ଏଟିଏମରୁ ବାହାରିଛି କି ଚିରା ନୋଟ୍ ? ଚିନ୍ତା କରନ୍ତୁ ନାହିଁ ତୁରନ୍ତ ବଦଳିପାରିବ ନୋଟ୍

212

କନକ ବ୍ୟୁରୋ: ବେଳେ ବେଳେ ଆପଣ ଏଟିଏମରୁ ଟଙ୍କା ବାହର କରିବା ବେଳେ ଚିରାଫଟା ନୋଟ ବାହାରିଥାଏ । ଏହାକୁ ନେଇ ଲୋକମାନେ ବେସ ଚିନ୍ତା ମଧ୍ୟ କରିଥାନ୍ତି । କାରଣ ଏଟିଏମ ଭିତରକୁ ସେହି ଟଙ୍କା ଫେରିପାରବ ନାହିଁ । କିମ୍ବା ବଜାରରେ କେହି ଏହାକୁ ନେବେ ନାହିଁ । ଯଦି ଆପଣ କେବେହେଲେ ଏଭଳି ଅସୁବିଧାର ସାମ୍ନା କରୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଏଭଳି ଚିରାଫଟା ନୋଟକୁ ବଦଳାଇବାର ଦାୟିତ୍ୱ ବ୍ୟାଙ୍କ ଉପରେ ରହିଛି । ଏଟିଏମରୁ ବାହାରଥିବା ଚିରାଫଟା ନୋଟକୁ ନେଇ ଆପଣ ସିଧା ବ୍ୟାଙ୍କରେ ପହଞ୍ଚନ୍ତୁ । ଆସନ୍ତୁ ଜାଣିବା ନୋଟ ବଦଳାଇବାପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ । ଏହା ପାଇଁ କଣ ରହିଛି ନିୟମ?

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ନିୟମ କରିଛି । ନିୟମ ଅନୁସାରେ ବ୍ୟାଙ୍କ ଏଟିଏମରୁ ବାହାରୁଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ମନାକରିପାରିବେ ନାହିଁ । ଆପଣ ଅତି ସହଜରେ ଏହାକୁ ବଦଳାଇପାରିବୋ ଆପଣଙ୍କୁ ଏଥିପାଇଁ କୌଣସି ଚାର୍ଜ ଲାଗିବ ନାହିଁ । ୨୦୧୬ ଜୁଲାଇରେ ରିଜର୍ଭ ବ୍ୟାଙ୍କ ଏକ ସର୍କୁଲାର ଜାରିକରିଥିଲା । ଏଥିରେ କୁହାଯାଇଥିଲା ଯେ ଯଦି ବ୍ୟାଙ୍କ ନୋଟ ପରିବର୍ତ୍ତନ କରିବା ପାଇଁ ମନାକରିଦିଏ ତେବେ ଏହା ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହେବ । ଏହି ନିୟମ ସବୁ ବ୍ୟାଙ୍କ ଉପରେ ଲାଗୁ ହେବ । ରିଜର୍ଭ ବ୍ୟାଙ୍କ ଅନୁସାରେ ଯଦି ଏଟିଏମରୁ ଖରାପ କିମ୍ବା ନକଲି ନୋଟ ବାହାରିଥାଏ ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ବ୍ୟାଙ୍କର । ଯଦି କୌଣସି ବି ନୋଟ ଖରାପ ବାହାରିଥାଏ ତାର ଯାଞ୍ଚ ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯିବା ଦରକାର । ଯଦି ନୋଟର ସିରିଏଲ ନଂ, ମହାତ୍ମା ଗାନ୍ଧୀଙ୍କ ୱାଟରମାର୍କ ଏବଂ ଗଭର୍ଣ୍ଣରଙ୍କ ଦସ୍ତଖତ ଥିଲେ ବ୍ୟାଙ୍କ କୌଣସି ବି ପରିସ୍ଥିତିରେ ଏହା ବଦଳାଇବାକୁ ବାଧ୍ୟ ।

ଅନେକ ସମୟରେ ରିଜର୍ଭ ବ୍ୟାଙ୍କ ଚିରାଫଟା ନୋଟକୁ ନେଇ ସର୍କୁଲାର ଜାରିକରିଥାଏ । ଆପଣ ଅତି ସହଜରେ କୌଣସି ବ୍ୟାଙ୍କର ଶାଖାକୁ ଯାଇ ଏହାକୁ ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ଥରରେ ଅଧିକରୁ ଅଧିକ ୨୦ଟି ଚିରା ନୋଟ ବଦଳାଇପାରିବ । ଏହାର ମୂଲ୍ୟ ୫ ହଜାର ଟଙ୍କା ରହିବା ଦରକାର । ସେହିଭଳି ପୂରା ଜଳିଯାଇଥିବା କିମ୍ବା ଟୁକୁଡା ଟୁକୁଡା ହୋଇଥିବା ନୋଟକୁ ବଦଳାଯାଇପାରିବ ନାହିଁ ।

ଚିରାଫଟା ନୋଟକୁ ବଦଳାଇବା ପାଇଁ ଆପଣଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡିବ ଆପଣ ଯେଉଁ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିଛନ୍ତି । ଆପଣଙ୍କୁ ସେଠାରେ ଗୋଟିଏ ଦରଖାସ୍ତ ଲେଖିବାକୁ ପଡିବ । ଯେଉଁଥିରେ ଆପଣଙ୍କୁ ଟଙ୍କା ବାହାର କରିବାର ତାରିଖ, ସମୟ ଏବଂ ଯେଉଁ ସ୍ଥାନରୁ ଟଙ୍କା ବାହାର କରିଛନ୍ତି ତାର ତଥ୍ୟ ଦେବାକୁ ପଡିବ । ଏହା ସହ ଆପଣଙ୍କୁ ଏଟିଏମରୁ ବାହରୁଥିବା ନେଣଦେଣର ବିବରଣୀ ସ୍ଲିପକୁ ଦେବାକୁ ପଡିବ । ଯଦି ସ୍ଲିପ ନବାହରିଥାଏ ତେବେ ମୋବାଇଲରେ ଆସୁଥିବା ଟ୍ରାନଞ୍ଜାକସନର ତଥ୍ୟ ଦେବାକୁ ହେବ । ଏହା ପରେ ଆପଣଙ୍କ ନୋଟ ବ୍ୟାଙ୍କ ବଦଳାଇ ଆପଣଙ୍କୁ ନୂଆ ନୋଟ ପ୍ରଦାନ କରିବେ ।