ଜୀବିକା ଯୋଗାଉଛି ଜଳସେଚନ ପ୍ରକଳ୍ପ । ଉପକୃତ ହେଉଛନ୍ତି ଚାଷୀ । ୧୫ଟି ପରିବାରଙ୍କ ମୁହଁରେ ଫୁଟିପାରିଛି ହସ ।

69

କନକ ବ୍ୟୁରୋ:  ଡହ ଡହ ଖରାରେ ଚାରିଆଡୁ ପାନୀୟ ଜଳ ସମସ୍ୟାର ଚିତ୍ର ସାମ୍ନାକୁ ଆସୁଥିବାବେଳେ ଜଳ ସେଚନ ପ୍ରକଳ୍ପ ଲୋକଙ୍କ ସମସ୍ୟା ଦୂର କରିଛି  । ବିଲ ବାଡରେ ଲହଡି ଭାଙ୍ଗୁଛି ଗଭିର ନଳ କୁପର ପାଣି । ସରକାର ଯୋଗାଇ ଦେଇଥିବା ଉଠା ଜଳ ସେଚନ ପ୍ରକଳ୍ପର ସୁବିନିଯୋଗ କରି ଚାଷୀ ରବି ରୁତୁ ସହ ୧୨ ମାସ ଚାଷ ଜମିରେ ପାଣି ମଡେଇ ଭଲ ଫସଲ କରୁଛନ୍ତି ଚାଷୀ । ମାଲକାନଗିରି ଏମଭି-୯ ଗାଁର ସନାତନ ଅଧିକାରୀଙ୍କୁ ଗତ ୨୦୧୭ ମସିହାରେ ଓଡିଶା ଉଠା ଜଳ ସେଚନ ବିଭାଗ ପକ୍ଷରୁ ଗଭିର ନଳକୁପ ଖନନ କରାଯାଇ ସେଥିରେ ମୋଟର ଓ ବିଦ୍ୟୁତ ସଂଯୋଗ କରି ହସ୍ତାନ୍ତର କରାଯାଇଥିଲା । ଆଉ ସେବେଠାରୁ ଖରିପ ରୁତୁରେ ଧାନ ସହ ରବି ରୁତୁରେ ପୋଟଳ ଆଦି ଉତ୍ପାଦନ କରୁଛନ୍ତି ସନାତନ ।

ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି ୩୬ ଗାଁରେ ପ୍ରାୟ ୧୫୦ରୁ ଉର୍ଧ ପରିବାର ରୁହନ୍ତିି । ଏମଭି ୩୬ ଗାଁରେ ସର୍ବାଧିକ ୯୦ଟି ଗଭୀର ନଳକୂପ ପ୍ରକଳ୍ପ ରହିଛି ।  ଗାଁ ଲୋକେ ଏବେ ଆଉ ଦାଦନ ଖଟିବାକୁ ଆନ୍ଧ୍ର କିମ୍ବା ତେଲେଙ୍ଗାନା  ନଯାଇ ନିଜ ବିଲବାଡ଼ିରେ ୧୨ ମାସ କାମ କରୁଛନ୍ତି । ଏମଭି ୩୬ ଗାଁର ଆଶିଷ ରାୟ ୨୦୧୦ ମସିହାରେ ଗଭିର ନଳକୁପ ଲାଗି ଆବେଦନ କରିଥିଲେ । ୨୦୧୨ରେ ସେ ନିଜ ଚାଷ ଜମିରେ ଡିପ୍ ବୋରୱେଲ ପାଇବା ପରେ ଆଶିଷ ବିଲରେ ସ୍ପ୍ଲିଙ୍କର ଲଗାଇ ୬ ଏକର ଜମିରେ ବାଦାମ ଚାଷ କରି ଭଲ ରୋଜଗାର କରୁଛନ୍ତି । ସେହିପରି ଏମଭି ୩୬ ଗାଁର କାର୍ତିକ ମଣ୍ଡଳ ନଳକୁପ ପାଇଲା ପରେ ବର୍ଷକ ଭିତରେ ଭେଣ୍ଡି, ପୋଟଳ, ବାଇଗଣ ଭଳି ପନିପରିବା ଚାଷ କରି ଲାଭବାନ ହୋଇଛନ୍ତି ।

୨୦୧୦ – ୨୦୧୧ ଆର୍ଥିକ ବର୍ଷରେ ଓଡିଶା ଲିଫ୍ଟ ଇରିଗେସନ କରପୋରେସନ ପକ୍ଷରୁ ଡିପ ବୋର ୱେଲ ପ୍ରକଳ୍ପ ଆରମ୍ଭ ହୋଇଥିଲା । ବର୍ତମାନ ମାଲକାନଗିରି ଜିଲ୍ଲାରେ ୨ ହଜାର ୧୧୩ଟି ଡିପ୍ ବୋର୍ ୱେଲ୍ ସହ ୪୮୯ କମ୍ୟୁନିଟି ଲିପ୍ଟିଂ ପଏଂଟ ରହିଛି । ସେହିପରି ଚଳିତ ବର୍ଷ କେବଳ ସ୍ୱାଭିମାନ ଅଂଚଳରେ ୧୧୦ଟି ଗଭୀର ନଳକୂପ ଓ ୪୬ଟି ସିଏଲ୍ପି ଲାଗି ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୮୫ ଡିପ୍ ବୋର୍ ୱେଲ୍ କାମ ସରିଛି । ତେବେ ଚଳିତ ବର୍ଷ ପୁରା ରାଜ୍ୟରେ ୧ ଲକ୍ଷ ନୁତନ ଡିପ ବୋର ୱେଲ ପ୍ରକଳ୍ପ ଲାଗି ଚାଷୀଙ୍କୁ ଆହ୍ୱାନ କରାଯାଇଥିବାବେଳେ ସ୍ୱାଭିମାନ ଅଂଚଳରେ ୪୧୯ଟି ପ୍ରକଳ୍ପ ଲାଗି ପ୍ରସ୍ତାବ ଯାଇଛି ।