କନକ ବ୍ୟୁରୋ: ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ କିଏ? ସୋମବାର ରାତିରେ ଦୁଇଟି ଆସନ ପାଇଁ ବିଜେଡି ଦୁଇ ଅପ୍ରତ୍ୟାଶ୍ରିତ ନାଁ ଘୋଷଣା କରିବା ପରେ ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ବଢିଯାଇଛି । ଗୁରବାର ପ୍ରାର୍ଥୀପତ୍ର ଦାଖଲକୁ ଗୋଟିଏ ଦିନ ଥିବାବେଳେ ଅଶ୍ୱିନୀ ବୈଷ୍ଣବଙ୍କ ଦୁଇଦିନିଆ ଗସ୍ତ ଚର୍ଚ୍ଚାକୁ ହାୱା ଦେଇଛି ।

  • ଅଶ୍ୱିନୀ ବୈଷ୍ଣବ ଆସୁଛନ୍ତି ଓଡିଶା
  • ତୃତୀୟ ଆସନକୁ ନେଇ ବଢିଲା ଚର୍ଚ୍ଚା

ରାଜ୍ୟସଭା ନିର୍ବାଚନ ପାଇଁ ଗୁରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ତେଣୁ ତୃତୀୟ ପ୍ରାର୍ଥୀ କିଏ ହେବେ ତାକୁ ନେଇ ରାଜନୈତିକ ମହଲରେ ଉକ୍ରଣ୍ଠା ବଢିଯାଇଛି । ୨୦୧୯ରେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ଏବେ ତୃତୀୟ ଆସନ ପାଇଁ ନାଁ ଘୋଷଣା ହେବାକୁ ବାକି ଥିବାବଳେ ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ପ୍ରଶ୍ନ ଉଠୁଛି ତୃତୀୟ ଆସନ ପାଇଁ କେଉଁ ଫର୍ମୁଲା ଆପଣାଇବ ବିଜେଡି? ୨୦୧୯ର ଫର୍ମୁଲା ଆପଣାଇବ ନା ନିଜ ଦଳର ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବ? ୨୦୧୯ରେ ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବା ପରେ ବିଜେଡି-ବିଜେପି ସମ୍ପର୍କ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଦୁଇଦିନ ରହଣି କାଳରେ ବୁଧବାର ଦିନ ଅଶ୍ୱିନୀ ବୈଷ୍ଣବ ବିଜେପି ଅଫିସ ବି ଯିବେ । ତେଣୁ ଏଠାରେ ରାଜ୍ୟସଭା ନିର୍ବାଚନ ନେଇ କିଛି ଆଲୋଚନା ହେବ କି, ସେ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢିଯାଇଛି ।

  • ୨୦୧୯ର ଅଶ୍ୱିନୀ ବୈଷ୍ଣବଙ୍କ ଫର୍ମୁଲା ଆପଣାଇବ କି ବିଜେଡି ?
  • ନା ଜଣେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବେ ନବୀନ?
  • ରାଜନୈତିକ ବ୍ୟକ୍ତିବିଶେଷ ହେବେ କି ରାଜ୍ୟସଭାର ତୃତୀୟ ପ୍ରାର୍ଥୀ?
  • ମହିଳା ଚେହେରାଙ୍କୁ ସାମ୍ନାକୁ ଆଣି ୩୩% ସଂରକ୍ଷଣର ବାର୍ତ୍ତା ଦେବେ ନବୀନ?

ସରସ୍ୱତୀ ପୂଜା ଥିବାରୁ ବୁଧବାର ପ୍ରାର୍ଥୀପତ୍ର ଦାଖଲ ହୋଇପାରିବ ନାହିଁ । ୧୫ ତାରିଖ ଗୁରବାର ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାରୁ ଏହି ପ୍ରଶ୍ନର ଉତ୍ତର ବୁଧବାର ସନ୍ଧ୍ୟା କିମ୍ବା ଗୁରୁବାର ସକାଳେ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।