ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ ।

344

କନକ ବ୍ୟୁରୋ : ଉହାନ ଲ୍ୟାବରୁ ବାହାରିଛି କି ମାରାତ୍ମକ ଭୂତାଣୁ ? ଆମେରିକା ମାଗିଲା ଲ୍ୟାବ୍ କର୍ମଚାରୀଙ୍କ ରିପୋର୍ଟ । ଉହାନ ଲ୍ୟାବରେ କାମ କରୁଥିବା ୩ କର୍ମଚାରୀଙ୍କ ମେଡିକାଲ୍ ରିପୋର୍ଟ ମାଗିଲେ ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫସି । ଏଥିସହ ୨୦୧୯ରେ ଉହାନରେ ପ୍ରଥମ କରି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ୯ ଜଣଙ୍କ ମେଡିକାଲ୍ ରିପୋର୍ଟ ମଧ୍ୟ ଚୀନକୁ ମାଗିଲେ ଡାକ୍ତର ଫସି । ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଡାକ୍ତର ଫସି କହିଛନ୍ତିି ଯେ, ସେ କରୋନା ଭୂତାଣୁର ଉତ୍ପତି ବିଷୟରେ ଜାଣିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଉହାନ୍ ଲ୍ୟାବରେ କାମ କରୁଥିବା ସେହି ୩ କର୍ମଚାରୀଙ୍କ ସେତେବେଳର ମେଡିକାଲ ରିପୋର୍ଟ ଦେଖିବାକୁ ଚାହୁଁଛନ୍ତି । ଉହାନରେ କରୋନା ଭୂତାଣୁ ଚିହ୍ନଟ ହେବାର ୧ମାସ ପୂର୍ବରୁ ସେଠାରେ ଥିବା ଚାଇନିଜ୍ ଭରୋଲୋଜି ଲ୍ୟାବ୍ରୋଟୋରୀରେ ୩ଜଣ କର୍ମଚାରୀ ଅସୁସ୍ଥ ହୋଇଥିଲେ ।

ସାରା ବିଶ୍ୱକୁ କବଳିତ କରିଥିବା ମାରାତ୍ମକ କରୋନା ଭୂତାଣୁର ପ୍ରକୃତ ସତ୍ୟ ବାହାର କରିବା ପାଇଁ ଲାଗିଛି ଆମେରିକା । ସେପଟେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ଚୀନ ଭୂତାଣୁ, ଉହାନ ଲ୍ୟାବରୁ ହିଁ ବାହାରିଛି । ଏହାକୁ ନେଇ ମୋ ଅନୁମାନ ସଠିକ୍ ଥିଲା ।” ଟ୍ରମ୍ପଙ୍କ କହିବା କଥା ଉହାନ ଲ୍ୟାବରୁ ହିଁ ମାରାତ୍ମକ କରୋନା ଭୂତାଣୁ ଲିକ୍ ହୋଇଛି । ଆଉ ଏହି ମାରାତ୍ମକ ଭୂତାଣୁରେ ସାରା ବିଶ୍ୱକୁ ଯାହା କ୍ଷତି ପହଁଚାଇଛି ସେଥିପାଇଁ ଚୀନ୍ ନିଜକୁ ଦାୟୀ ମାନିବା ଉଚିତ୍ । ଡାକ୍ତର ଫସିଙ୍କ କଥାକୁ ଏଡାଇ ଦିଆଯାଇ ନପାରେ ବୋଲି ଟ୍ରମ୍ପ ଯୁକ୍ତି ବାଢିଛନ୍ତି । ଚୀନକୁ ପଠାଯାଇଥିବା ଡାକ୍ତର ଆନ୍ଥୋନୀଙ୍କ ଫସି ୩ ହଜାର ପୃଷ୍ଠା ବିଶିଷ୍ଟ ଇମେଲ ପଦାକୁ ଆସିବା ପରେ ଉହାନ ଲ୍ୟାବ୍କୁ ନେଇ ପୁଣିଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସେପଟେ ଚୀନ ଏହି କଥାକୁ ଖଣ୍ଡନ କରିଛି । ଚୀନ ବୈଜ୍ଞାନିକମାନେ ବାରମ୍ବାର କହି ଆସୁଛନ୍ତି ଯେ, ମାରାତ୍ମକ କରୋନା ଭୂତାଣୁ ଉହାନ ଲ୍ୟାବରୁ ବାହାରିନି । ଉହାନରେ ସଂକ୍ରମଣ ବଢିବା ଆଗରୁ ଏହା ଚୀନର ଅନ୍ୟ ସ୍ଥାନରେ ଦେଖାଦେଇଥିଲା । ଏହି ଭୂତାଣୁ ଚାଇନା ମଧ୍ୟକୁ ଅନ୍ୟ ମାଧ୍ୟମରେ ପ୍ରବେଶ କରିଥିବା ଚୀନ୍ କର୍ତୃପକ୍ଷ ଦାବିକରିଛି ।