ଢିଲା ମାରିଲେ ଫେରିବ କରୋନା । ସେକେଣ୍ଡ ୱେଭ୍ ନେଇ ସତର୍କ କରାଇଲେ ଡାକ୍ତର । ୨ୟ ଢେଉରେ ସାବଧାନ ନହେଲେ ଅଧିକ ପ୍ରଭାବିତ ହେବେ ଯୁବଗୋଷ୍ଠୀ ।

656

କନକ ବ୍ୟୁରୋ: ସତରେ ଆସୁଛି କି କରୋନାର ସେକେଣ୍ଡ ୱେଭ୍ ? ଓଡିଶାରେ ପଡିପାରେ କି ୨ୟ ଲହରର ପ୍ରଭାବ ? ପାଶ୍ଚାତ୍ୟ ଦେଶମାନଙ୍କରେ କରୋନାର ୨ୟ ଢେଉ ମାଡି ଚାଲିଥିବା ବେଳେ ଦେଶ ତଥା ରାଜ୍ୟରେ ଏହାର ପ୍ରଭାବ କେତେ ପଡିପାରେ ସେନେଇ ଆଶଙ୍କା ଦେଖାଦେଇଛି । ଆଉ ୟାରି ଭିତରେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର କ୍ଷୀରୋଦ ରାଉତ ।

ତେବେ ଦୁଇ ମାସ ପରେ ସେକେଣ୍ଡ ୱେଭ୍ ଆସିବା ନେଇ ଆଶଙ୍କା କରାଯାଉଛି । ଯଦି ଆମେ ଢିଲା ମାରିବା କି ଖାମଖିଆଲି କରିବା ତାହାଲେ ଏହାର ପରିମାଣ ଭୋଗିବାକୁ ପଡିବ । କେତେ ହାତ ଧୋଇବା, କେତେ ମାସ୍କ ପିନ୍ଧିବା । ଲୋକେ ମରିବା କମି ଗଲେଣି, ସଂକ୍ରମଣ ଆଉ ହେଉନି ଏମିତି କିଛି ଧାରଣା ନେଇ ଲୋକେ ବାହାରେ ବୁଲୁଛନ୍ତି, ଢିଲା ମାରୁଛନ୍ତି ତେଣୁ ଏହା ୨ୟ ଲହରର ଆଶଙ୍କାକୁ ଆହୁରି ଅଧିକ ବଢାଉଛି ବୋଲି ଡାକ୍ତର କହିଛନ୍ତି ।

ସବୁଠାରୁ ବଡ କଥା ହେଉଛି ୨ୟ ୱେଭ ଯଦି ଆସେ ତେବେ କେଉଁମାନେ ହେବେ ଅଧିକ ପ୍ରଭାବିତ । ବିଶେଷ କରି ଯୁବଗୋଷ୍ଠୀ ଏହି ୨ୟ ୱେଭର ଶିକାର ହେବେ । ସବୁ କଟକଣା କୋହଳ ହୋଇଥିବାରୁ ଏହି ବର୍ଗର ଲୋକେ ସଂକ୍ରମିତ ହେବେ । କାରଣ ବୟସ୍କ ଲୋକ ଘରେ ରହୁଛନ୍ତି ମାତ୍ର କିଛି ଅମାନିଆ ଖାମଖିଆଲି କରୁଥିବାର ଏହାର ପ୍ରଭାବ ସେମାନଙ୍କ ଉପରେ ପଡିବ । ତେବେ ପ୍ରଥମେ ପର୍ଯ୍ୟାୟରେ କରୋନା ସହ ଯେଉଁଭଳି ଆମେ ଲଢେଇ କରିଥିଲୁ ପୁଣି ଥରେ ସେମିତି ଲଢେଇ କଲେ ଦ୍ୱିତୀୟ ଲହରକୁ ହରାଇ ପାରିବା ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।