ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ପୋଷ୍ଟମୋର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା ଘଟଣା ଉଲ୍ଲେଖ କରାଯାଇଥିବା ସୂଚନା

2,477

କନକ ବ୍ୟୁରୋ: ସାରା ରାଜ୍ୟକୁ ଦୋହଲାଇଦେଇଥିବା ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଆସାମୀ ରାକେଶ ସ୍ୱାଇଁ ଉପରେ ଏବେ ସବୁଠାରୁ ବଡ ପ୍ରଶ୍ନ । ଝରାଫୁଲକୁ ଭଲ ପାଇ ସବୁଠାରୁ ବଡ ବିଶ୍ୱାସଘାତ କରିଛି କି ଏହି ଧୋକାବାଜ ? ହୋଟେଲ ରୁମ ଭିତରେ ନିରୀହ ଝରାଫୁଲକୁ ହତ୍ୟା କରିଛି କି ରାକେଶ ? ଏଭଳି ଅନେକ ପ୍ରଶ୍ନ ଏବେ ରାକେଶ ଚାରିପଟେ ଘୁରିବୁଲୁଛି । ରିମାଣ୍ଡ ଅବଧି ସରିବା ପରେ ରାକେଶକୁ ଜେଲ ପଠାଇ ଦିଆଯାଇଛି ।

ଅନ୍ୟପଟେ ୩ଦିନ ରିମାଣ୍ଡରେ ରଖିବା ପରେ ଆଜି ପୋଲିସ କହିଛି ଆଉ ରିମାଣ୍ଡ ନେବାର ଆବଶ୍ୟକତା ନାହିଁ । ଅର୍ଥାତ ପୋଲିସ ରାକେଶ ଠାରୁ ସବୁ ସତ ଓଗାଳି ଦେଇଛି । କିନ୍ତୁ ଗଣମାଧ୍ୟମ ଆଗରେ ସେମାନେ କହୁନାହାନ୍ତି ପ୍ରକୃତରେ କଣ ଘଟିଛି । ଆଉ ତା ସହ ପୋଷ୍ଟମର୍ଟମରେ କୁଆଡେ ଏକ ବଡ ତଥ୍ୟ ସାମନାକୁ ଆସିଛି । ଶ୍ୱାସରୁଦ୍ଧ କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି । ଅର୍ଥାତ ନିଶ୍ୱାସ ନନେଇପାରିବା କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଛି ।

ଯଦି ଏହା ସତ ହୋଇଥାଏ ତେବେ ରାକେଶ ଉପରକୁ ଏହି ହତ୍ୟାର ଆରୋପ ସିଧାସଳଖ ଯିବା ନିଶ୍ଚିତ । କାରଣ ହୋଟେଲ ରୁମ ଭିତରେ ଆଉ କେହି ନଥିଲେ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୁତ୍ରରୁ ଏହି ଖବର ଆସିଛି, ଯେ ଶ୍ୱାସରୁଦ୍ଧ ହୋଇ ଝରାଫୁଲଙ୍କ ମୃତ୍ୟୁ ଘଟିଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲେଖ ରହିଛି ।

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ରାତିରେ ଘଟିଥିବା ଏହି ଘଟଣା ପରେ ପ୍ରଥମେ ମନେ ହେଉଥିଲା ଭିନ୍ନ କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥାଇପାରେ । କାରଣ ତାଙ୍କର ଶରୀରରେ କୌଣସି ଆଘାତ ଚିହ୍ନ ନଥିବା କୁହାଯାଉଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଥିବା ସୂଚନା ପୁରା ଘଟଣାର ମୋଡ ବଦଳାଇ ଦେଇଛି । ଏପଟେ ଝରାଫୁଲଙ୍କ ଭିସେରା ରିପୋର୍ଟ ଖୁବଶୀଘ୍ର ଆସିଯିବ । ଏହି ରିପୋର୍ଟରୁ ତଥ୍ୟ ମିଳିଯିବ, ଯେ ଝରାଫୁଲଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ହୋଇପାରେ ।