କନକ ବ୍ୟୁରୋ : ଗରିବ ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଇବା ପାଇଁ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫କେଜି ଚାଉଳ ପ୍ରଦାନ କରାଯାଉଛି । ହେଲେ ଗଂଜାମ ଖଲ୍ଲିକୋଟରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି କୁଇଂଟାଲ କୁଇଂଟାଲ ଚାଉଳ । ଖଲ୍ଲିକୋଟ ବ୍ଲକ ସମିତି ବୈଠକରେ ଏଭଳି ଅଭିଯୋଗ କରିଛନ୍ତି ସରପଂଚ ଓ ସମିତି ସଭ୍ୟ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସନକାର୍ଡରୁ ମୃତକଙ୍କ ନାଁକୁ ବାଦ ଦେଉ ନାହାଁନ୍ତି ଯୋଗାଣ ଅଧିକାରୀ । ବ୍ଲକର ପ୍ରାୟ ୨୯ଟି ପଂଚାୟତରେ ପ୍ରାୟ ୩୫ ହଜାର ୮୫୪ ରାସନ କାର୍ଡ ହିତାଧିକାରୀ ରହିଛନ୍ତି । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠୁଥିବା ନେଇ ଅଭିଯୋଗ ହୋଇଛି ।

Advertisment

ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଇ ହଡପ କରାଯାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ରାସନ ଅର୍ନ୍ତଭୂକ୍ତ ହୋଇପାରୁନାହାନ୍ତି । ରାଶନ କାର୍ଡ ପାଇଁ ଲୋକମାନେ ବ୍ଲକ ଓ ପଂଚାୟତକୁ ଦୀର୍ଘ ଦିନ ହେଲା ଦୌଡୁଛନ୍ତି । ହେଲେ ରାଜନୈତିକ ଶତ୍ରୁତା କାରଣରୁ ତାଙ୍କ ନାମକୁ ରାସନ ତାଲିକାରୁ କାଟି ଦେଉଥିବା ଅଭଯୋଗ ହୋଇଛି । ସେପଟେ ଏନେଇ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲ ଖୁବଶିଘ୍ର ସମାଧାନ କରିବେ ବୋଲି କହିଛନ୍ତି ।

ମୃତ ହିତାଧିକାରୀଙ୍କ ନାମକୁ ରାସନକାର୍ଡରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ଦାବି ହୋଇଛି ।