ସଚିବଙ୍କ ଗସ୍ତ ପରେ ସ୍ୱାସ୍ଥ୍ୟସେବା ପାଇଁ ସଂଘର୍ଷ । ଲମ୍ବା ଲାଇନରେ ଘଂଟା ଘଂଟା ଛିଡ଼ା ହୋଇ ହତାଶ ହୋଇ ଫେରୁଛନ୍ତି ରୋଗୀ । ସେପଟେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସଜା ଚାଲିଛି ସୁନ୍ଦରଗଡ଼ ଡାକ୍ତରଖାନା ।

241

କନକ ବ୍ୟୁରୋ : ଡାକ୍ତରଖାନାରେ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ଲୋକ ଦେଖାଣିଆ ନା ବାସ୍ତବିକ ଲୋକଙ୍କୁ ମିଳୁଛି ସେବା । ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି, କାରଣ ଫାଇଭ-ଟି-ସଚିବଙ୍କ ଗସ୍ତ ପୂର୍ବରୁ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା, ଗସ୍ତ ପରର ଦୃଶ୍ୟ ଥିଲା ସମ୍ପୁର୍ଣ୍ଣ ଭିନ୍ନ । ବିଶେଷକରି ଫାଇଭ-ଟି-ସଚିବଙ୍କ ଗସ୍ତ ପରର ଦୃଶ୍ୟ ଦେଖିଲେ ଆପଣ ବି ଅନୁମାନ କରିପାରିବେନି, ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ପାଇଁ ଜନସାଧାରଣଙ୍କୁ କେତେ ସଂଘର୍ଷ କରିବାକୁ ପଡୁଛି ।

ଫାଇଭ-ଟି ସଚିବଙ୍କ ମାଲକାନଗିରି ହସ୍ପିଟାଲ ପରିଦର୍ଶନ ପରେ, କେମିତି ଚାଲିଛି ସ୍ୱାସ୍ଥ୍ୟସେବା ତା’ର ସ୍ଥିତି ଅନୁଧ୍ୟାନ କରିବାକୁ ଆମେ ଯେତେବେଳେ ହସ୍ପିଟାଲ ଭିତରେ ପ୍ରବେଶ କରିଥିଲୁ ସାମ୍ନାକୁ ଆସିଥିଲା ସାଂଘାତିକ ଚିତ୍ର । ଓ.ପି.ଡିରେ ଲାଗିଥିଲା ଲମ୍ବା ଲମ୍ବା ଧାଡି । ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କୁ ୩ ଘଂଟା ଯାଏଁ ଲାଇନରେ ଠିଆ ହେବାକୁ ପଡୁଥିଲା । ଆଉ ଓ.ପି.ଡି ଟିକଟ ପାଇଲା ବେଳକୁ ଡାକ୍ତରଙ୍କ ଦେଖା ନାହିଁ । କାରଣ ୮ରୁ ୧୨ ଯାଏଁ ଓ.ପି.ଡି କ୍ଲିନିକରେ ବସନ୍ତି ଡାକ୍ତର ମାନେ । ଆଉ ୧୨ ଟା ପରେ ସମସ୍ତ ବିଭାଗର ଓପିଡିରେ ଝୁଲୁଛି ତାଲା ।

ଏପଟେ ଓ.ପି.ଡି କାଉଂଟରରେ ଅନଲାଇନ୍ ରେଜଷ୍ଟ୍ରେସନ ଲାଗି କେବଳ ଗୋଟିଏ ମାତ୍ର କମ୍ପ୍ୟୁଟର ଥିବା ଯୋଗୁଁ ଏପରି ଅବ୍ୟବସ୍ଥା ହେଉଥିବା କହିଛନ୍ତି ଓ.ପି.ଡି ଅପରେଟର । ସେପଟେ ଖୁବ ଶୀଘ୍ର ଆଉ ଏକ ଓପିଡି କାଉଣ୍ଟର ଖୋଲାଯିବ ବୋଲି କହିଛନ୍ତି ମାଲାକନଗିରି ସି.ଡି.ଏମ.ଓ ।

ଫାଇବ୍-ଟି ସଚିବ ଯିବା ପରେ କେଉଁ ସ୍ଥିତି ତ’ ଜାଣିଲେ, ଏବେ ଆସନ୍ତୁ ଜାଣିବା ଭିକେ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ସୁନ୍ଦରଗଡ଼ରେ କେଉଁ ଭଳି ସ୍ଥିତି ରହିଛି । ସୁନ୍ଦରଗଡରେ ଜୋରସୋରରେ ଚାଲିଛି ମରାମତି କାମ । ବାଥରୁମରେ ନୂଆ ଫିଟିଙ୍ଗସ୍ ଲାଗୁଛି, ମାଟି କାଦୁଅ ପଚପଚ୍ ଯାଗାକୁ କଂକ୍ରିଟ୍ କରାଯାଉଛି । ଆଉ ଏହା ସହ ନୂଆ ଆସବାବ ପତ୍ର ଅଣାଯାଇ ଫିଟିଙ୍ଗ କରାଯାଉଛି ।

କହିବାକୁ ଗଲେ ପୂରା ଜିଲ୍ଲା ମୁଖ୍ୟଚିକିତ୍ସାଳୟର କଳେବର କରାଯାଉଛି । କାହିଁକି ନା ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବେ ଫାଇଭ-ଟି ସଚିବ, ସ୍ୱାସ୍ଥ୍ୟ ସଚିବ, ଏନଆରଏଚଏମ ନିର୍ଦ୍ଦେଶିକାଙ୍କ ସମେତ ଅନ୍ୟ ବଡ ବଡ ଅଧିକାରୀ । ଆଉ ବରିଷ୍ଠ ଅଧିକାରୀଙ୍କ ଆଗରେ ସବୁ କିଛି ଠିକଠାକ୍ ଚାଲିଛି ତାହା ଦେଖାଇବାକୁ ଦିନରାତି ଏକ କରିଦେଇଛି ହସ୍ପିଟାଲ କର୍ତୃପକ୍ଷ ।