କନକ ବ୍ୟୁରୋ: ଆରମ୍ଭ ହେଇସାରିଛି ଭାରତ ଆଉ ଇଂଲଣ୍ଡ ଟେଷ୍ଟ ସିରିଜ୍ । ଗୁରୁବାରଠୁ ଏ ସିରିଜ ହାଇଦ୍ରାବାଦରୁ ଆରମ୍ଭ ହେଇଥିବାବେଳେ, ଦୁଇ ଦଳ ଏବେ ପଡିଆ ମଝିରେ କ୍ରିକେଟର ଯୁଦ୍ଧ ଲଢୁଛନ୍ତି । ହେଲେ ଏହାରି ଭିତରେ ଭାରତୀୟ ଟିମକୁ ନେଇ ଯେଉଁ ଖବର ଆସିଛି, ତାହା କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଗୁଡିଏ ପ୍ରଶ୍ନ ସୃଷ୍ଟି କରିଛି ।

ସତରେ କଣ ଶେଷ ହେଇଗଲା କି ରାହାଣେ ଆଉ ଚିତେଶ୍ୱର ପୂଜାରାଙ୍କ ଟେଷ୍ଟ କ୍ୟାରିୟର? ଆଉ କଣ ଧଳା ଜର୍ସିରେ ନଜର ଆସିବେନି ଏହି ଦୁଇ ସିନିୟର ଖେଳାଳି? ଏ ପ୍ରଶ୍ନ ଉଠିବାର କାରଣ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏହି ଦୁଇ ପ୍ଲେୟାରଙ୍କୁ ମୌକା ହିଁ ମିଳିନି । ତାଙ୍କ ବଦଳରେ ଟିମ୍ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କ ଉପରେ ଫୋକସ୍ କରିଥିବାବେଳେ, ଦଳରୁ ବାହାରେ ରହିଛନ୍ତି ଚିତେଶ୍ୱର ପୂଜାରା ଆଉ ଆଜିଙ୍କା ରାହାଣେ ।

ଅନ୍ୟପଟେ ବିରାଟ କୋହଲି ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିରୋଧରେ ପ୍ରଥମ ଦୁଇଟି ଟେଷ୍ଟ ନଖେଳିବାକୁ ଅନୁରୋଧ କରିଥିଲେ । ସେତେବେଳେ ଚର୍ଚ୍ଚା ହେଉଥିଲା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳକୁ ଫେରିପାରନ୍ତି, ଚିତେଶ୍ୱର ପୂଜାରା ନଚେତ୍ ଆଜିଙ୍କା ରାହାଣେ । ହେଲେ ସବୁ ଚର୍ଚ୍ଚାକୁ ମିଛ ପ୍ରମାଣିତ କରି, ଟିମ୍ ମ୍ୟାନେଜମେଣ୍ଟ କୋହଲିଙ୍କ ବଦଳରେ ରଜତ ପଟିଦାରଙ୍କୁ ସୁଯୋଗ ଦେଇଥିଲା । ଯାହା ପରେ ଏ ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟରକୁ ନେଇ ଏବେ ଚର୍ଚ୍ଚା ବଢିବା ଆରମ୍ଭ ହେଇଛି ।

ମ୍ୟାଚ୍ ପୂର୍ବରୁ ହେଇଥିବା ପ୍ରେସ୍ କନଫରେସନ୍ସରେ କ୍ୟାପଟେନ୍ ରୋହିତ ଶର୍ମା କହିଛନ୍ତି, ଆମେ ସିନିୟର ଖେଳାଳିଙ୍କୁ ଦଳକୁ ଆଣିବାକୁ ଚିନ୍ତା କରୁଥିଲୁ । ହେଲେ ସେତେବେଳେ ଯୁବ ଖେଳାଳିଙ୍କ କଥା ବି ଚିନ୍ତା କଲୁ । ସିନିୟର ଖେଳାଳିଙ୍କୁ ଦଳଠୁ ଦୂରେଇ ରଖିବା ନିଶ୍ଚୟ ସହଜ ନଥିଲା । କିନ୍ତୁ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବା ଦରକାର ବୋଲି ରୋହିତ କହିଥିଲେ । ଏଥିସହ ରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, କାହା ପାଇଁ ବି ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହେଇନି । ଫିଟ୍ ରହିବା ସହ ରନ୍ କଲେ ଖେଳାଳିମାନଙ୍କୁ ପୁଣି ଦଳରେ ମୌକା ମିଳିବ ।

ଭାରତୀୟ ଟେଷ୍ଟ ଟିମରେ ଏବେ ଚାଲିଛି ନବକଳେବର । ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସହ ପୁରୁଣା ଖେଳାଳିଙ୍କୁ ଦଳଠୁ ଦୂରରେ ରଖାଯାଉଛି । ଶେଷ ଥର ପାଇଁ ରାହାଣେ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଟେଷ୍ଟ ମ୍ୟାଚ୍ ଖେଳିଥିବାବେଳେ, ପୂଜାରା ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପରଠୁ ଦଳରେ ସ୍ଥାନ ପାଇନାହାଁନ୍ତି । ତେଣୁ ଆଗାମୀ ଦିନରେ ଏହି ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।