କ ବିଷୟରେ କିଭଳି ଖୋଳତାଡ କରିବ ? ଆଇନକୁ ତା’ ବାଟରେ ପୁଲିସ କେମିତି ନେବ ? ନିଜ ବିଭାଗର ମନ୍ତ୍ରୀଙ୍କ ଭୂମିକା ସଂପର୍କରେ ଅଭିଯୁକ୍ତକୁ କେମିତି ପଚାରିବ ?

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଅନ୍ୟ ମନ୍ତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସରକାର ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି । ଘଟଣା ଚର୍ଚ୍ଚାରେ ଥିବା ବେଳେ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି । ଜଣେ ମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ, ଅଥଚ ସରକାରଙ୍କ କାର୍ଯ୍ୟକ୍ରମରେ ଭାଗ ନେବେନି, ଏହା କଣ ସିଦ୍ଧ କରୁଛି ?