କନକ ବ୍ୟୁରୋ : ରସୁଣକୁ ରୋଷେଇରେ ମସଲା ଭାବରେ ବ୍ୟବହାର କରାଯାଏ । ଏହାକୁ ସାଧାରଣତଃ ପିଆଜ ସହିତ ମିଶାଇ ମସଲା ପ୍ରସ୍ତୁତି କରାଯାଏ । ଏହା ରୋଷେଇରେ ମଧ୍ୟ ସ୍ୱାଦ ବଢାଇଥାଏ । ତେଣୁ ଏହାକୁ ସାଧାରଣତଃ ରୋଷେଇ କ୍ଷେତ୍ରରେ ମସଲା ଭାବରେ ବ୍ୟବହାର କରାଯାଏ । ନିକଟରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ରସୁଣକୁ ପନିପରିବା ଶ୍ରେଣୀଭୁକ୍ତ କରିବାକୁ ରାୟ ଦେଇଛନ୍ତି । ଏହି ସମସ୍ୟା ୨୦୧୫ରେ ଆରମ୍ଭ ହୋଇଥିଲା । ଯେତେବେଳେ ମଧ୍ୟପ୍ରଦେଶ ମାର୍କେଟ୍ ବୋର୍ଡ ଏକ ସଂକଳ୍ପ ପାରିତ କରିଥିଲା । ଯେଉଁଥିରେ ରସୁଣକୁ ପନିପରିବା ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା । କିନ୍ତୁ କୃଷି ବିଭାଗ ତୁରନ୍ତ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ୧୯୭୨ ର କୃଷି ଉତ୍ପାଦ ବଜାର ସମିତି ଆଇନ ଅନୁଯାୟୀ ରସୁଣକୁ ମସଲା ବୋଲି ଆଖ୍ୟା ଦେଇଥିଲା ।

Advertisment

ପୋଟାଟୋ, ଅନିଅନ ଗାର୍ଲିକ ଆସୋସିଏସନ ଏହାକୁ ୨୦୧୬ରେ ଚ୍ୟାଲେଞ୍ଜ କରିଥିଲା । ଏହାପରେ ୨୦୧୭ରେ କୋର୍ଟ ରସୁଣକୁ ପନିପରିବା ଭାବରେ ବର୍ଗୀକରଣ କରିଥିଲେ। ତେବେ ଏହି ନିଷ୍ପତ୍ତି ବିବାଦୀୟ ଥିଲା, କାରଣ କିଛି ବ୍ୟବସାୟୀ ଯୁକ୍ତି ବାଢ଼ିଥିଲେ ଯେ ଏହା କୃଷକଙ୍କ ଅପେକ୍ଷା କମିଶନ ଏଜେଣ୍ଟମାନଙ୍କୁ ଅଧିକ ଫାଇଦା ଦେଇଛି । ତେବେ ଚଳିତବର୍ଷ ଜାନୁଆରୀରେ ଦୁଇ ଜଣିଆ ଖଣ୍ଡପୀଠ ରସୁଣକୁ ମସଲା ଭାବରେ ପୁନଃବର୍ଗୀକୃତ କରି ୨୦୧୭ର ରାୟକୁ ହଟାଇଥିଲେ । ପ୍ରାରମ୍ଭିକ ନିଷ୍ପତ୍ତି ମୁଖ୍ୟତଃ ଚାଷୀଙ୍କୁ ନୁହେଁ ବରଂ ବ୍ୟବସାୟୀଙ୍କୁ ଫାଇଦା ଦେଇଥାନ୍ତା ବୋଲି କୋର୍ଟ କହିଛନ୍ତି । ତେବେ ମାର୍ଚ୍ଚରେ ରସୁଣ ବ୍ୟବସାୟୀ ଓ କମିଶନ ଏଜେଣ୍ଟମାନେ ଏହି ନିର୍ଦ୍ଦେଶର ସମୀକ୍ଷା ପାଇଁ ଦାବି କରିଥିଲେ । ଏବେ କୋର୍ଟ ୨୦୧୭ର ରାୟକୁ ବଜାୟ ରଖିଛନ୍ତି । ଅର୍ଥାତ ରସୁଣକୁ ପନିପରିବା ଶ୍ରେଣୀଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।