ମିଛ ହେଲା ଏକଜିଟ୍ ପୋଲ୍ ? ମୋଦି ମ୍ୟାଜିକ୍ ଆଗରେ ଫିକା ପଡିଗଲା କି ତେଜସ୍ୱୀଙ୍କ ତେଜ ? ଦେଖନ୍ତୁ ବିହାର ନିର୍ବାଚନର ଟିକନିଖ୍ ଖବର ।

ବିହାର ବ୍ୟାଟେଲ୍

433

କନକ ବ୍ୟୁରୋ : କିଏ ହେବ ବିହାରର ବାଦଶାହା ? ନେତାଙ୍କ ମନରେ ଛନକା, ସେପଟେ ଚାଲିଛି ହିସାବନିକାଶ । ବିହାର ରାଜନୀତିରେ ବୋଧହୁଏ ଏମିତି ଲଢେଇ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏକଜିଟ୍ ପୋଲର ଆକଳନ ଆଉ ନେତାଙ୍କ ଦମ୍ଭୋକ୍ତି ଭିତରେ ଜନାଦେଶ କିନ୍ତୁ କିଛି ଅଲଗା ଦିଗକୁ ଇସାରା କରିଛି ।

ବୁଥ ବାହୁଡା ମତରେ, ମହାମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ଆକଳନ କରାଯାଇଥିଲା । ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ଏଥର ବିହାରରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ସରକାର ଗଢିବା ନେଇ ସମସ୍ତେ ଆଶାବାଦୀ ଥିଲେ । କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡିଂ ଫଳାଫଳ ଅନୁଯାୟୀ, ଏନଡିଏ ଆଗରେ ରହିଛି । ଆଉ ନିର୍ବାଚନ ଫଳାଫଳରୁ ଗୋଟିଏ ଦିଗକୁ ଇସାରା କରୁଛି ଯେ, କେଉଁଠି ନା କେଉଁଠି ନା କେଉଁଠି ମୋଦିଙ୍କ ମ୍ୟାଜିକ ଆଗରେ ତେଜସ୍ୱୀଙ୍କ ତେଜ ଫିକା ପଡିଯାଇଛି ।

ତେବେ ବର୍ତ୍ତମାନର ରିପୋର୍ଟ ସୁଦ୍ଧା, ଏନଡିଏ ୧୨୯ ଆସନ ସହ ଆଗରେ ରହିଥିବା ବେଳେ, ମହାମେଣ୍ଟ ୧୦୪ ଆସନ ସହ ଆଗକୁ ବଢୁଛି । ତେବେ ଆଗକୁ ଫଳାଫଳ କଣ ହେବ, ତାଉପରେ ରହିଛି ସମସ୍ତଙ୍କ ନଜର । କାରଣ ବର୍ତ୍ତମାନ ଏମିତି ବି ଅନେକ ଆସନ ରହିଛି ଯେଉଁଠି କି, ୫୦୦ରୁ ଅଳ୍ପ ଭୋଟ୍ ବ୍ୟବଧାନରେ ପଛରେ ରହିଛି ଆରଜେଡି ।

ତେବେ ବିହାର ନିର୍ବାଚନରେ ଏଥର ଦେଖିବାକୁ ମିଳିଛି କଡା ଟକ୍କର । ଗୋଟିଏ ପଟେ ବିହାର ରାଜନୀତିର ମୋଡ ବଦଳାଇଦେବା ଭଳି ଶକ୍ତି ରଖିଥିବା ତେଜସ୍ୱୀ ଯାଦବ । ଅନ୍ୟପଟେ ବିହାରରେ ଏନଡିଏର ନେତା ନୀତିଶ କୁମାର । ଗତ ୧୫ ବର୍ଷ ହେଲା ବିହାରରେ କ୍ଷମତା ତାଙ୍କରି ହାତରେ ରହିଛି । ସରକାରରେ ବସି ଶାସନକୁ ଯେଉଁ ଦିଗରେ ମୋଡିଛନ୍ତି, ଏନଡିଏ ତାକୁ ହିଁ ଲକ୍ଷ୍ୟ ବୋଲି ଧରିନେଇଛି ।

ଚଳିତ ନିର୍ବାଚନରେ ଯୁବବର୍ଗଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲେ ଆରଜେଡିର ଯୁବ ନେତା ତେଜସ୍ୱୀ ଯାଦବ । ସଭାମଂଚ ନିକଟରେ ବିପୁଳ ଭିଡ ଜମାଇ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଜୋରଦାର ଆକ୍ରମଣ କରୁଥିଲେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ । କେବଳ ଏତିକି ନୁହେଁ ନିର୍ବାଚନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଆରଜେଡିର ଏହି ଯୁବ ନେତା । ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ଏକ ଆଂଚଳିକ ପାର୍ଟି ହୋଇଥିବାରୁ ରୋଜଗାର ଏହାର ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା ।

ବିହାର ନିର୍ବାଚନୀ ମଇଦାନରେ ଗୋଟିଏ ପଟେ ଏନଡିଏ ରହିଥିବା ବେଳେ ଏହାକୁ କଡା ମୁକାବିଲା ଦେଇଛି ମହାମେଂଟ । ବିଜେପି ଓ ଜେଡିୟୁ, ଏନଡିଏରେ ରହିଥିବା ବେଳେ ମହାମେଂଟରେ ଅଛନ୍ତି ଆରଜେଡି ସହ କଂଗ୍ରେସ ଓ ବାମଦଳ । ମହାମେଂଟ ବିରୋଧରେ ବିଜେପି ଓ ଜେଡିୟୁର ମିଳିତ ଆକ୍ରମଣକୁ ଏକାକି କାଉଂଟର କରିଛନ୍ତି ଆରଜେଡିର ଯୁବନେତା ତେଜସ୍ୱୀ ଯାଦବ । ନୂଆ ବିହାରର ନୂଆ ଚେହେରା ଭାବେ ବିକାଶର ସ୍ୱପ୍ନ ଦେଖାଇଛନ୍ତି । ସେପଟେ ଏକାକି ଲଢୁଛି ଲୋକ ଜନଶକ୍ତି ପାର୍ଟି ।

ବିହାର ନିର୍ବାଚନରେ ଏନଡିଏ ବିରୋଧରେ ମହାମେଂଟର ମଙ୍ଗ ଧରିଛନ୍ତି ତେଜସ୍ୱୀ । ସରକାରୀ ଚାକିରି, ରୋଜଗାର, ଦାଦନ ଶ୍ରମିକ ଭଳି ଯୁବବର୍ଗଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗରେ ଜନମତ ସୃଷ୍ଟି କରୁଥିଲେ । ହେଲେ ଜେଡିୟୁ, ବିଜେପି ଭଳି ଏନଡିଏ ମେଂଟ କେବଳ ୧୫ବର୍ଷ ଲାଲୁରାଜ କଥା କହି ଭୋଟରଙ୍କ ଭରସା ଜିତିବାକୁ ପ୍ରୟାସ ଚଳାଇଥିଲା । ତେବେ ଏକଜିଟ୍ ପୋଲର ଆକଳନ ଆଉ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ଆଉ କିଛି ସମୟକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, ଜନାଦେଶ କାହା ସପକ୍ଷରେ ଯାଇଛି ଆଉ କିଏ ବନୁଛି ବିହାରର ବାଦଶାହା ।