ଭୁବନେଶ୍ୱର ଓ କଟକରେ ଖୁଲମଖୁଲା ଚାଲିଛି ମଦ ବେପାର: ଅନଲାଇନ ବିକ୍ରି ପାଇଁ ଖୋଲିବାବେଳେ କାଉଣ୍ଟର ଆଗରେ ଲୋକଙ୍କ ଭିଡ; ବାପୁଜୀ ନଗର ଓ ପୁରୁଣା ଷ୍ଟେସନ ବଜାର କାଉଂଟର ବନ୍ଦ କଲା ପୁଲିସ

ଚନ୍ଦ୍ରଶେଖରପୁରରେ କାଉଁଟର ଖୋଲୁ ଖୋଲୁ ବୋହି ନେଲେ ପେଟି ପେଟି ମଦ

425

କନକ ବ୍ୟୁରୋ: ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫ୍ ଲାଇନ ମଦ ବିକ୍ରି । ସରକାର ଅନଲାଇନରେ ମଦ ବିକ୍ରି ନିୟମର ଖୋଲା ଉଲଂଘନ କରାଯାଉଛି । ଆଜି ମଦ ବିକ୍ରିର ଏପରି କିଛି ଚିତ୍ର ନଜର ଆସିଥିଲା । ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରେ କାଉଁଟର ଖୋଲିବା ଆଗରୁ ଲାଗି ରହିଥିଲା ଶହ ଶହ ଲୋକଙ୍କ ଗହଳି । ଦୋକାନ କାଉଁଟର ଖୋଲିଲା ତ ମଦ ସବୁ ଝାମ୍ଫି ନେଲେ ଲୋକେ । ପେଟି ପେଟି ମଦ ବୋହି ନେଲେ । ସେତେ ଯେମିତି ମଦ ଆଉ ଆଗକୁ ମିଳିବନାହିଁ । ତାଲାବନ୍ଦ କଟକଣା କୋହଳ ପରେ ପ୍ରାୟ ୩ ମାସ ପରେ କାଉଁଟର ଖୋଲିଥିଲା । ଆଉ କାଉଁଟର ଖୋଲୁଖୋଲୁ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଅନଲାଇନ ମଦ ବିକ୍ରି କରିବାକୁ ସରକାର ନିୟମ କରିଛନ୍ତି । କାଉଁଟର ଖୋଲିବ ହେଲେ ଅନଲାଇନରେ ମଦ ଡେଲଭରୀ କରିବା ପାଇଁ । ହେଲେ ଏହି ନିୟମର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ରାଜଧାନୀର ବାପୁଜୀ ନଗର ଓ ପୁରୁଣା ଷ୍ଟେସନ ବଜାର ଅଂଚଳରେ ମଦ ଦୋକାନ ଆଗରେ ବଡ ଗହଳି ଦେଖିବା ପରେ କାଉଁଟର ଗୁଡିକୁ ବନ୍ଦ କରିଥିଲା ପୋଲିସ । କିଛି କାଉଁଟରରେ କ୍ୟାମେରା ଦେଖିବା ମାତ୍ରେ ଲୋକେ ଦୌଡି ପଳାଉଥିବା ଦେଖିବାକୁ ମିଳିଛି । ଭୁବନେôଶ୍ୱର ପରି କଟକରେ ମଧ୍ୟ ଆଜି ଠାରୁ ମଦ ବିକ୍ରି ଆରମ୍ଭ ହୋଇଛି । କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଅନ୍ ଲାଇନ୍ ମଦ ବିକ୍ରି ପାଇଁ କାଉଁଟର ଖୋଲିଛନ୍ତି । ଅନଲାଇନରେ ବୁକିଂ ଅନୁସାରେ ଡେଲିଭରି ଦିଆଯିବା ନେଇ ବ୍ୟବସ୍ଥା କରିଛନ୍ତି ବ୍ୟବସାୟୀ ।