କ୍ୟାବିନେଟରେ ଅଦଳବଦଳ କରିବାକୁ ସଜବାଜ ହେଲେଣି କି ନବୀନ? ମନ୍ତ୍ରୀଙ୍କ ଠାରୁ ରିପୋର୍ଟ ମାଗିବା ପରେ ପାୱାର କରିଡରରେ ବଢିଲା ଚର୍ଚ୍ଚା

326

କନକ ବ୍ୟୁରୋ: ପାୱାର କରିଡରରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ମନ୍ତ୍ରୀମଣ୍ଡଳ କେବେ ଅଦଳ ବଦଳ ହେବ, କିଏ ବାଦ ପଡ଼ିବ ଓ କିଏ ସାମିଲ ହେବ । ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ରିପୋର୍ଟ ମାଗିବା ପ୍ରସଙ୍ଗ । କୁହାଯାଉଛି ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ପୂର୍ବରୁ ନବୀନ ନିଜର ନୂଆ ଟିମ୍ ଗଠନ କରିବେ ।

  • ମୁଖ୍ୟମନ୍ତ୍ରୀ ମାଗିଲେ ମନ୍ତ୍ରୀଙ୍କ ରିପୋର୍ଟ
  • କଣ କରିଛ, ଯୋଜନା ରୂପାୟନର ସଫଳତା କେତେ?

ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ଆଗରୁ ନବୀନ ନିଜ ନୂଆ ଟିମ୍ ଗଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ତାର ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  • ଦାୟିତ୍ୱ ନେବା ପରେ ବିଭାଗର ପ୍ରଦର୍ଶନ କିଭଳି ରହିଛି?
  • କେଉଁ ସବୁ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି?
  • ବିଭାଗରେ ୫-ଟି କାର୍ଯ୍ୟକାରୀ ହେବା ପରେ କଣ ପରିବର୍ତନ ହୋଇଛି?
  • ଜନତାଙ୍କ ନିକଟରେ ବିଭାଗ ଉତ୍ତରଦାୟୀ ରହି କାର୍ଯ୍ୟ କରିପାରିଛି କି?
  • କେଉଁ ସବୁ ଦିଗ ପ୍ରତି ବିଭାଗ ସଜାଗ ନରହିବାରୁ ସମସ୍ୟା ଉପୁଜିଛି?

କିଛି ଏଭଳି ଢଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ ତିଆରି କରିବାକୁ କୁହାଯାଇଛି । ମନ୍ତ୍ରୀ ଯାହା ରିପୋର୍ଟ ଦେବେ ତାହା ଯେ ଚୂଡାନ୍ତ ସେଭଳି ନୁହେଁ, କାରଣ ସମାନ୍ତରାଳ ଭାବେ ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମଧ୍ୟ ରିପୋର୍ଟ ସଂଗ୍ରହ କରାଯାଇଛି । ତେଣୁ ଆଲୋଚନା ବେଳେ କେହି ଫାଙ୍କିଦେବା ସମ୍ଭାବନା କମ୍ ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଏହା ପ୍ରାଥମିକ ଅଙ୍କକଷା ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ସବୁ ବିଭାଗର ସମୀକ୍ଷା ପରେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯିବ ଆଉ ଏହାପରେ ନୂଆ ମନ୍ତ୍ରୀଙ୍କୁ ନେଇ ନୂଆ ଟିମ୍ ଗଢିବେ ନବୀନ । ଯାହାଙ୍କ କାନ୍ଧ ଉପରେ ରହିବ ମିଶନ୍ ୨୦୨୪ ଦାୟିତ୍ୱ । କାରଣ ନିର୍ବାଚନ ଯେତେ ପାଖେଇ ଆସିବ, ସେତେବେଳେ ଉଭୟ ଦଳ ଆଉ ସରକାର ଆହ୍ୱାନର ସାମ୍ନା କରିବ । ସେତେବେଳେ ଏମାନେ ହିଁ ଦଳ ପାଇଁ ତ୍ରାଣକର୍ତ୍ତା ସାଜିବେ ବୋଲି କୁହାଯାଉଛି ।

୨୦୧୯ରେ ଏକାସଙ୍ଗେ ଓଡିଶା ଓ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନ ହୋଇଥିଲା । ପୂରା କ୍ୟାବିନେଟକୁ ଇସ୍ତଫା ଦେବାକୁ କହି ଜଗନ ମୋହନ ରେଡୀ, ୧୧ ତାରିଖରେ ନୂଆ ଟିମ୍ ଗଢିବାକୁ ଯାଉଛନ୍ତି, ତେଣୁ ଓଡିଶା ଉପରେ ବି ନଜର ରହୁଛି । ୨୦୧୭ରେ ଯୁବ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ନବୀନ ସଂଗଠନ କାମରେ ଲଗାଇଥିଲେ । ତେଣୁ ୨୦୨୪ ପାଇଁ ବି ସମାନ ଫର୍ମୁଲା ଆପଣାଇ ପାରନ୍ତି ନବୀନ । କାରଣ ସଂଗଠନ ସୁଦୃଢ ରହିଲେ, ୨୦୨୪ର ରାସ୍ତା ସୁଗମ ହେବ । ସେହିଭଳି ବିବାଦୀୟ, ପ୍ରଦର୍ଶନ ଖରାପ ଥିବା ମନ୍ତ୍ରୀଙ୍କୁ ବାଦ୍ ଦେଇ ନବୀନ ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା କରିବେ ।