କାହିଁକି ବାରମ୍ବାର ଆସୁଛି ବାତ୍ୟା, ବନ୍ୟା…? ପ୍ରକୃତି ନେଉଛି କି ପ୍ରତିଶୋଧ ? ମଣିଷ ନିଜେ ନିଜ ପାଇଁ ଡାକି ଆଣୁଛି କି ବିପଦ ?

290

କନକ ବ୍ୟୁରୋ: ବଦଳୁଛି ପାଣିପାଗ, ବଦଳୁଛି ପରିସ୍ଥିତି । ଜଳବାୟୁ ପରିବର୍ତ୍ତନର ଜ୍ୱାଳା ସହୁଛି ପୃଥିବୀ । ବିଶ୍ୱ ତାପନ ହେଉ କି ଅପ୍ରତ୍ୟାଶିତ ପାଣିପାଗର ପରିବର୍ତ୍ତନ । ଏସବୁ, ପ୍ରାକୃତିକ ବିପର୍ଯ୍ୟୟର କାରଣ ସାଜୁଛି ଆଉ ପୃଥିବୀ ପ୍ରତି ବିପଦ ବଢାଉଛି । କେବେ ଝଡ ବାତ୍ୟାର ସାମ୍ନା କରୁଛି ପୃଥିବୀ ତ କେବେ ପୃଥିବୀ ଛାତିରେ ସୃଷ୍ଟି ହେଉଛି ପ୍ରଳୟଙ୍କାରୀ ବନ୍ୟା । ଭୂକମ୍ପର ଝଟକାରେ ବି ଥରହର ହେଉଛି ଏ ପୃଥିବୀ ପୃଷ୍ଠ । ଆଉ ସମସ୍ତ ବିପର୍ଯ୍ୟୟକୁ ପ୍ରକୃତି ଯେତିକି ସହୁଛି ସେତିକି ମୁଣ୍ଡପାତି ଭୋଗୁଛି ମଣିଷ ।

ସଠିକ ସମୟରେ ଆସୁନି ସଠିକ ଋତୁ । ଶୀତ ଋତୁର ସମୟ ବେଳେ ବି ଗରମ ଅନୁଭୂତ ହେଉଛି । ଆଉ ଗମର ଦିନେ ବର୍ଷା । ଅସମୟରେ, ଅଦିନିଆ ବର୍ଷା ବିପଦ ଆଣୁଛି । ଫସଲ ନଷ୍ଟ କରୁଛି । ବର୍ଷା ବିହୁନେ ଚାଷୀ ଚିନ୍ତାରେ ପଡୁଛି, ବର୍ଷା ବହୁଳେ ବି ଚାଷୀ ଆତ୍ମହତ୍ୟା କରୁଛି । ସବୁକିଛି ଏପଟସପେଟ ହେଇଯାଉଛି । ଏଇ ଅଦିନିଆ ବର୍ଷା ତୁହାକୁତୁହା ବନ୍ୟା ଆଣୁଛି । ଘର ଭାସୁଛି. ସହର ଭାସୁଛି । ପାଣିର ପ୍ରଖର ସୁଅରେ ବି ଜୀବନ ଭାସିଯାଉଛି । ଆନ୍ଧ୍ରରୁ ଓଡିଶା, କେରଳରୁ କର୍ଣ୍ଣାଟକ, ପାଣିର ଚକ୍ରବ୍ୟୁହରେ ବି ଫଶିଯାଇଛି ତାମିଲନାଡୁ । ଜଳ ପାଇଁ ଜୀବନ ଜୀବୀକା ଏକ ପ୍ରକାର ବନ୍ଦୀ ପାଲଟିଯାଉଛି ।

ଖାଲି ବନ୍ୟା ନୁହେଁ ବାରମ୍ବାର ବାତ୍ୟା ବି ପ୍ରଳୟ ଆଣୁଛି । ଲୋକେ ଗୋଟେ ବାତ୍ୟାର ମୁକାବିଲା କରି ଅଣ୍ଟା ସଳଖିଥିବେ କି ନାହିଁ ଆଉ ଏକ ବାତ୍ୟା ଆଖି ଦେଖାଉଛି । ଭୟଙ୍କର ଭୂକମ୍ପ, ଭୂସ୍ଖଳନ ଓ ହିମସ୍ଖଳନ ପାଇଁ ପୂରା ବିଶ୍ୱବାସୀ ତ୍ରାହି ତ୍ରାହି ଡାକିଲେଣି । ଗ୍ଲାସିୟର ତରଳି ହେଉ କି ଭୂସ୍ଖଳନ ପାଇଁ ଦେବଭୂମିରେ ପ୍ରଳୟ ପରେ ହାହାକାର ଦେଖିଛି ପୂରା ଦେଶ ।

ଏବେ ଶୀତ ଋତୁ ଚାଲିଛି । କିନ୍ତୁ କହିପାରିବେ କି ଶୀତ ସଅଳ ଆସିଛି ବୋଲି ? ନା ଶୀତ ବିଳମ୍ବରେ ଆସୁଛି । ଯେଉଁ ଡିସେମ୍ବରରେ ଶୀତ ପାଇଁ ଦାନ୍ତକୁ ଦାନ୍ତ ବାଜିବା କଥା ସେସମୟରେ ଶୀତବସ୍ତ୍ରର ଆବଶ୍ୟକ ପଡୁନି । ୨୦୦୭ ପରଠୁ ୨୦୨୧ ଯାଏଁ, ଗତ ୧୪ ବର୍ଷ ଭିତରେ ଶୀତର ପରିମାଣ କମିଥିବା କୁହାଯାଉଛି ।

ହେଲେ କାହିଁକି ଏତେ ସବୁ ପରିବର୍ତ୍ତନ ? କାହିଁକି ଏମିତି ବିପଦ ମାଡିଆସୁଛି ? କଣ ଏହାର କାରଣ?  ପୂର୍ବପେକ୍ଷା ଏବେ କଣ ପାଇଁ ପ୍ରକୃତି ଦେଉଛି ଅହରହ ଧମକ ? ମଣିଷର ବ୍ୟବହାର ପାଇଁ ବଦଳୁଛି କି ବିଶ୍ୱର ସ୍ଥିତି? ମଣିଷ ନିଜେ ନିଜ ପାଇଁ ଡାକି ଆଣୁଛି କି ବିପଦ? ଏହାର ଉତ୍ତର ବୋଧେ, ହଁ ହୋଇପାରେ । ତେଣୁ ଆସନ୍ତୁ ନିଜ ଦୈନନ୍ଦୀନ ବ୍ୟବହାରରେ ପରିବର୍ତ୍ତନ ଆଣିବା । ପରିବେଶ ପ୍ରକୃତି ପ୍ରତି କ୍ଷତି ପହଞ୍ଚାଇଲା ଭଳି କାମ କରିବାନି । ଏହି ଜଳବାୟୁ ପରିବର୍ତ୍ତନକୁ ସୁଧାରିବା ପାଇଁ , ଆମ ପୁରୁଣା ପୃଥିବୀକୁ ପୁନଶ୍ଚ ଫେରାଇ ଆଣିବା ପାଇଁ ସମ୍ବାଦ ଡିଜିଟାଲ ପକ୍ଷରୁ ସଫଳତାର ସହ ଚାଲିଛି ପୁନଶ୍ଚ ପୃଥିବୀ ଅଭିଯାନ । ତେଣୁ ଆସନ୍ତୁ ନିଜକୁ ସେଥିରେ ସାମିଲ କରିବା ଆଉ ପରିବେଶ ପାଇଁ ସମୟ ଦେବା ।