ମାଲକାନଗିରିରେ ଆବାସ ଯୋଜନା କାର୍ଯ୍ୟକାରୀରେ ବ୍ୟାପକ ଅନିୟମିତତା । ଘର ପାଇଁ କାର୍ଯ୍ୟାଦେଶ ମିଳିଥିବା ହିତାଧିକାରୀଙ୍କୁ ମିଳୁନି ଟଙ୍କା

177

କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ପଂଚାୟତ ଏମଭି ୪ ନଂ ଗାଁର ୫୦ ବର୍ଷୀୟ ମହିଳା ସୀତା ହାଲଦାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରିଥିଲେ । ଏହାରି ଭିତରେ ତାଙ୍କ ବ୍ୟାଙ୍କ ଖାତାରେ ୪୦ହଜାର ଟଙ୍କା ଜମା ହୋଇଥିଲା । ଯାହାକୁ ସେ ପରବର୍ତି ସମୟରେ ଉଠାଇ ଖର୍ଚ୍ଚ କରିଥିଲେ । କିନ୍ତୁ ତାଙ୍କ କାର୍ଯ୍ୟାଦେଶ ହୋଇନଥିବା ଜଣାପଡିବା ପରେ ଏବେ ତାଙ୍କୁ ଟଙ୍କା ଫେରାଇ ଦେବାକୁ ଚାପ ପକାଯାଉଛି । ଏପରିକି ତାଙ୍କ ପିଡିଏସ ସାମଗ୍ରୀ ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

ମାଲକାନଗିରି ଏମଭି ୮ ଗାଁର ନାଥୁରାମ ମଣ୍ଡଳଙ୍କ ସ୍ତ୍ରୀ ହରିଦାସୀ ମଣ୍ଡଳ ଗତ ଜୁନ ୬ ତାରିଖରେ କାର୍ଯ୍ୟାଦେଶ ପାଇଛନ୍ତି । କିନ୍ତୁ ଏଯାଏଁ ତାଙ୍କୁ ପ୍ରଥମ କିସ୍ତିର ୪୦ହଜାର ଟଙ୍କା ମିଳି ନାହିଁ । ତାଙ୍କ ଟଙ୍କା ଆଉ କାହା ଆକାଉଂଟକୁ ଚାଲି ଯାଇଥିବା ହରିଦାସୀଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ୨୦୨୧-୨୨ ତାଲିକା ଅନୁଯାଇ ମୋଟ ୨୧ ହଜାର ୯୧୮ ଜଣ ହିତାଧୀକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୯୮%ରୁ ଅଧିକ ଅର୍ଥାତ ୨୧ ହଜାର ୫୫୩ ଜଣଙ୍କ ଆକାଉଂଟକୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପଠା ଯାଇଛି । ମାତ୍ର ୧୪.୬୯ ପ୍ରତିଶତ ଅର୍ଥାତ ୩୨୧୯ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି । ତେବେ ଜିଲ୍ଲାରେ ମାତ୍ର ୧୨୫୮ ହିତାଧାକାରୀ ଘର ନିର୍ମାଣ କରି ସାରିଛନ୍ତି ।