ନିୟନ୍ତ୍ରଣରେ ଅଛି କି ଶିମିଳିପାଳର ନିଆଁ ? ପ୍ରଶାସନର ପଦକ୍ଷେପ ଭିତରେ ପ୍ରଶ୍ନ ଉଠାଇଥିଲେ ବିଶେଷଜ୍ଞ ।

ମୟୁରଭଞ୍ଜ ରାଜକୁମାରୀ କହିଲେ, ଏଯାଏଁ ଲିଭିନି ନିଆଁ ।

111

କନକ ବ୍ୟୁରୋ: ଦୀର୍ଘ ୧୦ ଦିନ ପରେ ଆଜି ବି ଜଳୁଛି ଶିମିଳିପାଳ । ଜଙ୍ଗଲ ଜଳିବାର ଦୃଶ୍ୟ କୋଉଠି ନା କୋଉଠି କିଛି ବଡ ପ୍ରଶ୍ନ ଛିଡା କରୁଛି । ଶିମିଳିପାଳର କୋର ଅଂଚଳରେ ନିଆଁ କେତେଦୂର ବ୍ୟାପିଛି ? ୨୭୫୦ କିଲୋମିଟର ବିଶିଷ୍ଟ ଶିମିଳିପାଳରେ ନିଆଁ କେଉଁ ଯାଏଁ ଲାଗିଛି ? କେତେ ଅଂଚଳ ଏବେ ସୁଦ୍ଧା ଜଳିଗଲାଣି ? କେତେ ଜୀବଜନ୍ତୁ ମରିଗଲେଣି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ବି ଖୋଜାଚାଲିଥିବା ବେଳେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱବଧାରକ କହିଛନ୍ତି, ଶିମିଳିପାଳ ଏତେ ବିସ୍ତୀର୍ଣ୍ଣ ଅଂଚଳ ଯେ ଗୋଟିଏ ଦିନରେ ନିଆଁ ଲିଭାଇବା ସମ୍ଭବ ନୁହେଁ । ଏବେ ବି କୋର ଏରିଆରେ ନିଆଁ ଜଳୁଛି । ଏବେ ବି ଗଛ ଜଳୁଛି, ଜଙ୍ଗଲ ଜଳୁଛି ।

ଗୋଟିଏ ପଟେ ବନ ବିଭାଗ କହୁଛି ଶିମିଳିପାଳରେ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଅନ୍ୟପଟେ ଆଶଙ୍କା କରାଯାଉଛି ଜଙ୍ଗଲରେ ନିଆଁ ସେହିଭଳି ଜଳୁଛି । ଏହାକୁ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କିଛି ଠୋସ ପଦକ୍ଷେପ ନେଇନଥିବାରୁ ଏସିଆର ଦ୍ୱିତୀୟ ବୃହତମ ଜୈବ ମଣ୍ଡଳ ଶିମିଳିପାଳର ସ୍ଥିତି ସଂଗୀନ ହୋଇପଡିଛି । ଏପରିକି ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ଦୁଇରୁ ତିନିଦିନ ହେଲା ନିଆଁ ଜଳୁଛି ।

ତେବେ ପ୍ରଶ୍ନ ଉଠୁଛି, ଶିମିଳିପାଳ ଭଳି ଜଙ୍ଗଲରେ ନିଆଁ ଲାଗିବା ଖବରକୁ ଚପାଇ ଦେବାପାଇଁ ଉଦ୍ୟମ କରାଯାଉଛି କି ? ପ୍ରକୃତରେ କଣ ନିଆଁ ଲିଭି ଯାଇଛି? କୋର ଅଂଚଳ ଏକ ନିଷିିଦ୍ଧାଚଂଳ ହୋଇଥିବାରୁ ବାହାରୁ କାହାକୁ ଯିବା ପାଇଁ ଅନୁମତି ନାହିଁ । ଏବଂ ଏହି ଆଢୁଆଳରେ ପ୍ରକୃତ ତଥ୍ୟ ଲୁଚିଯିବାର ମଧ୍ୟ ଆଶଙ୍କା ରହିଛି ।

ଏସବୁ ଭିତରେ ମୟୁରଭଞ୍ଜ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓଙ୍କ ଟୁଇଟ ମଧ୍ୟ ଆସିଛି । ଏହି ଟୁଇଟରେ ସେ ଲେଖିଛନ୍ତି, ୨୭୫୦ କିଲୋମିଟରରେ ଶିମିଳିପାଳ ବିସ୍ତାରଲାଭ କରିଥିବା ବେଳେ ୨୧ଟି ରେଂଜରୁ ୮ଟି ରେଂଜକୁ ନିଆଁ ବ୍ୟାପିସାରିଛି । ଗଛ, ଜୀବଜନ୍ତୁ ଏବଂ ସରୀସୃପମାନେ ଏଥିରେ ଜଳିବାର ସମ୍ଭାବନା ନାହିଁ କି? ଏମାନଙ୍କ ସଂଖ୍ୟା କେତେ ଏହାକୁ ଓଜନ କରାଯାଇପାରିବ କି ? ଦକ୍ଷିଣ ଶିମିଳିପାଳ ଅର୍ଥାତ ଉଦଳା ବା କଂରଜିଆରେ ମଧ୍ୟ ଅନେକ ଜୀବଜନ୍ତୁ ରହୁଛନ୍ତି ।

ଖାଲି ଶିମିଳିପାଳ କାହିଁକି ରାଜ୍ୟରେ ୨୧୪ଟି ସ୍ଥାନରେ ଏବେ ଜଙ୍ଗଲ ଜଳୁଛି । ଯଦି ବନବିଭାଗ ଏହାକୁ ଗୁରୁତର ସହ ନ ନିଏ ତେବେ ଖରା ବଢିବା ସହିତ ଆଗକୁ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ମଧ୍ୟ ରହିଛି ।