ଏଥର ପିପିଲିବାସୀଙ୍କ ଆର୍ଶୀବାଦ ପାଇବେ ତ ଆଶ୍ରିତ? ୨୦୧୯ରେ ଅଳ୍ପକେ ହାରିଯାଇଥିଲେ ନିର୍ବାଚନ ।

163

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ହାସଲ କରିଥିଲା ରେକର୍ଡ ବିଜୟ । ଏହି ବିଜୟ ସହିତ ରାଜ୍ୟରେ ପୁଣି ଜାରି ରହିଥିଲା ନବୀନ ସରକାର । ହେଲେ ପୂର୍ବ ଅପେକ୍ଷା ଚଳିତ ଥର ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୯ ନିର୍ବାଚନରେ ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଅଳ୍ପ ବ୍ୟବଧାନରେ ହାରି ଯାଇଥିଲେ ଅନେକ ବିଜେପି ପ୍ରାର୍ଥୀ । ସେ ଭିତରୁ ଗୋଟିଏ ଥିଲା ପିପିଲି ।

୨୦୧୯ରେ ପିପିଲିବାସୀ ପ୍ରଦୀପ ମହାରଥୀଙ୍କୁ ନିଜର ନେତା ଭାବେ ପୁଣି ନିର୍ବାଚିତ କରିଥିଲେ । ସେ ବର୍ଷ ତାଙ୍କୁ ମୋଟ ୫୦.୬୬ ପ୍ରତିଶତ ଭୋଟ୍ ମିଳିଥିଲା । ହେଲେ ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ମହାରଥୀଙ୍କଠାରୁ ଅଧିକ ପଛରେ ନଥିଲେ । ତାଙ୍କୁ ଏହି ନିର୍ବାଚନରେ ମୋଟ ୪୧.୬୨ ପ୍ରତିଶତ ଭୋଟ୍ ମିଳିଥିଲା । ସଂଖ୍ୟା ଉପରେ ନଜର ପକାଇଲେ, ପ୍ରଦୀପ ମହାରଥୀଙ୍କୁ ସେହି ନିର୍ବାଚନରେ ୮୮,୫୧୮ ଭୋଟ୍ ମିଳିଥିବାବେଳେ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ମିଳିଥିଲା ୭୨ ହଜାର ୭୩୧ ଭୋଟ୍ ଅର୍ଥାତ ବିଜୟଠାରୁ ମାତ୍ର ୧୫  ହଜାର ଭୋଟ୍ ପଛରେ ରହିଯାଇଥିଲେ ଆଶ୍ରିତ ପଟ୍ଟନାୟକ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ମିଳିଥିଲା ମାତ୍ର ଦଶ ହଜାରରୁ କମ୍ ଭୋଟ୍ ।

ଏହାପରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ, ପିପିଲିକୁ ଉପ-ନିର୍ବାଚନର ରାସ୍ତା ଦେଖାଇଥିଲା । ବିଜେଡି ଏହି ଆସନରେ ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିବା ସହିତ, ବିଜେପି ନିଜର ପୁରୁଣା ସେନାପତି ଆଶ୍ରିତ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଥିଲା । ଦୁଇ ନେତା ଘର ଘର ବୁଲି ପ୍ରଚାର କରିଥିଲେ । ଆଉ ନିର୍ବାଚନ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ପିପିଲି ବିଜେଡିର ପୁରୁଣା ଗଡ ହୋଇଥିବାରୁ ରୁଦ୍ର ଏହି ଆସନରୁ ବିଜୟୀ ହେବା ନେଇ ନିଶ୍ଚିତ ଥିବା ଅନେକ ଥର କହିସାରିଛନ୍ତି । ସେହିପରି ପିପିଲିବାସୀ ଏଥର ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି , ତେଣୁ ଏଥର ପିପିଲିରେ ପଦ୍ମ ଫୁଟିବ ବୋଲି ମଧ୍ୟ କହିସାରିଛନ୍ତି ଆଶ୍ରିତ । ତେଣୁ ଏଥର ପିପିଲିରେ ପଦ୍ମ ଫୁଟୁଛି ନା ଶଙ୍ଖ ଶୁଭୁଛି ତା ଉପରେ ରହିଛି ସମସ୍ତଙ୍କର ନଜର…