କନକ ବ୍ୟୁରୋ: ହଜାର ହଜାର ଲୋକଙ୍କ ରାଲି ଏବଂ ଲକ୍ଷାଧିକ ଲୋକଙ୍କୁ ନେଇ ହେଉଥିବା ସମାବେଶ ଭିତରେ ଆପଣ, ନିର୍ବାଚନ ଜିତିବାର ଜୋସ୍, ଦଳୀୟ କର୍ମୀଙ୍କୁ ଉତ୍ସାହିତ କଲା ଭଳି ଭାଷଣ ଏବଂ ଶାସକ-ବିରୋଧୀ ଲଢ଼େଇ, ସବୁ କିଛି ପାଇବେ । କିନ୍ତୁ ଭୂତାଣୁକୁ ନେଇ ଭୟ, କୋଭିଡ୍ କଟକଣା ଏବଂ ସାମାଜିକ ଦୂରତା ଖୋଜିଲେ ବି ପାଇବେ ନାହିଁ । କରୋନାର କୋକୁଆ ଭୟରେ ଯେଉଁ ସବୁ ତଥ୍ୟ ଆସୁଛି, ତାର କୌଣସି ପ୍ରଭାବ ହୁଏତ ନିର୍ବାଚନ ରାଲି ଉପରେ ପଡୁନି ।

Advertisment

କରୋନା ଆକ୍ରାନ୍ତଙ୍କ ପରିସଂଖ୍ୟାନ ଏବଂ ନିର୍ବାଚନ ରାଲିରେ ଦେଖା ଯାଉଥିବା ଜନସମୁଦ୍ର- ଏହି ଦୁଇଟି ଘଟଣା କେତେ ବିରୋଧାଭାଷ ରହିଛି ତାହା ଆପଣ ଜାଣିପାରୁଥିବେ । କାହିଁକି ନା ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରତିଦିନ ଭୟଙ୍କର ତଥ୍ୟ ଦେଉଛି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଆଉ ଗୋଟିଏ ପଟେ ନିର୍ବାଚନ ହେଉଥିବା ରାଜ୍ୟରେ କରୋନା ନିୟମକୁ ଫୁ’ କରି ପ୍ରଚାର ଚାଲିଛି ।

ଆଗାମୀ ୪ ସପ୍ତାହ ସାରା ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଓ କିଛି ରାଜ୍ୟରେ ସ୍ଥିତି ଚିନ୍ତାଜନକ ବୋଲି କୁହାଯାଉଥିବା ବେଳେ, ନିର୍ବାଚନ ପ୍ରଚାର ସମୟରେ ଯେଉଁ ସବୁ ଚିତ୍ର ଆସୁଛି, ତାହା ସମସ୍ତଙ୍କୁ ବିସ୍ମିତ କରୁଛି । ନିୟମ, କାନୁନ, କଟକଣା, ସଚେତନାକୁ ତିଳେ ହେଲେ ଖାତିର ନକରି, ସବୁ ରାଜନୈତିକ ଦଳ ନିଜ ନିଜ ଲକ୍ଷ୍ୟରେ ପହଂଚିବାରେ ଉଦ୍ୟମ କରୁଛନ୍ତି । କିନ୍ତୁ ଏହାର ପରିଣାମ ଉପରେ ହୁଏତ କାହାରି ଖାତିର୍ ନାହିଁ ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନ ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ଦଳଙ୍କ ଉର୍ଦ୍ଦେଶ୍ୟରେ ଏକ ଆଡ୍ଭାଇଜରି ଜାରି କରିଥିଲେ । ଯେଉଁଥିରେ ପ୍ରଚାର ସମୟରେ ଦଳ ଗୁଡ଼ିକ ଯେଉଁ ସବୁ ପଦକ୍ଷେପ ନେବେ କୁହାଯାଇଥିଲା । ଏଥିରେ ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ କୁହାଯାଇଥିଲା ।

  • ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡ଼ିକ ଜନସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବେ
  • ମାସ୍କ, ସାନିଟାଇଜର ଏବଂ ସମାଜିକ ଦୂରତା ପାଳନ କରିବେ
  • ଜନସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଲା ଭଳି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ

ହେଲେ ବିଡ଼ମ୍ବନା ବିଷୟ, ଗୋଟିଏ ପରେ କରୋନା ବଢିଚାଲିଛି, ଆଉ ଗୋଟିଏ ପଟେ ନିର୍ବାଚନ ହେଉଥିବା ରାଜ୍ୟରେ ପ୍ରଚାର ପାଇଁ କୋଭିଡ୍ କଟକଣାକୁ ବେଖାତିର୍ କରାଯାଉଥିବା ସ୍ପଷ୍ଟ ଦେଖାଯାଉଛି ।