ଏଣିକି ସ୍କୁଲରେ ହେବ ଦୁଇ ବେଳା ପ୍ରାର୍ଥନା । ସକାଳେ ଏବଂ ଛୁଟି ହେବା ସମୟରେ କରାଯିବ ପ୍ରାର୍ଥନା । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Advertisment
ଏଣିକି ସ୍କୁଲରେ ହେବ ଦୁଇ ବେଳା ପ୍ରାର୍ଥନା । ସକାଳେ ଏବଂ ଛୁଟି ହେବା ସମୟରେ କରାଯିବ ପ୍ରାର୍ଥନା । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

କନକ ବ୍ୟୁରୋ: ରାଜଧାନୀରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ପ୍ରତିଦିନ ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା କରାଯିବ। ଏବେ ସକାଳ ୧୦ଟାରେ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥନା କରୁଛନ୍ତି। ତେବେ ଗୁରୁବାରଠାରୁ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ସମୟରେ ବି ଛାତ୍ରଛାତ୍ରୀଙ୍କର ପାର୍ଥନା କରାଯିବ। ସ୍କୁଲ ଘଣ୍ଟି ବାଜିବା ପରେ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହୋଇ ପ୍ରାର୍ଥନା କରିବେ। ନ ହେଲେ ନିଜ ନିଜ ବିଷୟରେ ପଦେ ଲେଖାଏ କହିବେ। ଏହାଦ୍ବାରା ପିଲାମାନେ ଶୃଙ୍ଖଳିତ ହେବା ସହ ସେମାନେ ସୁରକ୍ଷିତ ଭାବେ ଘରକୁ ଯାଇପାରିବେ।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାରମ୍ଭିକ ଭାବେ ଭୁବନେଶ୍ବରରେ ଏହାକୁ ଲାଗୁ କରାଯାଉଛି। ସଫଳତା ମିଳିବା ପରେ ସାରା ରାଜ୍ୟରେ ଲାଗୁ କରାଯିବ। କାରଣ ସ୍କୁଲ ଛୁଟି ହେବା ପରେ ପିଲାମାନେ ବ୍ୟାଗ୍ ଧରି ଦୌଡ଼ୁଛନ୍ତି। କିଏ କେତେବେଳେ ଯାଉଛନ୍ତି ଜଣାପଡ଼ୁନି। ଅଧିକାଂଶ ସ୍କୁଲ ରାସ୍ତା ପାର୍ଶ୍ବରେ ହୋଇଥିବାରୁ ଛାତ୍ରଛାତ୍ରୀ ଆଗପଛ ହୋଇ ଯିବା ଦ୍ବାରା ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଅପରାହ୍ନ ୪ଟାରେ ପ୍ରାର୍ଥନା କରାଯିବା ଦ୍ବାରା ପିଲାମାନେ ଯେତେବେଳେ ଯିବେ ଏକାଠି ହୋଇ ସୁରକ୍ଷିତ ଭାବେ କ୍ୟାମ୍ପସ ବାହାରକୁ ଯିବା ସହ ରାସ୍ତାର ପାର ହୋଇପାରିବେ।

ଶ୍ରେଣୀଗୃହରେ ପିଲାଙ୍କ ଉପସ୍ଥାନ ବଢ଼ାଇବା ପାଇଁ ଭୁବନେଶ୍ବରରେ ଚାଲିଥିବା ‘ସ୍ମାଇଲ୍’ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରାଯିବ। ଯଦି ମେଧାବୀ ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିବେ, ପାଠପଢ଼ାରେ ମନୋନିବେଶ କରୁ ନ ଥିବେ ସେଭଳି ସ୍ଥିତିରେ ଶିକ୍ଷକମାନେ ପିଲାଙ୍କ ଘରକୁ ଯିବେ। ସମସ୍ୟା ସମ୍ପର୍କରେ ପଚାରି ବୁଝିବେ। ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିବେ। ବିଦ୍ୟାଳୟରେ ବର୍ଷକୁ ୪ ଥର ଅନୁଷ୍ଠିତ ହେଉଥିବା ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍)କୁ କଡ଼ାକଡ଼ି କରାଯିବ। ବୈଠକରେ ସମସ୍ତ ଅଭିଭାବକ ଯେମିତି ସାମିଲ ହେବେ ସେଦିଗରେ ପଦକ୍ଷେପ ନିଆଯିବ। ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାକୁ ଭଲ ଭାବେ ଯାଞ୍ଚ କରାଯିବ। ଶିକ୍ଷକମାନେ ଯେଉଁ ଖାତା ଦେଖିଥିବେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ଉକ୍ତ ଖାତାଗୁଡ଼ିକ ମଧ୍ୟରୁ କିଛି ଖାତାକୁ ଆଉଥରେ ଯାଞ୍ଚ କରିବେ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe