କନକ ବ୍ୟୁରୋ: ଅଭିନେତାରୁ ନେତା ବନିଥିବା ଅରିନ୍ଦମଙ୍କ ଗତି କୁଆଡେ । ଧବଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଜୋର ଧରିଛିି । ୨ଦିନ ତଳେ କଟକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ସହ ଯୋଗ ଦେଇଥିବା ଏହି ଷ୍ଟାର ନେତା ବିଜେଡିରେ ଅସନ୍ତୁଷ୍ଟ ଅଛନ୍ତି କି । ଅନ୍ୟଆଡକୁ ଯିବା ପାଇଁ ଚିନ୍ତା କରୁଛନ୍ତି କି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅଭିନେତା ଅରିନ୍ଦମଙ୍କ ଭେଟଘାଟର ଏହି ଫଟୋକୁ ନେଇ ଏବେ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଛି । କୁହାଯାଉଛି, ଧବଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି ଅରିନ୍ଦମ । କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି ।

ଧବଳେଶ୍ୱର ଡାକବଙ୍ଗଳାରେ ଅଶ୍ୱିନୀ ବୈଷ୍ଣବ ଓ ଅରିନ୍ଦମ ପ୍ରାୟ ୩୦ ମିନିଟ ଧରି ଆଲୋଚନା କରିିଥିଲେ । ଏହା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଅରିନ୍ଦମ ଦୀର୍ଘଦିନ ଧରି ବିଜେଡିରେ ସକ୍ରିୟ ଅଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଭେଟଘାଟ ବିଜେଡି ପାଇଁ ଚାପ ପ୍ରୟୋଗ ରଣନୀତି ନା ସେ ଦଳରେ ଅସନ୍ତୁଷ୍ଟ ଅଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଶନିବାରଦିନ କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ପାଣ୍ଡିଆନଙ୍କ ସହ ଆଗ ଧାଡିରେ ବସିଥିଲେ । ପାଣ୍ଡିଆନ୍ଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ଦଳ ପାଇଁ ଅରିନ୍ଦମ ଅନେକ ସମୟରେ ଷ୍ଟାର ପ୍ରଚାରକ ରହିଆସିଛନ୍ତି । ୨୦୨୨ ଜାନୁଆରୀରେ ଅରିନ୍ଦମଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା । ନିର୍ବାଚନ ଆସିଲେ ତାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ମଧ୍ୟ ହୋଇଥାଏ । କିନ୍ତୁ ଏ ଯାଏଁ ସେ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିନାହାନ୍ତି । ଏବେ କେନ୍ଦ୍ରମନ୍ତ୍ରୀଙ୍କୁ ଭୋଟିବା ପରେ ଆଲୋଚନା ଆରମ୍ଭ ହୋଇଛି ଅରିନ୍ଦମ ବିଜେପି ଆଡକୁ ଢଳୁଛନ୍ତି କି ?

ଅରିନ୍ଦମ ହେଉଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ । କୁହାଯାଉଛି, ବାରମ୍ବାର ଚର୍ଚ୍ଚା ସତ୍ୱେ ଟିକେଟ ନ ମିଳିବାରୁ ଅରିନ୍ଦମ ଅସନ୍ତୁଷ୍ଟ ଅଛନ୍ତି । ଏହାକୁ ଅଧିକ ଖୋରାକ ଯୋଗାଇଛି ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ରୁଦ୍ଧଦ୍ୱାର ବୈଠକ ।