କନକ ବ୍ୟୁରୋ: ବଦଳୁଛି କି ଭାରତ ପ୍ରତି ଚୀନର ମନୋଭାବ? ଭାରତ ସହ ବନ୍ଧୁତା ଚାହୁଁଛି କି ଚୀନ? ଜି-୨୦ ବୈଠକ ପୂର୍ବରୁ ଭାରତ ସହ ସମ୍ପର୍କ ନେଇ ମୁହଁ ଖୋଲିଲେ ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ । ଯେଉଁଥିରେ ସେ ଭାରତ ସହ ସୁ-ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି । ଚୀନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ପ୍ରଶ୍ନ ଉଠୁଛି, କିପରି ଭାରତ ପ୍ରତି ଏଭଳି ନରମ ମନୋଭାବ ଦେଖାଉଛି ଚୀନ୍ । ଦୁଇ ଦେଶ ଭିତରେ ସୀମାକୁ ନେଇ ଦୀର୍ଘ ବର୍ଷର ବିବାଦ ଭିତରେ କାହିଁକି ବନ୍ଧୁତା କଥା ଉଠାଇଲେ ଚୀନ ମନ୍ତ୍ରୀ । ଚୀନ୍ ସହ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଆଉ ଏହାରି ଭିତରେ ଚୀନ୍ ବୈଦେଶିକ ମନ୍ତ୍ରୀ କିନ୍ ଗାଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀରେ ଆୟୋଜିତ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ ଚୀନ ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ ।

Advertisment

ଏହି ବୈଠକରେ ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସହ ସୀମା ବିବାଦ ଉପରେ ଆଲୋଚନା ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜୟଶଙ୍କର । ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅନେକ ଗୁଡ଼ିଏ ସମସ୍ୟା ରହିଛି, ଯାହା ଉପରେ ଚର୍ଚ୍ଚା ହେବା ନିହାତି ଦରକାର । ସୀମାବର୍ତୀ ଅଞ୍ଚଳରେ କିପରି ଶାନ୍ତି ବଜାୟ ରହିବ, ସେ ନେଇ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜୟଶଙ୍କର । ସେପଟେ ଚୀନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଉଭୟ ଦେଶରେ ୧୦୦କୋଟିରୁ ଅଧିକ ଜନସଂଖ୍ୟା ବସବାସ କରନ୍ତି । ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ ହେଲେ, ଜନତାଙ୍କ ପାଇଁ ଏହା ଫଳପ୍ରଦ ହେବ ବୋଲି ସେ କହିଛନ୍ତି । ଗତବର୍ଷ ଡିସେମ୍ବରରେ କିନ୍ ଗାଙ୍ଗ ଚୀନର ବୈଦେଶିକ ମନ୍ତ୍ରୀ ହୋଇଥିଲେ । ଏହା ପରେ ଜୟଶଙ୍କର ସହ ସେ ପ୍ରଥମଥର ସାକ୍ଷାତ କରିଛନ୍ତି । ଏହି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।