ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଉଚ୍ଚ ପ୍ରଶଂସା । କହିଲେ, କୃଷି କ୍ଷେତ୍ର ପୁନଃରୁଦ୍ଧାରରେ ସମସ୍ତ ସହଯୋଗ କରିବ ସଂସ୍ଥା ।

98

କନକ ବ୍ୟୁରୋ: ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଉଚ୍ଚ ପ୍ରଶଂସା କରିଛି । ସଂସ୍ଥାର ନିର୍ଦ୍ଦେଶକ ଜେନେରାଲ ମାଥ୍ୟୁ ମୋରେଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି କହିଛନ୍ତି କି, ବିଭିନ୍ନ ପାଣିପାଗ ସଂସ୍ଥାର ସଠିକ୍ ପୂର୍ବାନୁମାନ ତଥା ରାଜ୍ୟ ସରକାରଙ୍କ ସଫଳ ମୁକାବିଲା ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା । କାରଣ ରାଜ୍ୟ ସରକାରଙ୍କୁ ପୂର୍ବ ପ୍ରସ୍ତୁତି ଓ ସମୟୋଚିତ ପଦକ୍ଷେପ ଯୋଗୁଁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ପାରିଲା । ଯେଉଥି ପାଇଁ ଲକ୍ଷ ଲକ୍ଷ ମୂଲ୍ୟବାନ ଜୀବନ ରକ୍ଷା ପାଇପାରିଲା ।

ଅନ୍ୟପଟେ ବାତ୍ୟାରେ ଜୀବନହାନୀ ହୋଇଥିବା ଲୋକମାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ମୋରେଲ୍ । ଏହାସହ ଓଡ଼ିଶାର ଧାନ ଚାଷର ଉନ୍ନତି ଓ କୃଷକ ମାନଙ୍କ ରୋଜଗାର ବୃଦ୍ଧି ନେଇ ଏହି ସଂସ୍ଥା କାର୍ଯ୍ୟକ୍ରମ ଜାରି ରଖିଛି ବୋଲି ମାଥ୍ୟୁ ମୋରେଲ୍ କହିଥିଲେ । ଏବଂ ବିପର୍ଯ୍ୟୟ ପରେ କୃଷି କ୍ଷେତ୍ରରେ ପୁନଃରୁଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ସସ୍ଥା ପ୍ରସ୍ତୁତ ରହିଛି ।